Unknown

 

 

 

 

 

 

 

 

 

 

ଓଡ଼ିଆ ସାହିତ୍ୟ ପ୍ରକାଶ

(ଦ୍ୱିତୀୟ ଭାଗ)

ପଣ୍ଡିତ ବିନାୟକ ମିଶ୍ର

 

ସୂଚୀପତ୍ର

 

୧.

କବିତ୍ୱ କଳା

୨.

କବିର ବ୍ୟକ୍ତିତ୍ୱ

୩.

କାବ୍ୟର କଥାବସ୍ତୁ

୪.

ରାଧାନାଥଙ୍କ ଚରିତ୍ର ଚିତ୍ରଣ

୫.

ରାଧାନାଥଙ୍କ ଜୀବନର ଦର୍ଶନ

•••

 

କବିତ୍ୱ-କଳା

 

ଆହାର-ବିହାର-ମୈଥୁନ ମନୁଷ୍ୟ-ଜୀବନର ଚରମ ଲକ୍ଷ୍ୟ ବୋଲି ଯେଉଁମାନେ ବୁଝିଅଛନ୍ତି ସେମାନେ ନିର୍ବୋଧ ବୋଲି ଯଦି କୁହାଯାଏ ତେବେ ମନୁଷ୍ୟ ଜୀବନର ଯଥାର୍ଥ ଲକ୍ଷ୍ୟ କଅଣ ? ଏ ପ୍ରଶ୍ନର ଉତ୍ତର ପାଇଁ ପର ମୁହଁକୁ ଚାହିଁବାର ପ୍ରୟୋଜନ ନାହିଁ । ନିଜେ ଚିନ୍ତାକଲେ ଉତ୍ତର ନିଜ ହୃଦୟରୁ ମିଳିବ । ବାଳକ-ବାଳିକାଙ୍କର ଆହାରର ଚିନ୍ତା ନଥାଏ । ପିତାମାତାଙ୍କ ଯତ୍ନରେ ପାଳିତ ହେଉ ଥାଆନ୍ତି । କିନ୍ତୁ ସେମାନେ ସ୍ଥିର ରହିପାରନ୍ତିନାହିଁ । ଧୂଳି-ବାଲିରେ ଘର ତିଆରି କରି ସେମାନେ ଖେଳନ୍ତି । କାହିଁକି ? ମନୁଷ୍ୟଠାରେ ସୃଜନ-ଶକ୍ତି ଅଛି । ସେହି ଶକ୍ତିର ପ୍ରକାଶ ପାଇଁ ତାହାର ଅନ୍ତରରୁ ପ୍ରେରଣା ଜାତହୁଏ । ଏଣୁ ବାଳକ-ବାଳିକାମାନେ ବିନା ପ୍ରୟୋଜନରେ ଧୂଳି ବାଲିରେ ଘର କରନ୍ତି ବା କାଦୁଅରେ ଘଡ଼ି କଣ୍ଢେଇ ଗଢ଼ନ୍ତି । ଏହି ସୃଜନ-ଶକ୍ତି ଓ ତାହାର ପ୍ରକାଶ ପାଇଁ ଅନନ୍ତର ପ୍ରେରଣା ନ ଥିଲେ ମାନବ ସଭ୍ୟତାରେ ଅଗ୍ରସର ନୋହି ଏବେ ମଧ୍ୟ ଆଦିମ ଅବସ୍ଥାରେ ପଡ଼ିଥାଆନ୍ତା ।

 

ଜୀବନ-ରକ୍ଷାର ପ୍ରୟୋଜନ ପାଇଁ ମନୁଷ୍ୟ ଯେଉଁ ସବୁକର୍ମ କରି ସୃଜନ-ଶକ୍ତିର ପରିଚୟ ଦିଏ ତାହାକୁ କଳା କହନ୍ତି ନାହିଁ । ଏଣୁ କୃଷି, ବାଣିଜ୍ୟ ପ୍ରଭୃତିକୁ ବାତ୍ସ୍ୟାୟନ ଚଉଷଠି କଳା ମଧ୍ୟରେ ଯୋଗକରି ନାହାନ୍ତି । କଳାର ଅର୍ଥ ଅଂଶ । ଚନ୍ଦ୍ରଙ୍କଠାରେ ଷୋଳଟି କଳା ବା ଅଂଶ ଅଛି ବୋଲି ପ୍ରାଚୀନ ଋଷିମାନେ ନିରୂପଣ କରିଥିଲେ । ଏହି ଷୋଳ କଳା ମଧ୍ୟରୁ କୃଷ୍ଣ ପକ୍ଷରେ ପ୍ରତ୍ୟହ ଗୋଟିଏ ଗୋଟିଏ କଳା କ୍ଷୟ ପାଇ ପନ୍ଦରଟି ଯାଇ ଗୋଟିଏ ଅବଶିଷ୍ଟ ରହେ ଓ ସେହି ଗୋଟିକରୁ ସମସ୍ତ ହୃତ ପନ୍ଦର କଳାର ପୁଣି କ୍ରମଶଃ ଉତ୍ପତ୍ତି ଘଟେ । ମନୁଷ୍ୟଠାରେ ଏହିପରି ଷୋଳ କଳା ଅଛି-ଓ ଏଥିରୁ ପନ୍ଦର, କଳା ଲୁପ୍ତ ହେଲେ ମଧ୍ୟ ଯଦି ଗୋଟିଏ କଳା ଥାଏ ତେବେ ଲୁପ୍ତ ପନ୍ଦର କଳାକୁ ପୁଣି ଉଦ୍ଧାର କରାଯାଇପାରେ ବୋଲି ଛାଦୋଗ୍ୟ-ଉପନିଷଦରେ ଉକ୍ତି ଅଛି । ଏଥିରୁ ବୁଝାଯାଏ ଯେ, ଯେଉଁ କଳାଟି ଅବଶିଷ୍ଟ ରହିବାରୁ ଅନ୍ୟାନ୍ୟ କଳାମାନଙ୍କର ଉତ୍ପତ୍ତି ଘଟେ ସେହି କଳା ମଧ୍ୟରେ ସୃଜନ-ଶକ୍ତି ଥାଏ–ଅନ୍ୟ କଳାମାନଙ୍କରେ ନ ଥାଏ । ଏଣୁ ଚନ୍ଦ୍ରଙ୍କର କ୍ଷୟ ନୋହୁଥିବା କଳାକୁ ପ୍ରଜାପତି-କଳା କୁହାଯାଏ । ପୁରାଣ ପଢ଼ି ସମସ୍ତେ ଜାଣନ୍ତି ଯେ, ପ୍ରଜାପତି ବିଶ୍ୱର ସ୍ରଷ୍ଟା ଅଟନ୍ତି । ମନୁଷ୍ୟର ସେପରି ନାମ–କଳା ବା ପର୍ଦାଥ ବିଭେଦୀ କରଣ ଶକ୍ତି ଅବଶିଷ୍ଟ ରହେ । ଏହାକୁ ଚୈତନ୍ୟ କୁହାଯାଇପାରେ । ଚୈତନ୍ୟ ଥିଲେ ଶରୀରର ପୁନରୁଦ୍ଧାର ଅସମ୍ଭବ ନୁହେଁ । ଏହି ଚୈତନ୍ୟ ସୃଜନ-ଶକ୍ତିର ଅଧିକାରୀ । ଚୈତନ୍ୟକୁ କେହି କେହି ଆତ୍ମା କହିଅଛନ୍ତି । କିନ୍ତୁ ଯେ କୌଣସି କର୍ମରେ ଚୈତନ୍ୟର ସୃଜନ-ଶକ୍ତିର ପ୍ରକାଶ ପାଇଲେ ତାହାକୁ କଳା-କର୍ମ କୁହାଯାଏ ନାହିଁ । ଏଣୁ ଶରୀର-ରକ୍ଷାର ପ୍ରୟୋଜନରେ ଚୈତନ୍ୟର ସହ ଯୋଗିତାରେ କର୍ମେନ୍ଦ୍ରିୟମାନେ କୃଷି ବା ବାଣିଜ୍ୟ କର୍ମରେ ଲାଗିଲେ ତାହାକୁ କଳା-କର୍ମ କହିବା ଉଚିତ ନୁହେଁ । ଶରୀର-ରକ୍ଷାର ପ୍ରୟୋଜନରେ ନ ଲାଗିବା ଭଲ କର୍ମରେ ସୃଜନ-ଶକ୍ତିର ପ୍ରକାଶ ପାଇଲେ ତାହାକୁ କଳା-କର୍ମ କହନ୍ତି । ଶରୀର-ରକ୍ଷା ଲାଗି କର୍ମ ନିଜର ଆନନ୍ଦ ଉପଭୋଗ ପାଇଁ । କିନ୍ତୁ କଳା-କର୍ମ ଅପରର ଆନନ୍ଦ ପାଇଁ । ଯେଉଁ ଚଉଷଠି କଳାର ନାମ-ଉଲ୍ଲେଖ ଦେଖାଯାଏ ସେଥିମଧ୍ୟରୁ କୌଣସି ଗୋଟିଏ ଶରୀରର ପ୍ରୟୋଜନରେ ଲାଗେ ନାହିଁ ବୋଲି ସମସ୍ତେ ଜାଣନ୍ତି । ଚିତ୍ରଶିଳ୍ପୀ ନିଜର ଆନନ୍ଦ ପାଇଁ ଶିଳ୍ପରେ ଲାଗିଲେ ମଧ୍ୟ ତାହାର ଶିଳ୍ପ ଅପରର ମନରେ ଆନନ୍ଦ ଜନ୍ମାଏ । ଆତ୍ମାର ଯୋଗରେ କଳା-କର୍ମ କରାଯାଏ । ତହିଁରେ ଆତ୍ମାର ସ୍ୱଭାବ ପ୍ରକାଶ ପାଏ । ସମସ୍ତଙ୍କ ଆତ୍ମାର ସ୍ୱଭାବ ଏକ ପ୍ରକାର ହୋଇଥିବାରୁ ଏକ କର୍ମରେ ଜଣକର ଆତ୍ମାର ପ୍ରକାଶ ଘଟିଥିଲେ ମଧ୍ୟ ଅନ୍ୟଲୋକଙ୍କ ଆତ୍ମାମାନେ ନିଜ ଜାତିଭାଇକୁ ଦେଖି ଆନନ୍ଦିତ ହୁଅନ୍ତି । ଏଣୁ କେବଳ ଆତ୍ମାର ଆନନ୍ଦ ପାଇଁ ଯେଉଁ କର୍ମ କରାଯାଏ ତାହାକୁ କଳା-କର୍ମ କହନ୍ତି ।

ପିଲାମାନେ ଯେତେବେଳେ ବାଲିଘର ତିଆରିରେ ଲାଗିଥାଆନ୍ତି ସେତେବେଳେ ନିଜର ପିତାମାତାଙ୍କୁ ଭୁଲିଯାଆନ୍ତି ଓ ଖିଆ ପିଆ ମଧ୍ୟ ପାସୋରିଦିଅନ୍ତି । ସୃଜନ-ଶକ୍ତିର ପ୍ରକାଶ ପାଇଁ ଅନ୍ତରରୁ ପ୍ରେରଣା ଜାତ ହେଉଥିବାରୁ ସେମାନଙ୍କର ସେତେବେଳେ ଆଉ କୌଣସି କଥା ମନରେ ପଡ଼େ ନାହିଁ । ଏହି ପ୍ରେରଣା ଥିବାରୁ ଆଦିମ ଯୁଗରୁ ମନୁଷ୍ୟ କଳା-କର୍ମରେ ଲାଗିଅଛି । ଏଣୁ ବିବିଧ ପଦାର୍ଥର ନିର୍ମାଣ-କୌଶଳ ସେ ଜାଣିପାରିଅଛି । ଦୁଇ ହଜାର ବର୍ଷ ତଳେ ଓଡ଼ିଶାରେ ଶିଳ୍ପ-କଳାର କିପରି ଆଦର ଥିଲା ତାହାର ନିଦର୍ଶନ ଖଣ୍ଡଗିରି ଓ ଉଦୟଗିରିରେ ଅଛି । କେନ୍ଦୁଝରର ତେଙ୍ଗାପୋଷି ମଧ୍ୟ ପନ୍ଦର ଶହ ବର୍ଷ ତଳେ ଓଡ଼ିଶାରେ ଚିତ୍ର-କଳା ପ୍ରତି ଆଦର ଥିବାର ଘୋଷଣା କରୁଅଛି । ପରବର୍ତ୍ତୀ ଯୁଗରେ ଓଡ଼ିଶାରେ ଶିଳ୍ପ-କଳାର ଯେଉଁ ବିକାଶ ଘଟିଥିଲା ତାହା ଅଦ୍ୟାପି ପୁରୀ ଓ ଭୁବନେଶ୍ୱର ମନ୍ଦିରମାନଙ୍କରେ ବିରାଜିତ । କିପରି ଶିଳ୍ପ-କଳାର ବିକାଶ ଓ ବିନାଶ ଘଟି ଥିଲା ତାହାର ଇତିହାସ ମଧ୍ୟ କୋଣାର୍କ-ମନ୍ଦିରର ନିର୍ମାଣ ସମ୍ୱନ୍ଧରେ ପ୍ରଚଳିତ କିଂବଦନ୍ତୀରୁ ଜଣାଯାଏ । ଧର୍ମା ତିଳେ ମାତ୍ର ସ୍ୱାର୍ଥ-ସିଦ୍ଧିର ଆଶା ନ ରଖି କାମ କରିବାରୁ ନିଜ ସୃଜନ-ଶକ୍ତିର ପରିଚୟ ଦେଇ ପାରିଥିଲା । କିନ୍ତୁ ସହକର୍ମିଙ୍କ ମଧ୍ୟରେ ଈର୍ଷାନଳ ଜଳି ଉଠିବାର ଜାତିର ସର୍ବନାଶ ଘଟିଲା । ରାଜାଙ୍କ ଠାରୁ ପୁରସ୍କାର ପାଇବା ଆଶାରେ ଧର୍ମାକୁ ହତ୍ୟା କରିବାର ଅର୍ଥ ଏହି ଯେ ଶିଳ୍ପୀମାନଙ୍କ ମନରେ ଅର୍ଥକାମନା ଜାତ ହେବାରୁ ସେମାନେ ଶିଳ୍ପ-କଳା ଓ ପ୍ରତିଭାର ଆଦରକୁ ଚିରକାଳ ପାଇଁ ସମାଧିସ୍ଥ କଲେ । ନିଃସ୍ୱାର୍ଥ କର୍ମରେ ମନୁଷ୍ୟର ଆତ୍ମପ୍ରକାଶ ହୁଏ । ନିଃସ୍ୱାର୍ଥ କର୍ମ ପାଇଁ ମହାତ୍ମା ଗାନ୍ଧୀ ଆଜି ପୃଥିବୀର ନମସ୍ୟ । କଳା-କର୍ମରେ ସ୍ୱାର୍ଥ ନ ଥିବାରୁ ତହିଁରେ ମନୁଷ୍ୟର ଆତ୍ମା ପ୍ରକାଶିତ ହୁଏ । ସ୍ୱାର୍ଥ-ହିଂସା ଜାତ ହୋଇ ଚତୁର୍ଦ୍ଦଶ ଶତାବ୍ଦୀରେ ଓଡ଼ିଶାର କଳା ଲୁପ୍ତ ହେଲା-। ସେଦିନୁ ଓଡ଼ିଆ ଜାତି ମୃତପ୍ରାୟ । କଳର ପୁନରୁଦ୍ଧାର ନ କରି କେବଳ ଧର୍ମ-ବିଶ୍ୱାସ ଦେଶରେ ଜାଗରିତକରି ଜାତିକୁ ପୁନର୍ଜୀବିତ କରିବା ପାଇଁ ଚେଷ୍ଟାକରି କପିଳେନ୍ଦ୍ର ଦେବ କୃତକାର୍ଯ୍ୟ ହୋଇପାରିନାହାନ୍ତି । ସୃଜନ-ଶକ୍ତି ପ୍ରକାଶକରିବା ପାଇଁ କ୍ଷମତା ଜନ୍ମିଲେ ସ୍ୱାର୍ଥ-ହିଂସା ଆପେ ଆପେ ଚାଲିଯିବ । ସ୍ୱାର୍ଥାନ୍ଧ ପୁଞ୍ଜିପତି ଶାସନଭାର ହାତରେ ରଖି ସୃଜନ ଶକ୍ତିର କଣ୍ଟକ ହୋଇଥିବାରୁ ନୂତନ ଶାସନ ପ୍ରଣାଳୀ ସୃଜନ-ଶକ୍ତିର ପ୍ରକାଶକୁ ଲକ୍ଷ୍ୟ ରଖି ସମାଜବାଦର ଭିତ୍ତିରେ ପ୍ରତିଷ୍ଠିତ ହେବା ପାଇଁ ଆଜି ଅଗ୍ରସର ହେଉଅଛି ।

 

ବର୍ତ୍ତମାନ ପ୍ରଶ୍ନ ଉଠିପାରେ–କଳା କାହିଁକି ମନୁଷ୍ୟ ମନରେ ଆନନ୍ଦ ଜନ୍ମାଏ ? ଗୋଟିଏ ପିଲା ଆଉ ପିଲାଟିଏ ଦେଖି ଗୋଟିଏ ଯୁବତୀ ଆଉ ଗୋଟିଏ ଯୁବତୀକୁ ଦେଖି ଆନନ୍ଦ ଅନୁଭବକରେ ସମଧର୍ମୀ ବା ସମଗୁଣୀମାନଙ୍କ ମଧ୍ୟରେ ସଖ୍ୟ-ଭାବ ଥାଏ । କିନ୍ତୁ କୌଣସି ରକ୍ତମାଂସ ଶରୀରର ମନୁଷ୍ୟକୁ ଦେଖି ଆମ ମନରେ ଯେତେ ଆନନ୍ଦ ଜନ୍ମେ ସେହି ମନୁଷ୍ୟର ଚିତ୍ରପଟ ଦେଖିଲେ ତାହାଠାରୁ ଶତଗୁଣ ଅଧିକ ଆନନ୍ଦ ଜାତହୁଏ । ମଧ୍ୟାହ୍ନ କାଳରେ ସୂର୍ଯ୍ୟର ଆଲୋକ ନେତ୍ର-ପ୍ରୀତିକର ନୁହେଁ । ଆଲୋକ ପଦାର୍ଥର ରୂପ ପ୍ରକାଶ କରେ ! କିନ୍ତୁ ମନୁଷ୍ୟ ପଦାର୍ଥର ରୂପକୁ ଆଦର କରୁ ନ ଥିବାରୁ ମହାକାଳଫଳ ତାହା ଠାରେ ମୂଲ୍ୟହୀନ ବିବେଚିତ ହୋଇଅଛି । ଏହିପରି ବାସ୍ତବ ମନୁଷ୍ୟର ରୂପକୁ ଆଦର ନ କରି ତାହାର ଅନ୍ତର ଜାଣିବା ପାଇଁ ଆମର ପ୍ରବୃତ୍ତ ଥିବାରୁ ଓ ରୂପର ତୀବ୍ର-ପ୍ରକାଶ ରକ୍ତମାଂସ ଶରୀର ଚିତ୍ତକୁ ଝଲସାଇ ଦେଉଥିବାରୁ ଦ୍ରଷ୍ଟା ଏ କୂଳର ବା ସେ କୂଳର ହୋଇପାରେ ନାହେଁ । ବାସ୍ତବ ପଦାର୍ଥ କେବଳ ଦେଖିଲେ ମନୁଷ୍ୟର ଜ୍ଞାନ ଜାତ ହୁଏ ନାହିଁ–ପଦାର୍ଥ ସମ୍ବନ୍ଧରେ ଚିନ୍ତାକଲେ ଜ୍ଞାନ ଜାତହୁଏ । ରୂପ ଯେତେବେଳେ ପ୍ରଖର ଆଲୋକ ବିକିରଣକରୁଥାଏ ସେତେବେଳେ ଚିନ୍ତାର ଅଧିକାରୀ ଚୈତନ୍ୟର ସ୍ଫୁରଣ ହୁଏନାହିଁ । ଚୈତନ୍ୟ ସ୍ୱୟଂ କୋମଳ ଓ ଦୟା, ସ୍ନେହ; ସତ୍ୟ ପ୍ରଭୃତି ତାହାର ଗୁଣଗୁଡ଼ିକ ମଧ୍ୟ କୋମଳ । ଏଣୁ କୋମଳ ରୂପ ପ୍ରତି ତାହାର ଶ୍ରଦ୍ଧା ଜନ୍ମେ । କାମ,କ୍ରୋଧ ପ୍ରଭୃତି ଉଗ୍ରସ୍ୱଭାବ ବା ରିପୁ ଦମନ ନ କଲେ ଆତ୍ମଜ୍ଞାନ ଜନ୍ମେନାହିଁ ବୋଲି ଅମର ଉପନିଷଦମାନଙ୍କରେ ଉକ୍ତଅଛି । ରିପୁଗୁଡ଼ିକ ଶରୀରଜ । ଶରୀରର ସ୍ୱଭାବ ଦମନ କରି ଚୈତନ୍ୟର ସ୍ୱଭାବ ବିକଶିତ କରାଇ ପାରିଲେ ମନୁଷ୍ୟଠାରେ ଦେବତ୍ୱର ଆବିର୍ଭାବ ଘଟେ । ଆତ୍ମା ସର୍ବଦା କୋମଳ ପଦାର୍ଥ ଲୋଡ଼ୁଥିବାରୁ ସକାଳର କୋମଳ ସୂର୍ଯ୍ୟ-କିରଣ ପରି ବାସ୍ତବ ମନୁଷ୍ୟର କୋମଳ ରୂପ ଚିତ୍ର ପଟରେ ଦେଖି ଆନନ୍ଦିତ ହୁଏ ।

 

କଳା-କର୍ମରେ ଆତ୍ମାର ସ୍ୱ-ପ୍ରକାଶ ଘଟେ ବୋଲି ତାହା କୋମଳ ଓ ସମସ୍ତଙ୍କର ପ୍ରୀତିକର । ଯାହା ପ୍ରୀତିକର ତାହା ସୁନ୍ଦର । ସୁନ୍ଦର କାହାକୁ କହନ୍ତି ? ଯାହା ସତ୍ୟ ତାହା ସୁନ୍ଦର । ସତ୍ୟ କଅଣ ? ଯାହା ଆତ୍ମା ଜାଣିବା ପାଇଁ ଓ କରିବା ପାଇଁ ଅଭିଳାଷ କରେ ତାହା ସତ୍ୟ । ଶୁକ୍ଳ ହେଉ ବା ରକ୍ତହେଉ, କେବଳ ଗୋଟିଏ ରଙ୍ଗର ପଦାର୍ଥ ଚକ୍ଷୁକୁ ସୁନ୍ଦର ଦିଶେ ନାହିଁ । ବିଭିନ୍ନ ରଙ୍ଗର ଏକତ୍ର ସମାବେଶ ଘଟିଲେ ସୌନ୍ଦର୍ଯ୍ୟର ସୃଷ୍ଟି ହୁଏ । ଏଥିପାଇଁ ବିଭିନ୍ନ ତାରକା ଖଚିତ ଆକାଶ ରାତିରେ ସୁନ୍ଦର ଦିଶେ । ବିଚିତ୍ରତା ହୀନ ଦିବସର ଆକାଶ ସୁନ୍ଦର ଦିଶେ ନାହିଁ । ରାତିର ଆକାଶରେ ତାରାମାନଙ୍କ ବୈଚିତ୍ର୍ୟ ଓ ଆକାଶର ଏକତ୍ୱ ଏକ କାଳରେ ଅନୁଭବ କରାଯାଏ । ଏଣୁ ବୈଚିତ୍ର୍ୟ ମଧ୍ୟରେ ଏକତ୍ୱ ଯାହା ପ୍ରତିପାଦନ କରେ ତାହା ସତ୍ୟ ଓ ସୁନ୍ଦର । ବାସ୍ତବ ମନୁଷ୍ୟକୁ ଦେଖିବାବେଳେ ତାହାର ବୈଚିତ୍ର୍ୟ ଓ ଏକତ୍ର ଏକ କାଳରେ ଅନୁଭବ କରାଯାଏ ନାହିଁ । ସେତେବେଳେ ତାହାର ମୁଖର ଭଙ୍ଗୀ ଛଡ଼ା କେଶର ବର୍ଣ୍ଣ, ପଦର ଆକାର ପ୍ରଭୃତି ଲକ୍ଷ୍ୟ କରିବାପାଇଁ ଚିନ୍ତାଶକ୍ତିକୁ ଅବସର ମିଳେ ନାହିଁ । କିନ୍ତୁ ଚିତ୍ରପଟ ଦେଖିଲେ ମନୁଷ୍ୟର ଅବସ୍ଥିତ ସ୍ଥାନ, ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଓ ଆଲୋକର ରେଖାପାତ ପରିମାଣ ଅନୁସାରେ ବିଭିନ୍ନ ଅଙ୍ଗରେ ବର୍ଣ୍ଣର ତାରତମ୍ୟ ପ୍ରଭୃତି ନାନ୍ନାବିଧ ବିଚିତ୍ରତା ମଧ୍ୟରେ ଏକ ମନୁଷ୍ୟର ଛବି ବୋଲି ଧାରଣା କରାଯାଏ । ବିଚିତ୍ରତା ମଧ୍ୟରେ ଏକତ୍ୱ ଉପଲବ୍‍ଧି କରିବା ଆତ୍ମାର ସ୍ୱଭାବ ହୋଇଥିବାରୁ ଓ ସେହି ଲକ୍ଷଣ ଚିତ୍ର ପଟରେ ପ୍ରକାଶିତ ହୋଇଥିବାରୁ ସମଧର୍ମୀ ପ୍ରତି ଆତ୍ମାର ଶ୍ରଦ୍ଧା ଜନ୍ମେ । ଏଣୁ ଆତ୍ମାର ଲକ୍ଷଣ-ଜ୍ଞାନ ସତ୍ୟ, ଶିବ, ଓ ସୁନ୍ଦର । ଏହି ଲକ୍ଷଣ ନିତ୍ୟ । ଏହି ଲକ୍ଷଣ ଯହିଁରେ ପ୍ରକାଶ ପାଏ ତାହା ବହୁ ଲୋକଙ୍କର ପ୍ରୀତିକର ହୁଏ । ଶରୀରର ପ୍ରୟୋଜନ ପାଇଁ ପଲାଉ ରାନ୍ଧି ନିଜେ ଖାଇଲେ ବା ଅନ୍ୟ କେତେ ଜଣଙ୍କୁ ଖୁଆଇଲେ ନିଜର ଜିଭ ବା ଅନ୍ୟର ଜିଭ କ୍ଷଣିକ ତୃପ୍ତି ଲାଭ କରିବ । କିନ୍ତୁ ଚିତ୍ରର ଶୋଭା ବହୁ ଲୋକଙ୍କର ବହୁକାଳ ପର୍ଯ୍ୟନ୍ତ ତୃପ୍ତି ବିଧାନ କରେ । ଏଣୁ କଳା-ପ୍ରକାଶକ ଅମର । କଳାରେ ସୌନ୍ଦର୍ଯ୍ୟର ପ୍ରକାଶ ଘଟୁଥିବାରୁ ସୌନ୍ଦର୍ଯ୍ୟ-ସୃଷ୍ଟିକୁ କଳା କହନ୍ତି ।

 

ଯେଉଁମାନେ ଖଣ୍ଡଗିରି, ଉଦୟଗିରି ଦେଖିଅଛନ୍ତି ସେମାନେ ସେଠାରେ ଗୁମ୍ଫାମାନଙ୍କରେ ଖୋଦିତ ଅନେକ ଚିତ୍ର ଦେଖିଥିବେ । ସେଥି ମଧ୍ୟରୁ ଅଶ୍ୱପୃଷ୍ଠରେ ବସି ଅଗ୍ରସର ହେଉଥିବା ଯୁବକ-ଯୁବତୀଙ୍କ ଖୋଦିତ ଯୁଗଳ ଚିତ୍ର ଅନୁଧ୍ୟାନ କରିବା ଉଚିତ୍ । ହଣ୍ଟର ସାହେବଙ୍କ ମତରେ ଏହା କୌଣସି ରାଜାଙ୍କର ଯୁବତୀ ହରଣ କ୍ରିୟାର ପ୍ରତିରୂପ । ସାଧବଘର-ବୋହୂର ରୂପରେ ମୁଗ୍ଧ ହୋଇ ରାଜପୁତ୍ର ତାହାକୁ ହରଣ କରିବା ପ୍ରାଚୀନ କାହାଣୀ ଓଡ଼ିଶାରେ ସମସ୍ତେ ଶୁଣୁଥିବାରୁ ସାହେବଙ୍କ ଅନୁମାନ ଅସମ୍ଭବ ମନେ ହୁଏ ନାହିଁ । କିନ୍ତୁ ଜୈନ ସନ୍ୟାସଙ୍କ ଗୁମ୍ଫା–ଆଶ୍ରମରେ ଏପରି ଚିତ୍ରର ପ୍ରୟୋଜନୀୟତା କଅଣ ଥିଲା ? ଇନ୍ଦ୍ରିୟ–ବାସନା ହେତୁରୁ ଜୀବନ ଅଶୃ ପରି କ୍ଷିପ୍ର ଗତିରେ ମୃତ୍ୟୁ-ମୁଖକୁ ଅଗ୍ରସର ହୁଏ ବୋଲି ଅନୁଧ୍ୟାନ କରିବା ନିମନ୍ତେ ସନ୍ୟାସମାନେ ଏହି ଚିତ୍ର ଖୋଦିତ କରାଇଥିଲେ–ଏପରି ଅନୁମାନ କରାଯାଇପାରେ । ଏଠାରେ କ୍ଷିପ୍ର ଗତି ଅଭିବ୍ୟକ୍ତ କରିବା ନିମନ୍ତେ ଶିଳ୍ପୀ ଅଶୃ-ରୂପର ସାହାର୍ଯ୍ୟ ଗ୍ରହଣକରିଅଛି । ଏହିପରି ଚିତ୍ରଶିଳ୍ପୀ ରୂପର ସାହାର୍ଯ୍ୟରେ ଅନ୍ତରର ସ୍ୱଭାବ, କ୍ରିୟା ପ୍ରଭୃତି ଅଭିବ୍ୟକ୍ତକରେ । ମୁଖର ସାମାନ୍ୟ ପ୍ରସାରଣରେ ବା ମୁଦିବାରେ ଚିତ୍ରିତ ବ୍ୟକ୍ତିର ଆନନ୍ଦ ବା ବିଷାଦ ଚିତ୍ରଶିଳ୍ପୀ ଫୁଟାଇଥାଏ । କିନ୍ତୁ ଭାଷାଶିଳ୍ପୀ ଯେଉଁ ଚିତ୍ର ଅଙ୍କନକରେ ତାହା ଚକ୍ଷୁର ଅନୁଭବ-ଯୋଗ୍ୟ ନୋହି ସଳଖେ ସଳଖେ ଚୈତନ୍ୟର ଅନୁଭବ ଯୋଗ୍ୟ ହୁଏ । ରଙ୍ଗ ଚିତ୍ରାଙ୍କନର ପ୍ରଧାନ ଉପକରଣ । କିନ୍ତୁ ଶବ୍ଦ ବା ଭାଷା କବିର ପ୍ରଧାନ ଉପକରଣ । ଯଥାଯଥ ସ୍ଥାନରେ ରଙ୍ଗର ସମାବେଶ କରି ପାରିଲେ ଚିତ୍ର-ଶିଳ୍ପ ମନୋହର ହେଲାପରି ଯଥାଯ଼ଥ ସ୍ଥାନରେ ଶବ୍ଦ ସମାବେଶ କରିପାରିଲେ ଭାଷା-ଶିଳ୍ପ ମନୋହର ହୁଏ । ‘ହାତୀ’, ’ଘୋଡ଼ା’ ପ୍ରଭୃତି କହିବା ମାତ୍ରେ ରୂପବାନ ପଦାର୍ଥ ନିରାକାର ରୂପରେ ଚୈତନ୍ୟର ଅନୁଭବଯୋଗ୍ୟ ହେଉଥିବାରୁ ପ୍ରାଚୀନ ଋଷିମାନେ ଶବ୍ଦକୁ ସ୍ୱୟଂ ବ୍ରହ୍ମ ବୋଲି ଆରାଧନା କରୁଥିଲେ । ଭାଷା-ଶିଳ୍ପରେ ରୂପ ଓ ଅରୂପ ପଦାର୍ଥକୁ ପ୍ରାଞ୍ଜଳ ଭାବରେ ଚିତ୍ର କରାଯାଏ ଓ ତାହା ଇନ୍ଦ୍ରିୟର ଅନୁଭବ ଯୋଗ୍ୟ ନୋହି ଚୈତନ୍ୟର ଉପଭୋଗଯୋଗ୍ୟ ହୁଏ । ଏଥିପାଇଁ ଭାଷା ଶିଳ୍ପ ବା ସାହିତ୍ୟ ସବୁଠାରୁ ଶ୍ରେଷ୍ଠ ।

 

ଶରୀର ନ ଥିଲେ ଚୈତନ୍ୟର ବା ଚୈତନ୍ୟ ନ ଥିଲେ ଶରୀରର ସ୍ଥିତି ଜଗତରେ ଅସମ୍ଭବ । ସେପରି ବାକ୍ ଓ ଅର୍ଥ ଏପରି ଘନିଷ୍ଠ ଭାବରେ ସଂଶ୍ଲିଷ୍ଟ ଯେ କାଳିଦାସ ତାହାଙ୍କୁ ପାର୍ବତୀ ପରମେଶ୍ୱର ବା ଅର୍ଦ୍ଧନାରୀଶ୍ୱର ରୂପେ ଚିତ୍ରକରିଅଛନ୍ତି । ଏଠାରେ ମନେ ରଖିବାକୁ ହେବ ଯେ ଶରୀର ଓ ଚୈତନ୍ୟ ମଧ୍ୟରେ ସର୍ବଦା ବିବାଦ ଲାଗି ରହିଅଛି । ଏ କଥାକୁ “ଏକାବଳୀ ବୈଜୟନ୍ତୀ” ହାର କଣ୍ଟାରେ ଲାଖିଗଲା ବୋଲି କହି କାଳିଦାସ ବୁଝାଇ ଥିଲେ । “କଣ୍ଟା ବାଡ଼କୁ ଲୁଗା ଫିଙ୍ଗିବା“ କଥା ଓଡ଼ିଆରେ ପ୍ରଚଳିତ ଥିବାରୁ ତାହା ଅନୁସାରେ ରାଧାନାଥ ବୁଝାଇଅଛନ୍ତି । ଶକୁନ୍ତଳା ମଧ୍ୟ କଣ୍ଚାରେ ଲୁଗା ଲାଖିଥିବା କଥା କହିଥିଲା ।

 

“ରହ, ଅଟକିଲା କଣ୍ଟାରେ ବସନ”

ବୋଲିବାରୁ ଉରୁବଶୀ,

“ଅଟକିବ ଜାଣି ଥିଲି ଛଟକିନି”

ସଜନୀ ବୋଇଲା ହସି ।

 

ଇନ୍ଦ୍ରିୟର ଲାଳସା ଘୋଡ଼ାଇବା ପାଇଁ ଅନ୍ତରରୁ ପ୍ରେରଣା ପାଉଥିବାରୁ ପୁରୁରବାଙ୍କ ପ୍ରତି ଅନୁରକ୍ତୀ ହୋଇ ବିଳମ୍ବ ଘଟୁଛି ବୋଲି ଉର୍ବଶୀ ନ କହି କଣ୍ଟା ବୁଦାରେ ପଣନ୍ତ ଲଖାଇ ଦେଇ କଣ୍ଟା ଲାଗି ବିଳମ୍ବ ଘଟିଛି ବୋଲି କହିଲେ ମଧ୍ୟ ସଖୀମାନେ ତାହାର ମନ କଥା ଜାଣିପାରିଲେ । ସତ୍ୟକୁ ଯେତେ ଘୋଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ତାହା ପ୍ରକାଶ ପାଏ । ଇନ୍ଦ୍ରିୟମାନଙ୍କ ପ୍ରଭାବରେ ଚାଳିତ ହୋଇ ଚୈତନ୍ୟକୁ ସଙ୍ଗରେ ଟାଣି ଶରୀର ଶକ୍ତିର ଅପଚୟ ଘଟାଇବାରେ ସର୍ବଦା ପ୍ରବୃତ୍ତି ହୁଏ । ଚୈତନ୍ୟ ବିପରୀତ ଦିଗରେ ଶରୀରକୁ ଟାଣେ । ଚୈତନ୍ୟ ଓ ଶରୀର ସଖ୍ୟ ଭାବରେ ଚଳିଲେ ସଂସାରରେ ଜୀବନ ସୁଖମୟ ହୁଏ ବୋଲି ସମସ୍ତେ ସ୍ୱୀକାରକରନ୍ତି । ଏଣୁ ଶରୀରକୁ ଘୋଡ଼ାଇବା ପାଇଁ ବିବିଧ ପୋଷାକ-ନିର୍ମାଣ ଓ ଆତ୍ମଶକ୍ତିର ପରିଚୟ ପାଇଁ, ବିଭିନ୍ନ ବିଜ୍ଞାନ ଆଲୋଚନାରେ ପୃଥିବୀ ଆଜି ବ୍ୟାପୃତ ।

 

ଶରୀରକୁ ଆବୃତ ରଖି ଅର୍ଥାତ ଇନ୍ଦ୍ରିୟକୁ ସଂଯତ ରଖି ଆତ୍ମାକୁ ପ୍ରକାଶକରିପାରିଲେ ଶକ୍ତିର ପରିଚୟ ମିଳେ । ଭାଷାକୁ ସେପରି ଆବୃତ ରଖି ଅର୍ଥକୁ ପ୍ରକାଶକରିପାରିଲେ ଶକ୍ତିର ପରିଚୟ ମିଳେ । ଉପେନ୍ଦ୍ରଭଞ୍ଜ ଶବ୍ଦାଳଙ୍କାରରେ ଭାବକୁ ଆବୃତ କରିବା ପାଇଁ କଠିନ କଠିନ ଶବ୍ଦମାନ କବିତାରେ ବ୍ୟବହାର କରିବାରୁ ଅର୍ଥର ପ୍ରକାଶ ନ ଘଟି ସୌନ୍ଦର୍ଯ୍ୟ ଅଭିବ୍ୟକ୍ତ ହୋଇ ପାରିନାହିଁ । ପରର ଉପଭୋଗ ପାଇଁ କବିତା ଲେଖୁଅଛି ବୋଲି ମନେ ରଖି କବି ଯଦି ଲେଖେ ତେବେ ଅର୍ଥ ଦୁର୍ବୋଧ୍ୟ ହେବ ନାହିଁ । ନଗ୍ନ ରୂପ ପ୍ରତି କେହି ଅକୃଷ୍ଟ ହୁଅନ୍ତି ନାହିଁ ବୋଲି ସେ ଯଦି ବୁଝେ ତେବେ ଭାଷାକୁ କଦାପି ସେ ନଗ୍ନ କରି ପାରିବ ନାହିଁ । ତାହା ହେଲେ ଭାଷାକୁ ଆବୃତକରି କିପରି ଅର୍ଥକୁ ପ୍ରାଞ୍ଜଳ କରା ଯାଇପାରେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଦିତ ହୁଏ ।

 

ପ୍ରଥମେ ମନେ ରଖିବାକୁ ହେବ ଯେ ଚୈତନ୍ୟର ବା ଆତ୍ମାର ପ୍ରକାଶ କବିତାରେ କରିବାକୁ ହେବ । ଇନ୍ଦ୍ରିୟର ଭୋଗ କାମନାଠାରୁ ଚୈତନ୍ୟର ଭୋଗ-କାମନା ପୃଥକ୍ । ଇନ୍ଦ୍ରିୟର ଭୋଗରେ ଶକ୍ତିର ଅପଚୟ ଘଟେ । ଚୈତନ୍ୟର ଭୋଗରେ ଶକ୍ତିର ବୃଦ୍ଧି ଘଟେ । ଇନ୍ଦ୍ରିୟର ଭୋଗ କ୍ଷଣିକ । ଚୈତନ୍ୟର ଭୋଗ ନିତ୍ୱ । ବୃଦ୍ଧାବସ୍ଥାରେ ମନୁଷ୍ୟ ଜ୍ଞାନ ଉପଭୋଗ କରେ ଓ କବିତା ରଚନାକରିପାରେ । କିନ୍ତୁ ସେତେବେଳେ ଇନ୍ଦ୍ରିୟର ଭୋଗ ପାଇଁ ଶକ୍ତି ନ ଥାଏ । ଏଣୁ ଦାର୍ଶନିକମାନେ ଜ୍ଞାନକୁ ଦୁଇ ଭାଗରେ ବିଭକ୍ତ କରିଅଛନ୍ତି–ବ୍ୟାବହାରିକ ଓ ପାରମାର୍ଥିକ ! ଶରୀର-ରକ୍ଷାରେ ବ୍ୟାବହାରିକ ଜ୍ଞାନ ଓ ଆତ୍ମାର ପ୍ରକାଶରେ ପାରମାର୍ଥିକ ଜ୍ଞାନ ଲୋଡ଼ାହୁଏ । ଜ୍ଞାନ ପରି ଭାଷା ମଧ୍ୟ ଦୁଇ ପ୍ରକାର–କଥିତ ଭାଷା ଓ ସାହିତ୍ୟର ଭାଷା । କଥିତ ଭାଷା ନିତ୍ୟ ବ୍ୟବହାରରେ ଲାଗେ । ସାହିତ୍ୟର ଭାଷାରେ ଆତ୍ମା ଅଭିବ୍ୟକ୍ତ ହୁଏ ବୋଲି ତାହାର ଭାଷା ସାଧାରଣ ଭାଷା ଠାରୁ ପୃଥକ୍ । ଜନସାଧାରଣଙ୍କୁ ସଭ୍ୟତାର ବିକାଶ-ପଥରେ ଯେପରି ଅଗ୍ରସର କରାଇବାକୁ ହେବ ସେମାନଙ୍କ ମଧ୍ୟରେ ପାରମାର୍ଥିକ ଜ୍ଞାନ ଓ ସାହିତ୍ୟର ଭାଷା ମଧ୍ୟ ସେପରି ପ୍ରଚାର କରିବାକୁ ହେବ । ନୋହିଲେ ସଭ୍ୟ ହେବେ କିପରି ? କଥାଟା ବୁଝାଇବା ପାଇଁ ଉଦାହରଣ ଦେବାର ପ୍ରୟୋଜନ ଅଛି । ଆମେ ସାଧାରଣ କଥାରେ କହୁ, ଆପଣାର ଦୋଷ ଥାଉ ଥାଉ ପରର ଦୋଷ ତୁମେ କାହିଁକି ବାଛ ? ଏହି କଥା ଶାରଳାଦାସ ଓ ରାଧାନାଥଙ୍କ ଭାଷାରେ ଭିନ୍ନ ପ୍ରକାର ।

 

‘‘ଆପଣା ଶରୀରେ ବାବୁ, ପଡ଼ିଛି ଅଂଶାଇ

ପର କୃମି ବାଛୁ ନାସା ଦ୍ୱାରେ ହସ୍ତଦେଇ ।’’ (ମହାଭାରତ)

“ଥୋଇ ଏ ମୁକୁର ତୁମ ଅଗେ ଭାଇ

ନିଜ ମୁଖ ମୁଁ କି ନିଜେ ଦେଖୁ ନାହିଁ ।” (ଦରବାର)

 

ସାଧାରଣ କଥାରେ ବ୍ୟବହୃତ ଭାଷା ଅପେକ୍ଷା ଶାରଳାଦାସଙ୍କ ଭାଷା ଏଠାରେ ବେଶୀ ହୃଦୟଗ୍ରାହୀ । ଶାରଳାଦାସଙ୍କ ଭାଷା ଠାରୁ ରାଧାନାଥଙ୍କ ଭାଷା ଅଧିକ ପ୍ରାଣସ୍ପର୍ଶୀ । ଏହାର କାରଣ କଅଣ ? ଆତ୍ମା ନିଜେ ନିରାକାର । ନିଜର ସୌନ୍ଦର୍ଯ୍ୟ ଫୁଟାଇବା ପାଇଁ ସାକାର ଶରୀରରେ ଯେପରି ଅବସ୍ଥାନ କରି ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ବୈଚିତ୍ର୍ୟରେ ଏକତ୍ୱ ପ୍ରତିପାଦନ କରେ ଭାଷାର ବୈଚିତ୍ର୍ୟ ମଧ୍ୟରେ ଅର୍ଥର ଏକତ୍ୱ ମଧ୍ୟ ସେପରି ଅନୁଭୂତ ହୁଏ । ଶରୀର, ଅଂଶାଇ, କୃମି ପ୍ରଭୃତି ଶବ୍ଦ ମାନଙ୍କର ଅର୍ଥ ସହିତ ବକ୍ତାର ଅଭିପ୍ରାୟର କୌଣସି ସମ୍ପର୍କ ନାହିଁ । ‘ଶରୀରରେ ଅଂଶାଇ ପଡ଼ିବା କଥା’ ଯେଉଁ ଅର୍ଥ ପ୍ରକାଶ କରେ ମୁକୁର ଥୋଇ ମୁଖ ଦେଖିବା କଥା ମଧ୍ୟ ସେହି ଅର୍ଥ ପ୍ରକାଶ କରେ । ଏଥିରୁ ବୁଝାଯାଏ ଯେ, ବିଶ୍ୱର ବିଭିନ୍ନ ପଦାର୍ଥମାନଙ୍କର ଏକତ୍ୱ ଅଛି । ଏଣୁ ନଗ୍ନ ଭାଷା ଅପେକ୍ଷା ଅର୍ଥାଳଙ୍କାର ଭୂଷିତ ଭାଷା ମନୋହର । ଏଥି ପାଇଁ କବିର ଭାଷା Poet।cal b।ct।on ସ୍ୱତନ୍ତ୍ର ବୋଲି କୁହାଯାଏ । କବିର ଭାଷାରେ ବିଶ୍ୱର ଏକତ୍ୱ ପରିସ୍ଫୁଟ ହେଉଥିବାରୁ ତାହା ପ୍ରାଣସ୍ପର୍ଶୀ ହୁଏ । କିନ୍ତୁ ସାଧାରଣ ଶ୍ରୋତା ବା ପାଠକ ଏ କାରଣ ଜାଣେ ନାହିଁ । ତ୍ୟାଗର ଅବତାର ମହାତ୍ମା ଗାନ୍ଧୀ ବା ଅନ୍ୟ ସାଧୁ ଲୋକକୁ ଦେଖିବା ମାତ୍ରେ ନ ଚିହ୍ନିଥିବା ଲୋକର ଅନ୍ତରରୁ ସ୍ୱତଃ ଯେପରି ଭକ୍ତି ଉଚ୍ଛୁଳି ପଡ଼େ ସେପରି କାରଣ ନ ଜାଣି ମଧ୍ୟ କବିର ଭାଷାରେ ଶ୍ରୋତା ବା ପାଠକ ଆତ୍ମହରା ହୁଏ ।

 

ଶାରଳା ଦାସଙ୍କ ଶୈଳୀ ଅପେକ୍ଷା ରାଧାନାଥଙ୍କ ଶୈଳୀ କାହିଁକି ଅଧିକ ପ୍ରାଣସ୍ପର୍ଶୀ ହୁଏ ତାହା ବିଚାର କରିବା ଉଚିତ୍ । ତା ୧୧-୧୨-୧୯୪୬ ରିଖରେ ଉତ୍କଳ ସାହିତ୍ୟ ସମାଜରେ ପଠିତ ପ୍ରବନ୍ଧର ଆଲୋଚନା ପ୍ରସଙ୍ଗରେ କାଳିନ୍ଦୀ ବାବୁ କହିଥିଲେ Style Speas the man ଅର୍ଥାତ ଶୈଳୀରୁ ଲେଖକର ପରିଚୟ ମିଳେ । କିନ୍ତୁ କଥାଟିକୁ ସେ ବୁଝାଇ ଦେଇ ନ ଥିଲେ । ଇଂରେଜ ଲେଖକମାନେ କୌଣସି ବିଷୟ ଅନେକ ପ୍ରକାରେ ବିଶ୍ଳେଷଣସହ ବ୍ୟାଖ୍ୟା କଲା ଉତ୍ତାରୁ ସମସ୍ତ କଥାକୁ ଗୋଟିଏ ସଂକ୍ଷିପ୍ତ ବାକ୍ୟରେ ପ୍ରକାଶ କରନ୍ତି । ଏଣୁ ଶ୍ରୋତା ବା ପାଠକର ସ୍ମୃତି-ପଟରେ ସହଜରେ ସମସ୍ତ କଥା ଅଙ୍କିତ ହୋଇଯାଏ । ସଂସ୍କୃତ ଦର୍ଶନ-ଶାସ୍ତ୍ର ଓ ବ୍ୟାକରଣରେ ଏପରି କଥାକୁ ସୂତ୍ର କହନ୍ତି । ଖଣ୍ଡିଏ ସୂତାରେ ଯେପରି ଅନେକ ଫୁଲ ଗୁନ୍ଥା ହୋଇ ରହିପାରେ ସେପରି ଏଭଳି କଥାରେ ଅନେକ ଅର୍ଥ ରହିପାରେ । ଏପରି କଥା ବହୁତ୍ୱ ମଧ୍ୟରେ ଏକତ୍ୱର ବ୍ୟାପକ ବୋଲି ସାହିତ୍ୟକ ମାନଙ୍କର ଆଦରଣୀୟ । କିନ୍ତୁ ବୁଝାଇ ନ ଦେଲେ ଏପରି କଥାର ଅର୍ଥ ବୁଝାଯିବା କଠିନ ।

 

“ଧୀର ପାଣି ପଥର କାଟେ“–ଏ କଥା ସମସ୍ତେ କହନ୍ତି । କିନ୍ତୁ ଏହାର ବ୍ୟାପକ ଅର୍ଥ କେତେ ଜଣ ଜାଣନ୍ତି ?ଏହି ସବୁ କଥାକୁ ଅବଲମ୍ବନ କରି କବିତା ବା ପ୍ରବନ୍ଧ ଲେଖାହୋଇ ବିଦ୍ୟାଳୟମାନଙ୍କର ପାଠ୍ୟ ହେବା ଉଚିତ । ତାହା ହେଲେ ପ୍ରାଚୀନ ଭିତ୍ତିରେ ନୂତନ ସାହିତ୍ୟ-ସୌଧ ଅନାୟାସରେ ତୋଳା ହୋଇ ପାରିବ । ସେକଥା ଛାଡ଼ ବର୍ତ୍ତମାନ କାଳନ୍ଦୀବାବୁ କହିଥିବା କଥାର ଅର୍ଥ ଆଲୋଚନା କରିବାକୁ ହେବ । କଥାଟିର ଅର୍ଥ ଏହି ଯେ, ଶୈଳୀରୁ ଲେଖକର ବ୍ୟକ୍ତିତ୍ୱ ଜଣାପଡ଼େ । ଲେଖକର ବ୍ୟକ୍ତିତ୍ୱ କହିଲେ ତାହାର ସ୍ୱଭାବ , ପାରିବାରିକ ଓ ସମାଜଗତ ସଂସ୍କୃତି ଶିକ୍ଷା, ଅଭିଜ୍ଞତା ପ୍ରଭୃତି ଅନେକ କଥା ଜଣାପଡ଼େ । ପୃଥିବୀର ସବୁ ମନୁଷ୍ୟଙ୍କ ମଧ୍ୟରେ ଏକତ୍ୱ ଥାଇ ପରସ୍ପରର ପାର୍ଥକ୍ୟ ଥିଲା ଭଳି ଏକ ଅର୍ଥ ପ୍ରକାଶକ ବିଭିନ୍ନ ଲୋକଙ୍କ ଭାଷା ମଧ୍ୟ ବିଭିନ୍ନ । ଆତ୍ମା ଯେପରି ବିଭିନ୍ନ ଶରୀରରେ ବିଭିନ୍ନ ପ୍ରକାରେ ପ୍ରକାଶ ପାଏ ଅର୍ଥ ସେପରି ଭାଷାର ବିଭିନ୍ନ ରୂପରେ ପ୍ରକାଶ ପାଏ । ଏକ ଅର୍ଥକୁ ଶାରଳା ଦାସ ଏକ ପ୍ରକାର କହିଲେ ଓ ରାଧାନାଥଙ୍କ ଅନ୍ୟ ପ୍ରକାରେ କହିଲେ । ରାଧାନାଥଙ୍କ ଅଭିବ୍ୟକ୍ତିଟି ବଡ଼ କୋମଳ ଜଣାଯାଏ । ବିଭିନ୍ନ ମନୁଷ୍ୟଙ୍କର ସ୍ୱଭାବ, କୋମଳତା ଓ କର୍କଶତା ଭେଦରେ ବିଭିନ୍ନ; ସ୍ୱର ଓ ଭାଷା ମଧ୍ୟ ସେପରି ବିଭିନ୍ନ । ଯାହାର ସ୍ୱଭାବ କୋମଳ ସେ କାହାରିଠାରୁ କୋମଳ ଭାଷା ଶୁଣିଲେ ବା କୌଣସି ପୁସ୍ତକରୁ ପଢ଼ିଲେ ତାହା ସହଜରେ ମନେ ରଖେ । ବୃଥା କହିବା ବେଳେ ସେହି ଭାଷା ବ୍ୟବହାର କରିବାରୁ ତାହାର କଥା କୋମଳ ହୁଏ । ଏଣୁ ରାଧାନାଥଙ୍କ ଶୈଳୀ ସର୍ବତ୍ର କୋମଳ ହୋଇ ଥିବାରୁ ତାହାଙ୍କର ସ୍ୱଭାବ କୋମଳ ବୋଲି ବୁଝିବାକୁ ହେବ । ଲଳନାଙ୍କ କୋମଳ ରୂପ .ଯୁବକଙ୍କ କଠିନ ହୃଦୟକୁ ତରଳାଇ ଦିଏ । ମହାତ୍ମା ଗାନ୍ଧୀଙ୍କ ଅହିଂସା-ମନ୍ତ୍ର ଶୁଣି ମୃତପ୍ରାୟ ବ୍ୟକ୍ତିର ହୃଦୟରେ ବୀରତ୍ୱର ଶିଖା ଜଳିଉଠେ । କୋମଳ ଭାଷା ମର୍ମସ୍ପର୍ଶୀ ହୁଏ । ରାଧାନାଥ କହି ଅଛନ୍ତି–

“ଏଡ଼େ ମାୟା ପ୍ରାଣେ ଯେବେ ତେଜି ରଣଭୂମି,

ସଂଖାଳି ସ୍ୱରୂପେ ତୁମ୍ଭ ରଙ୍କ ପ୍ରାଣ ନେଇ,

ବାନ୍ଧି ରଖ ଗୃହେ ଯାଇ ନାରୀ-ବସ୍ତ୍ରାଞ୍ଚଳେ,

ହେ ନରୀଏ, ଘୂଣାକ୍ଷରେ ନର ଦେହଧାରୀ !

ବାହୁଡ଼ ସ୍ୱଗୃହେ ବେଗେ କଳଙ୍କିତ ମୁଖେ,

ଲାଙ୍ଗୁଳ ସଂକୋଚି ଶ୍ୱାନ ପଳାଏ ଯେସନେ,

ଅଇଁଠା ଗୋଇଠା ଭୋଗୀ ସେହି ଶ୍ୱାନ ପରି

ପ୍ରସାଦାର୍ଥୀ ହୁଅ ଯାଇ ଯବନ ଦୁଆରେ ।” (ମହାଯାତ୍ରା)

ଏହାର ଭାଷା ଯେପରି କୋମଳ ସେପରି ଓଜସ୍ୱିନୀ । ସୈନ୍ୟମାନଙ୍କ ପ୍ରସ୍ତାବ ଅସଙ୍ଗତ ବୋଲି ପୃଥୀରାଜ କ୍ରୋଧ ପ୍ରକାଶ କରିନାହାଁନ୍ତି । ସେହି ପ୍ରସ୍ତାବ ଅନୁସାରେ କାର୍ଯ୍ୟ କଲେ ପରିଣାମ କଅଣ ହେବ ତାହା କହି କର୍ତ୍ତବ୍ୟ ବାଛିବା ପାଇଁ ସୈନ୍ୟମାନଙ୍କୁ ସ୍ୱାଧିନତା ଦେଲେ । ତୁମେ ‘ଅନ୍ୟାୟ କଲ’ କହିଲେ ଭାଷା କର୍କଶ ହୁଏ । ‘ତୁମ କାର୍ଯ୍ୟ କେହି ପସନ୍ଦ କରୁନାହାନ୍ତି ‘କହିଲେ ସେହି କଥା କୋମଳ ହୁଏ । କାହିଁକି ? ଆତ୍ମା ଅନ୍ୟାୟ କାମ କରିବା ପାଇଁ କେବେ ପ୍ରବୃତ୍ତି ହୁଏ ନାହିଁ । ଇନ୍ଦ୍ରିୟମାନେ ବା ଶରୀର ଅନ୍ୟାୟ ନିମନ୍ତେ ଦାୟୀ । ‘ତୁମେ ଅନ୍ୟାୟ କଲ’ କହିଲେ ଶ୍ରୋତାର ଆତ୍ମା ତହିଁରେ ଲିପ୍ତ ହେବାରୁ ବକ୍ତାର ଅଜ୍ଞତା ଜାଣି ନ୍ୟାୟ-ଅନ୍ୟାୟ ବିଚାର ପ୍ରତି ଆତ୍ମା ଉଦାସୀନ ରହେ ଜ୍ଞାନୀଠାରୁ ଉପଦେଶ ଶୁଣିବା ପାଇଁ ଆଗ୍ରହ ଜନ୍ମେ । ମୂର୍ଖର ଉପଦେଶ କିଏ ଶୁଣିବ ? ସେପରି ‘ତୋ ଶରୀରରେ ଅଂଶାଇ ପଡ଼ିଛି’ । କହିଲେ ଭାଷା ବେଶୀ ମନୋହର ହୁଏ ନାହିଁ । ବିଶେଷତଃ କଥା ଶୁଣି ଘୃଣାର ଉଦ୍ରେକ ହୁଏ । କିନ୍ତୁ ‘ଦର୍ପଣରେ ମୁଖ ଦେଖି କଥା କହ କହିଲେ ଭାଷାରେ କୌଣସି ଦୋଷ ନ ରହି ତହା କୋମଳ ହୁଏ । କଥାରେ ପ୍ରଚଳିତ ହାତଶଙ୍ଖା-ଦର୍ପଣ କଥାକୁ ରାଧାନାଥ ବ୍ୟବହାରୋପଯୋଗୀ କଲେ ଏପରି ଶୈଳୀରେ କଳାର ପ୍ରକାଶ ହୁଏ । ଏଣୁ ରାଧାନାଥଙ୍କ ଭାଷାରେ ତାହାଙ୍କ ଶୈଳୀକୁ କହିବାକୁ ହେବ–

“ସୂର୍ଯ୍ୟକାନ୍ତ ଯଥା ପରଶେ ଶୀତଳ

ତେଜସ୍ୱି ଦର୍ଶନେ ହୁଏ ଉର୍ଜସ୍ୱଳ”

ପୃଥ୍ୱୀରାଜ ସୈନ୍ୟମାନଙ୍କ ମନ୍ତ୍ରଣାକୁ ଧିକାର କଲେ । କିନ୍ତୁ ସୈନ୍ୟମାନଙ୍କୁ ଧିକାର କରି ନାହାନ୍ତି । କାହାରି କାର୍ଯ୍ୟକୁ ଜ୍ଞାନୀ ନିନ୍ଦା କରିପାରେ । କିନ୍ତୁ ବ୍ୟକ୍ତିତ୍ୱକୁ ସେ କେବେ ନିନ୍ଦା କରିବ ନାହିଁ । ବିଶେଷ କହିବାର ପ୍ରୟୋଜନ ନାହିଁ । ଯେଉଁମାନେ ପିତୃଭକ୍ତ ପୁତ୍ରଙ୍କ ‘ପିତୃସ୍ମୃତି’ ପଢ଼ିଛନ୍ତି ରାଧାନାଥ ଦୁଃଖିର ଦୁଃଖରେ କିପରି ତରଳି ଯାଉଥିଲେ ତାହା ସେମାନେ ଜାଣନ୍ତି । ପୁଣି ଦରବାର କବିତାରେ ତାହାଙ୍କର କୋମଳ ପ୍ରାଣ ପ୍ରତିଫଳିତ ।

ଲାବଣ୍ୟ ବତୀ ସହ ଚନ୍ଦ୍ର ଭାନୁର ଓ ରାଧାଙ୍କ ସହ ଶ୍ରୀକୃଷ୍ଣଙ୍କର ନିଶାରେ ପ୍ରଥମ ଭେଟ ଏକ ଛନ୍ଦରେ ଏକ ରୀତିରେ ବର୍ଣ୍ଣିତ ହୋଇ ଥିଲେ ମଧ୍ୟ ଚିନ୍ତାଶୀଳ ପାଠକ ଦୁଇ କବିଙ୍କ ବର୍ଣ୍ଣନା ମଧ୍ୟରେ ପାର୍ଥକ୍ୟ ଅନୁଭବ କରେ । ଅଭିମନ୍ୟୁ ଉପେନ୍ଦ୍ରଭଞ୍ଜଙ୍କୁ ସମ୍ପୂର୍ଣ୍ଣରୂପେ ଅନୁକରଣ କରି ଏହି ଛନ୍ଦ ରଚନା କରି ଥିଲେ ମଧ୍ୟ ଏଥିରେ ତାହାଙ୍କର ଯେପରି କୋମଳ ହୃଦୟ ପ୍ରତିଫଳିତ ହୋଇ ଅଛି ଉପେନ୍ଦ୍ରଭଞ୍ଜଙ୍କ ରଚନାରେ ସେପରି ହୋଇ ନାହିଁ ।

ସଭ୍ୟତା ବିକାଶ-ପଥରେ ଅଗ୍ରସର ହେଉଅଛି କିପରି ? ପିତାଠାରୁ ପୁତ୍ର ଜାତ ହେବା ଭଳି ଅତୀତ ସଭ୍ୟତାରୁ ନୂତନ ସଭ୍ୟତା ଗଢ଼ି ଉଠୁଅଛି । ମୋଟର ଗାଡ଼ିରୁ କଳ ସମ୍ବନ୍ଧରେ ଯେଉଁ ମାନଙ୍କର ଜ୍ଞାନ ଥିଲା ସେମାନେ ସେହି ଜ୍ଞାନକୁ ବ୍ୟୋମଯାନର କଳ ଉଭାବନ କରିବାରେ ଲଗାଇଲେ । ମୋଟରଗାଡ଼ିରୁ ବ୍ୟୋମଯାନର ଉତ୍ପତ୍ତି କୁହାଯାଇ ପାରେ । ସେପରି ଅନ୍ତରର ସୌନ୍ଦର୍ଯ୍ୟ ଫୁଟାଇବା ସାହିତ୍ୟର ଲକ୍ଷ୍ୟ ହୋଇଥିବାରୁ ଓ ସମସ୍ତଙ୍କର ଅନ୍ତରର ପ୍ରକୃତି ଏକ ପ୍ରକାର ହୋଇଥିବାରୁ ଏକ ଦେଶର କୌଣସି କବି କୌଣସି ନୂତନ ସୌନ୍ଦର୍ଯ୍ୟ ଫୁଟାଇଲେ ଅନ୍ୟ ଦେଶର କବି ତାହାକୁ ଅନୁକରଣ କଲେ ପ୍ରଶଂସନୀୟ । କିନ୍ତୁ ତାହାକୁ ଜାତୀୟ ଜୀବନର ଅନୁରୂପ କରିବାକୁ ହେବ । ଏକ ଦେଶର ଜଣେ କବି ସେହି ଦେଶର ଅତୀତ କବି ଫୁଟାଇଥିବା କୌଣସି ସୌନ୍ଦର୍ଯ୍ୟକୁ ସୁନ୍ଦରତର ମଧ୍ୟ କରେ । ସେକ୍ସ ପିୟର କହିଥିଲେ କାମ କରୁଥିବା ବେଳେ ଆନନ୍ଦ ଥାଏ, କାମ ସରିଲେ ଆନନ୍ଦ ଗଲା (Th।ng won are done; joy’s soul l।es ।n the do।ng) ଏହି କଥାକୁ କୀଟସ୍ ଆହୁରି ସୁନ୍ଦର କରି ପ୍ରକାଶ କରି ଅଛନ୍ତି । ରାଧାନାଥ ମଧ୍ୟ ତାହାକୁ ପ୍ରକାଶ କରି ଅଛନ୍ତି–

“ସୁଖ ଆସେ ଭୋଳ ସରବେ ଏ କାଳେ

ସୁଖ ତ, ଭବେ କ୍ଷଣିକ,

କିଏ ନ ଜାଣଇ ସୁଖଠାରୁ ସୁଖ-

ଆଶାରେ ସୁଖ ଅଧିକ ।”

ରାଧାନାଥଙ୍କର ଏହି କଥାରେ ନୂତନତ୍ୱ ନାହିଁକି ? ରାଧାନାଥ କହି ଅଛନ୍ତି ଯେ ସୁଖ-ଲାଭ ଆଶା କରୁଥିବା ପର୍ଯ୍ୟନ୍ତ ସମସ୍ତେ ସୁଖ ଅନୁଭବ କରନ୍ତି ବୋଲି ସମସ୍ତେ ଜାଣନ୍ତି । ସମସ୍ତେ ଜାଣନ୍ତି ବୋଲି ଇଂରେଜ କବିମାନେ କହି ନାହାନ୍ତି । ପ୍ରଣୟୀ ପ୍ରଣୟିନୀ ପରସ୍ପରର ମିଳନ ଆଶା ବହିଥିବା ପର୍ଯ୍ୟନ୍ତ ଯେଉଁ ଆନନ୍ଦ ଅନୁଭବ କରୁଥାଆନ୍ତି ମିଳନ ଉତ୍ତାରୁ ତାହା ଚାଲିଯାଏ ବୋଲି ସେମାନେ ଜାଣନ୍ତି । ଜିହ୍ୱାର ତୃପ୍ତିକର ଖାଦ୍ୟ ଖାଇବା ଆଶାରେ ଆନନ୍ଦ ଅନୁଭବ କରି ଖାଇ ସାରିବା ଉତ୍ତାରେ ସେ ଆନନ୍ଦ ଚାଲିଯାଉଥିବାର ମଧ୍ୟ ଅନେକ ଲୋକ ଜାଣନ୍ତି । ଏଣୁ ‘ସମସ୍ତେ ଜାଣନ୍ତି’ କହିବାରେ ରାଧାନାଥ ନୂତନ ସତ୍ୟ ପ୍ରକାଶ କରି ନାହାନ୍ତି କି ? ପ୍ରାଚୀନ ସଂସ୍କୃତ ସାହିତ୍ୟ ପଢ଼ି ନ ଥିଲେ ‘ଆଶା’ ଶବ୍ଦଟି ସେ ବ୍ୟବହାର କରି ପାରି ଥାଆନ୍ତେ କି ? ରାଧାନାଥଙ୍କ ବ୍ୟକ୍ତିତ୍ୱ ଏଥିରେ ପ୍ରକାଶ ପାଇଥିବା, ଆଉ ବୁଝାଇବାକୁ ହେବ ? କାଳିଦାସଙ୍କ “ଆଶାବନ୍ଧୋ କୁସୁମ ସଦୃଶଂ” ଶ୍ଳୋକ ଏଠାରେ ତୁଳନା କରାଯାଇ ପାରୁ ନାହିଁ ।

ମାତୃଭାଷାର ଉନ୍ନତି ପାଇଁ ଆଧୁନିକ ଓ ପୁରାତନ ସାହିତ୍ୟ ପଢ଼ିବାର ପ୍ରୟୋଜନ ଅଛି ବୋଲି ଡ୍ରାଇଡ଼େନ (Dryden) ମଧ୍ୟ କହିଅଛନ୍ତି (। trade w।th the l।v।ng and the dead for the enr।chment of our nat।ve language). ଆହୁରି ମଧ୍ୟ ସେ କହି ଅଛନ୍ତି–ମନୋହର ଅଭିବ୍ୟକ୍ତି ସବୁ ଭାଷାରେ ସୁଖପାଠ୍ୟ (A th।ng well sa।d w।ll be w।t ।n all languages).

 

ପୃଥିବୀରେ ନୂଆ ସତ୍ୟ କହିବା ପାଇଁ କିଛି ନାହିଁ । ସତ୍ୟର କେବଳ ରୂପ ବଦଳୁ ଅଛି । ପ୍ରାଚୀନ କାଳରେ ଅନେକ ମହାପୁରୁଷ ଧର୍ମନୀତିରେ ଅହିଂସା-ମନ୍ତ୍ର ଘୋଷଣା କରିଥିଲେ । ଏବେ ମହାତ୍ମା ଗାନ୍ଧୀ ରାଜନୀତିରେ ତାହାକୁ ଘୋଷଣା କରି ନୂତନ ରୂପ ଦେଲେ । ଅତୀତ ଯୁଗରେ ସେପରି ଧର୍ମନୀତିରେ ସାମ୍ୟବାଦ ପ୍ରଚାରିତ ହେଉଥିଲା; ବର୍ତ୍ତମାନ ଅର୍ଥନୀତିରେ ପ୍ରଚାରିତ ହୋଇ ତାହାର ରୂପ ବଦଳୁ ଅଛି । ଏହିପରି ସତ୍ୟର ରୂପ ବଦଳି ବଦଳି ତାହାର ପ୍ରକାଶ ଦିନକୁ ଦିନ ଅଧିକତର ବାସ୍ତବ ହେଉଅଛି । ଆତ୍ମୀୟ-ସ୍ୱଜନଙ୍କ ଠାରୁ ଶିଶୁ ଯେପରି ଭାଷା ଶିଖେ ନାନା ଗ୍ରନ୍ଥ ପଢ଼ି ସେପରି ମନୁଷ୍ୟ ସତ୍ୟଜ୍ଞାନ ଅର୍ଜନକରେ । ତାହାକୁ ନୂତନ ରୂପରେ ପ୍ରକାଶ କରି ପାରିଲେ ତାହାର ସୃଜନ-ଶକ୍ତିର ପରିଚୟ ମିଳେ । James Scott ଙ୍କ The mak।ng of l।terature, Qu।ller Arthur ଙ୍କ The art of wr।t।ng ଓ ଅନ୍ୟାନ୍ୟ ପ୍ରାଚ୍ୟ ପାଶ୍ଚାତ୍ୟ ଗ୍ରନ୍ଥମାନ ପଢ଼ି ନ ଥିଲେ ଏହି ପ୍ରବନ୍ଧ ଲେଖିବା ଲେଖକ ପକ୍ଷରେ ଅସମ୍ଭବ ହୋଇଥାଆନ୍ତା । ଏହିପରି ନ ପଢ଼ି କେହି ବଡ଼ କବି ହୋଇ ପାରି ନାହିଁ ।

 

‘ମନୁଷ୍ୟ ନିଜେ ନିଜ ଦୁଃଖର କାରଣ’–ଏହି କଥା ପ୍ରାଚୀନ ଧର୍ମଗ୍ରନ୍ଥ ପଢ଼ି ବୁଝିଥିବାରୁ ତାହାକୁ ପ୍ରାଣସ୍ପର୍ଶୀ ଭାଷାରେ ଜଗନ୍ନାଥ ଦାସ ଅଭିବ୍ୟକ୍ତ କଲେ–

 

“ଆପଣା ହସ୍ତେ ଜିହ୍ୱା ଛେଦି,

କେ ଅଛି ତା’ର ପ୍ରତିବାଦୀ ।”

 

Byron ମଧ୍ୟ ନିଜ ଦେଶର ଧର୍ମଗ୍ରନ୍ଥ ପଢ଼ି ସେହି କଥା ବୁଝି ଅନ୍ୟ ପ୍ରକାରେ କହି ଅଛନ୍ତି–“The man ।s author of h।s own d।sgrace” । ସତ୍ୟର ପ୍ରଚାର କରିବା କବିର ଲକ୍ଷ୍ୟ । ସେ ଯେ କୌଣସି ସାହିତ୍ୟ ପଢ଼ି ସତ୍ୟ-ଜ୍ଞାନ ଲାଭକରି ନୂତନ ରୂପରେ ପ୍ରକାଶ କରିପାରେ । ଏଣୁ ରାଧାନାଥ ପ୍ରାଚୀନ ଓଡ଼ିଆ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀ କାବ୍ୟମାନ ପଢ଼ି ତହିଁରୁ ମଧୁ ସଂଗ୍ରହ କରି ବାଣ୍ଟି ଅଛନ୍ତି ।

 

“ଗନ୍ଧାମୋଦେ ଅନ୍ଧ ହୋଇ ଅଳିକୁଳ

ଗୁଞ୍ଜରି ବାମାକୁ କରନ୍ତି ଆକୁଳ ।”

“ଶମୀ ଛେଦିବାକୁ ଲୋଡ଼ିଲେ ସିନା ସେ

ନୀଳୋହଳ ଦଳ ଧାରେ ।”

 

ଏହିପରି ଅଭିବ୍ୟକ୍ତି-ସୌନ୍ଦର୍ଯ୍ୟ ରାଧାନାଥ କାଳିଦାସଙ୍କ କବିତାରୁ ସଂଗ୍ରହ କଲେ ମଧ୍ୟ ତହିଁରେ ନିଜ ବ୍ୟକ୍ତିତ୍ୱର ପରିଚୟ ଦେଇଅଛନ୍ତି । କାଳିଦାସ ବିକ୍ରମୋବଂର୍ଶି ନାଟକରେ କହିଲେ “ଶତଥି ପଭବନ୍ତସ୍‍ସ ଅବରାହୋ” ଅର୍ଥାତ୍ ପ୍ରଭାବଶାଳୀର ଅପରାଧ ନାହିଁ । କିନ୍ତୁ ରାଧାନାଥ କହିଲେ–

 

“ଧନ୍ୟ ରେ ସଂସାର ପ୍ରବଳର ଯହିଁ

ସବୁ କଥାରେ ସୁଯୋଗ,

ଦୁର୍ବଳର ଯହିଁ ଲଲାଟ-ଲେଖନ

ନୀରବେ ଲାଞ୍ଛନା ଭୋଗ ।”

 

ଦୁଇ ଅଭିବ୍ୟକ୍ତିକୁ ତୁଳନା କରି ଆମେ ଉଭୟଙ୍କ ବ୍ୟକ୍ତିତ୍ୱର ପାର୍ଥକ୍ୟ ବୁଝି ପାରିବୁ, ଏହିପରି ତୁଳନା କରିବା ନିମନ୍ତେ ଇଂରେଜ କବିମାନଙ୍କ ଅଭିବ୍ୟକ୍ତି ସହିତ ରାଧାନାଥଙ୍କ ଅଭିବ୍ୟକ୍ତିର ସାମଞ୍ଜସ୍ୟ ଥିବା କେତୋଟି ଉଦାହରଣ ଏଠାରେ ଦିଆଯାଉଅଛି ।

 

“All the world’s a stage,

And all the men and women are players,

They have the।r ex।ts and entrances.”

(Shakespeare–As you l।ke ।t)

“କେହି ରହି ନାହିଁ ରହିବେ ନାହିଁଟି

ଭବରଙ୍ଗ ଭୂମି ତଳେ,

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳ ବଳେ । (ପାର୍ବତୀ)

But that the dread of someth।ng after death, the und।scovered country from wh।ch born, No traveller returns.

(Shakespeare–Hamlet)

 

‘‘ମାଆ ତୁ ପଶିଛୁ ସେ ଦେଶେ ଯେ ଦେଶୁ

ବାହୁଡ଼ି ନ ଆସେ କେହି ।” (ପାର୍ବତୀ)

“The earth has bubbles, as the water has.”

(Shakespear–Macbeth)

 

“ସର୍ବେ ଯିବ ଭାଇ ଉଭେଇ ଅଶରେ

ବୁଦ୍ ବୁଦ୍ ପରାୟେ ଏହି ନଦୀ-ନୀରେ ।

ଅଖଣ୍ଡ ଦଣ୍ଡାୟମାନ କାଳ-ସିନ୍ଧୁ

ମଧ୍ୟେ ବିନ୍ଦୁ ରହି ନୁହ ଏକ ବିନ୍ଦୁ ।” (ଦରବାର)

। am at war “tw।st w।ll and w।ll not.”

(Shakespeare–Macbeth)

“ବସି ଅଳ୍ପୋଦରୀ ସଂଶୟ-ଦୋଳାରେ

ସୁକୁମାରୀ ଘାରି ହେଉଥିଲା ମାରେ ।” (ନନ୍ଦକେଶ୍ୱରୀ)

“Stare of lad।es, whose br।ght eyes ra।n ।nfluence.” (M।lton)

“ଯେଣେ ଅନାଉଛ ଲଳନା

ଫୁଲ ଯାଏ ବରଷି ।” (ଚନ୍ଦ୍ରଭାଗା)

“And though her body d।e, her fame surv।ves“ (M।lton)

“ତୁମ୍ଭ ମାଟି-ଦେହ ଗ୍ରାସିଛି ଶ୍ମଶାନ

ମାତ୍ର ଯଶୋ ଦେହେ ତୁମ୍ଭେ ଆୟୁଷ୍ମାନ ।” (ଚିଲିକା)

 

“A th।ng of beauty ।s a joy for ever;

।ts lovel।ness ।ncreases;

।t w।ll never pass ।nto noth।ngness.”

(Keats–Endyom।ness)

 

“ଦୁଷ୍ଟପୂର୍ବ ହୋଇ ଅଦୃଷ୍ଚ ପ୍ରତୀତ

ସୁନ୍ଦରପଣର ଚିରନ୍ତନ ରୀତି ।

ସୁନ୍ଦରେ ତୃପ୍ତିର ଅବସାନ ନାହିଁ

ଯେତେ ଦେଖିଲେହେଁ ନୂଆ ଦିଶୁଥାଇ ।” (ଚିଲିକା)

 

ଏହି ସବୁ ଦୃଷ୍ଟାନ୍ତ ଅଲୋଚନା କଲେ ଜଣାଯାଏ ଯେ, ରାଧାନାଥ ଇଂରେଜୀ ସାହିତ୍ୟ ପଢ଼ି ତାହାର ସୌନ୍ଦର୍ଯ୍ୟ ହୃଦୟଙ୍ଗମ କରିଥିଲେ । ଆହୁରି ମଧ୍ୟ ଆମ ଦେଶର ପ୍ରାଚୀନ ସାହିତ୍ୟ ପଢ଼ି ଅଭିବ୍ୟକ୍ତିରେ ସୌନ୍ଦର୍ଯ୍ୟ ଫୁଟାଇବାର ବିଧି ଶିଖିଥିବାରୁ ଅନ୍ଧ ପରି ଇଂରେଜୀ ଶବ୍ଦ ବଦଳରେ ଓଡ଼ିଆ ଶବ୍ଦ ଥୋଇନାହାନ୍ତି । ଆମର ପ୍ରାଣସ୍ପର୍ଶୀ ହେବା ଭଳି ଭାଷାରେ ସୌନ୍ଦର୍ଯ୍ୟକୁ ମୂର୍ତ୍ତିମାନ କରିଅଛନ୍ତି ।

 

“କ୍ଷଣେ କ୍ଷଣେ ଯନ୍ନବତାମୂପୈତି

ତଦେବ ରୂପ ରମଣୀୟତାୟାଃ ।”

 

ମାଘ କବିଙ୍କର ଏହି ଉକ୍ତି ନ ଜାଣିଥିଲେ ଇଂରାଜୀ ଶବ୍ଦ ବଦଳରେ ଓଡ଼ିଆ ଶବ୍ଦ ରାଧାନାଥ ଥୋଇ ଦେବା ଅସମ୍ଭବ ହୋଇ ନ ଥାନ୍ତା । ତାହା ହେଲେ ଏଠାରେ ତାହାଙ୍କର ବ୍ୟକ୍ତିତ୍ୱର ପରିଚୟ ମିଳୁନାହିଁ କି ?

 

ମିଲିଟନ (M।lton) କହିଥିଲେ ପ୍ରଭାତ ଦିବସ ସୁଚାଇବା ଭଳି ଶୈଶବ ମନୁଷ୍ୟତ୍ୱର ସୂଚନାକରେ । (The ch।ldhood shows the man, as the morn।ng shows the day.) ଏହି କଥାକୁ ଗୀତ କବିତାରେ ସୁନ୍ଦରତର ରୂପେ ଉଆର୍ଡସ୍ ଉଆର୍ଥ (Mordsworth) ମୂର୍ତ୍ତିମାନ କରି ଶିଶୁ ମନୁଷ୍ୟର ପିତା (The ch।ld ।s father of the man) ବୋଲି କହିଲେ । କାବ୍ୟର ଖଣ୍ଡ ସତ୍ୟକୁ ଗୀତ କବିତାରେ ସଂପୂର୍ଣ୍ଣ ମୂର୍ତ୍ତିମାନ କରାଯାଏ । ଦେଶର ଢଗ-ପ୍ରବଚନରେ ସତ୍ୟର ସୌନ୍ଦର୍ଯ୍ୟ ଥାଏ । ତାହାକୁ ମଧ୍ୟ କାବ୍ୟରେ ବା ଗୀତି-କବିତାରେ ଫୁଟାଇବାକୁ ହୁଏ । “ତୁଳସୀ ଦି’ ପତ୍ରରୁ ବାସେ, ବିଛୁଆତି ଦି’ ପତ୍ରରୁ କୁଣ୍ଡେଇ ହୁଏ”–ଏହି କଥାକୁ ମର୍ମସ୍ପର୍ଶୀ ହେବା ଭଳି ଓଡ଼ିଆରେ କେହି କବିତା ଲେଖି ନାହାନ୍ତି । ଏହି କଥାଗୁଡ଼ିକ ସର୍ବସାଧାରଣଙ୍କର ହୃଦୟଙ୍ଗମ ହେବାପାଇଁ କବି ଚେଷ୍ଟା ନ କଲେ ଜାତୀୟ ଜୀବନ ସଙ୍ଗେ ତାହାର କବିତାର କୌଣସି ସଂସ୍ରବ ନ ରହି ସୁନ୍ଦର ହୋଇପାରିବ ନାହିଁ ।

କଳାର ପ୍ରକାଶରେ ସର୍ବସାଧାରଣଙ୍କୁ ଆନନ୍ଦ ଉପଭୋଗ କରାଇବା ଶିଳ୍ପୀର ଲକ୍ଷ୍ୟ ହୋଇଥିବାରୁ ଆଧୁନିକ ଯୁଗରେ ସରଳ ଭାଷାରେ ଗଣ-ସାହିତ୍ୟ ଗଢ଼ାହୋଇଅଛି । ଏହା ବୋଲି ବଜାର-ପ୍ରଚଳିତ କୌଣସି ବିଚିତ୍ର ଶବ୍ଦ ବା ବଙ୍ଗଳା ‘ବାଦଲ’, ’ହାସ୍‍ନାହେନା’ ପ୍ରଭୃତି ଶବ୍ଦ ବ୍ୟବହାର କଲେ ଭାଷା ସରଳ ହୁଏ ନାହିଁ । ରାଧାନାଥଙ୍କ ପରି ସରଳ ଭାଷାର ସୌନ୍ଦର୍ଯ୍ୟ ଫୁଟାଇବାକୁ ହେବ । ଉଦାହରଣ ନଦେଲେ କଥାଟା ବୁଝାଯିବନାହିଁ ।

୧ମ–

“ଆନ ବୋଲେ ମୁହିଁ ଅଟଇ ପୁଲିସ

 

ବିନା ମେଘେ ସୃଜି ପାରଇ କୁଳିଶ ।” (ଦରବାର)

୨ୟ–

“ସବୁ ଦେଶେ ସବୁ କାଳେ ଊର୍ଦ୍ଧ୍ୱମୁହାଁ

 

ହୋଇଥାନ୍ତି ସିନା ଶ୍ରୀଛାମୁ-ଛାମୁଆ ।” (ଦରବାର)

୪ର୍ଥ–

“କେହି ନ ଶୁଣିଲେ ବାହୁନି ବାହୁନି

 

କଲି ମୁଁ ଯେତେ ବିଳାପ,

 

କୃପା ବହି ଆଶୁ ମୃତ୍ୟୁ ବହିବାକୁ

 

ନ ଥିଲେ ସେ କୂପେ ସାପ ।” (ପାର୍ବତୀ)

୫ମ–

“ମୁହଁ ମାଡ଼ି କାଳେ କଚାଡ଼ି

 

ବାଳା ପଡ଼ିବୁ ଝୁଣ୍ଟି,

 

କୁଶାଙ୍କୁର ଯିବ କୋମଳ

 

ଚାରୁ ଚରଣେ ଫୁଟି ।” (ଚନ୍ଦ୍ରଭାଗା)

 

କାରଣ ନ ଥାଇ କାର୍ଯ୍ୟର ଉତ୍ପତ୍ତି କରାଇପାରେ ବୋଲି ବିଭାବନା ଅଳଙ୍କାରରେ ପୁଲିସିର ସ୍ୱଭାବ ଚିତ୍ରିତ ହୋଇଥିବା ପ୍ରଥମ ଦୃଷ୍ଟାନ୍ତଟି ପ୍ରାଣସ୍ପର୍ଶୀ । ସାହିତ୍ୟ ଜୀବନର ସମାଲୋଚନା ଅଟେ । ସମାଲୋଚନା କରି ହାକିମାନଙ୍କ ଚପରାସିଙ୍କ ସ୍ୱଭାବ ଚିତ୍ର କରିଥିବାରୁ ଦ୍ୱିତୀୟ ଉଦାହରଣ ମଧ୍ୟ ମନୋହର । ଏଥିରେ ଊର୍ଦ୍ଧ୍ୱମୁହଁ ଶବ୍ଦଟି ବ୍ୟବହୃତ ହୋଇ କଳା-କୌଶଳ ପ୍ରକାଶ କରୁଅଛି । ଦୁଃଖ ସୀମାତୀତ ହେଲେ ସର୍ପାଘାତ ପ୍ରଭୃତି ଦ୍ୱାରା ମନୁଷ୍ୟ ଅପମୃତ୍ୟୁ କାମନାକରେ । ଅନ୍ତରର ସେହି ସ୍ୱଭାବ ଅର୍ଥାତ କରୁଣ-ରସର ଚରମ ଚିତ୍ର ତୃତୀୟ ଉଦାହରଣରେ ଥିବାରୁ ତାହା ମୃଗୁକର । କାହାକୁ ଆପଣାର କରିବା ପାଇଁ ଚେଷ୍ଟା କଲାବେଳେ ତାହାର ଦୁଃଖ ଦେଖି ସମବେଦନା ପ୍ରକାଶ କରିବା ଅନ୍ତରର ସ୍ୱଭାବ । କିନ୍ତୁ ଦୁଃଖ ନଥିବା ବେଳେ ଭାବୀ ଦୁଃଖର ଆଶଙ୍କା ଦେଖାଇ ସମବେଦନା ପ୍ରକାଶ କରିବା ଶଠତା ଛଡ଼ା କିଛି ନୁହେଁ । ଯାହା ହେଉ ଚତୁର୍ଥ ଉଦାହରଣରେ ସ୍ୱଭାବ ଯଥୋଚିତରୂପେ ବର୍ଣ୍ଣିତ ହୋଇଥିବାରୁ ତାହା ପ୍ରୀତିକର । ଏଭଳି ରାଧାନାଥଙ୍କର ଅନେକ ନୂତନତ୍ୱ ଅଛି । ଜୀବନରେ ଅଭିଜ୍ଞତା ନ ଥିଲେ ଏପରି ଚିତ୍ର କରିବା ଅସମ୍ଭବ । ସେ ଯେଉଁ ସମାଜରେ ଚଳୁଥିଲେ ତାହାର ଚିତ୍ର ମଧ୍ୟ “ଦରବାର” କବିତାରେ ଅଛି ।

 

ବର୍ତ୍ତମାନ ପ୍ରଶ୍ନ ଉଠିପାରେ–ଶିଳ୍ପରେ କରୁଣ-ରସର ଚିତ୍ର ବେଶୀ ମୁଗ୍ଧକର ହୁଏ କାହିଁକି-? ଶୋକର ଛବି ଦେଖିବା ବର୍ଣ୍ଣନା ପଢ଼ି ଦୁଃଖ ଛଡ଼ା ଜୀବନ ନାହିଁ ବୋଲି ଜ୍ଞାନ ଜନ୍ମି ସାନ୍ତ୍ୱନା ପାଇଥିବାରୁ ଦୁଃଖର ଚିତ୍ର ପ୍ରତି ମନୁଷ୍ୟ ଅନୁରକ୍ତ ହୁଏ–ଏହା ପାଶ୍ଚାତ୍ୟ କଳା-ଦାର୍ଶନିକଙ୍କର ମତ । କିନ୍ତୁ ଏ ମତଟି ଯଥାର୍ଥ ପ୍ରତୀତ ହୁଏ ନାହିଁ । ପୃଥିବୀରେ ଅନେକ ସାଧିୁ ଲୋକ ପରର ଦୁଃଖ ମୋଚନ କରି ଆନନ୍ଦ ଅନୁଭବ କରୁଥିବାରୁ ପରର ଦୁଃଖ ପ୍ରତି ସମବେଦନା ପ୍ରକାଶ କରି ତୃପ୍ତି ଅନୁଭବ କରିବା ଆତ୍ମାର ସ୍ୱଭାବ ବୋଲି ଜଣାଯାଏ । କିନ୍ତୁ ସମସ୍ତଙ୍କ ଜୀବନରେ ଏହି କୋମଳ ସ୍ୱଭାବର ପ୍ରକାଶ ଘଟେ ନାହିଁ । କବିତା ବା ଛବି କୋମଳ ମନୋବୃତ୍ତିର ଉଦ୍ଦୀପକ ହୋଇଥିବାରୁ ତାହା ଦ୍ୱାରା ପରର ଦୁଃଖରେ ସମବେଦନା ପ୍ରକାଶ କରିବା ସ୍ୱଭାବ ଜାଗରିତ ହୁଏ । ଏଣୁ କରୁଣ-ରସର ବର୍ଣ୍ଣନା ପଢ଼ିବା ଚିତ୍ର ଦେଖି ନୀରବ ଅଶ୍ରୁ ଢାଳି ମନୁଷ୍ୟ ସମବେଦନା ପ୍ରକାଶ କରେ ଓ ତୃପ୍ତ ହୁଏ । ଏ କଥା ସତ୍ୟ କି ନା, ପଣ୍ଡିତମାନେ ବିଚାର କରିବା ଉଚିତ ।

 

ରାଧାନାଥଙ୍କ କବିତା ଆଲୋଚନା କରି ଜଣାଯାଏ ଯେ, ମନୁଷ୍ୟର ମନର ଗଭୀର ରୂପକୁ ପ୍ରକାଶ କରି ପାରିଲେ ସାହିତ୍ୟର ସୌନ୍ଦର୍ଯ୍ୟ ବଢ଼େ । ଅର୍ଣ୍ଣଲଡ଼ (Arnold) କହି ଅଛନ୍ତି ଯେ, ପ୍ରୟୋଜନ ସ୍ଥଳରେ ଯେଉଁ କବିତାରୁ ଦୃଷ୍ଟାନ୍ତ ଉଦ୍ଧାର କରାଯାଇ ପାରେ ତାହାକୁ ଉତ୍କୃଷ୍ଟ କବିତା କୁହାଯାଏ । ଏହି କଥା ରାଧାନାଥଙ୍କ କବିତା ସମ୍ବନ୍ଧରେ ସମ୍ପୂର୍ଣ୍ଣରୂପେ ଖଟେ । କାରଣ, ରାଧାନାଥଙ୍କର ଅନେକ ଉକ୍ତି ପ୍ରବଚନରେ ପରିଣତ ହେବାର ଯୋଗ୍ୟ ।

 

ଜଗତରେ ପରିବର୍ତ୍ତନ ଲାଗି ରହିଅଛି । ରୂପ ବଦଳି ଯାଉ ଅଛି । କିନ୍ତୁ ସତ୍ୟ ବା ଆତ୍ମା ସ୍ଥିର ଅଛି । ପ୍ରାଚୀନ କାଳରେ ଯେଉଁ ସବୁ ସତ୍ୟ କାବ୍ୟରେ ପ୍ରକାଶ କରାଯାଉଥିଲା ତାହା ଗୀତି କବିତାରେ ପ୍ରକାଶ କରାଗଲା । ଭାଷା ସରଳ ହେଲା । ଏଣୁ ଗୀତି କବିତା ଯୁବକମାନଙ୍କ ପକ୍ଷରେ ପ୍ରୀତିକର । କାରଣ, ଯୁବକ ଧୈର୍ଯ୍ୟଶୀଳ ନୋହି ଥିବାରୁ ଭାଷାର କଠିନ ଆବରଣ ଭାଙ୍ଗି ପର୍ବତ ପରି ବଡ଼ କାବ୍ୟ ମଧ୍ୟରୁ ରସ ସଂଗ୍ରହ କରିବା ସେମାନଙ୍କ ପକ୍ଷରେ ବିରକ୍ତକର ।

 

ଯେଉଁମାନେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ‘ରାମଚଣ୍ଡୀଠାରେ ରାତି’ କବିତାଟି ପଢ଼ିଥିବେ ସେମାନେ ଜାଣିଥିବେ ଯେ, ଯୁବକମାନେ ନୂତନ ଦୃଶ୍ୟ ଦେଖିଲେ ଖାଇବା ପିଇବା, ପିତାମାତା ପ୍ରଭୃତି ପାସୋରି ପକାନ୍ତି । ସେମାନେ କେବଳ ନୂତନ ଦୃଶ୍ୟ ପାଇଁ ପାଗଲ ହୁଅନ୍ତି ନାହିଁ ପ୍ରତ୍ୟେକ ବିଷୟର ନୂତନତ୍ୱ ପାଇଁ ସେମାନଙ୍କ ଅନ୍ତରରୁ ପ୍ରେରଣା ଜାତ ହୁଏ । ଯୁବକ-ଅନ୍ତରର ଏହି ନବୀକରଣ ଶକ୍ତିର ପ୍ରକାଶ ପାଇଁ ରୋମାଞ୍ଚକର (romant।c) ସାହିତ୍ୟ ସବୁ ଦେଶରେ ସୃଷ୍ଟି ହେଲା । ରବିନ୍ଦ୍ରନାଥ ଏଭଳି କବିତା ସୃଷ୍ଟି କରି ବିଶ୍ୱ-କବି ହେଲେ । ଏପରି ଅବସ୍ଥାରେ ଓଡ଼ିଆ ଯୁବକଙ୍କ ପ୍ରାଣ ନୂତନତ୍ୱ ପାଇଁ ଅକୁଳ ହେବା ଦେଶ ପକ୍ଷରେ ଶୁଭ ଲକ୍ଷଣ ବୋଲି କହିବାକୁ ହେବ-। କିନ୍ତୁ ସେମାନଙ୍କ ତୃପ୍ତି ପାଇଁ ରସ ପରିବେଷଣ କରିବାକୁ ସେତେବେଳେ ଓଡ଼ିଶାରେ କେହି ପ୍ରବୀଣ ସାହିତ୍ୟକ ନ ଥିଲେ । ଏଣୁ ଓଡ଼ିଶାର ଯୁବକ ଲେଖକମାନେ ପଡ଼ିଶା ଘରର ପିଠା ଦେଖି ରବେଇ ଖବେଇ ହୋଇ ଘଷିଫଡ଼ା ତିଆରି କରିବା ପ୍ରଶଂସନୀୟ-ନିନ୍ଦନୀୟ ନୁହେଁ । ଯେଉଁ ଦେଶରେ ଧର୍ମାକୁ ମାରିବା ସଙ୍ଗେ ସଙ୍ଗେ ପ୍ରତିଭାର ଆଦରକୁ ସମାଧିସ୍ଥ କରାଯାଇଅଛି ସେ ଦେଶରେ କାଳିଦାସଙ୍କ “ଯୁକ୍ତମ୍ , ଅନୁତ୍ସୁକତା ଖଳୁ ବିକ୍ରମାଳଙ୍କାରଃ” କଥାକୁ ମନେ ରଖି ଉତ୍ସାହ ପାଇବା ପାଇଁ ଆଶା ନ କରି ଚନ୍ଦ୍ରଶେଖର ସିଂହ ସାମନ୍ତଙ୍କ ପରି ସେହି ଯୁବକମାନେ ସାଧନାରେ ଯଦି ଲାଗି ରହି ଥାଆନ୍ତେ ତେବେ ସାହିତ୍ୟର ଯଥେଷ୍ଟ ଉନ୍ନତି ବିଧାନ କରିପାରିଥାଆନ୍ତେ । ଯାହା ହେଉ ବର୍ତ୍ତମାନ ନବ ଜାଗରଣ ଭାରତରେ ଦେଖାଦେଇଅଛି । ଏତେବେଳେ ଓଡ଼ିଶାର ଯୁବକ ଲେଖକମାନେ ବାଟବଣା ହେଲେ ଦେଶର ସମସ୍ତ ଆଶା ଭରସା ଲୁପ୍ତ ହେବ ।

 

ଭାଷା–ଆଲୋଚନା ପାଇଁ ସାଧନା କଲେ ଚିନ୍ତା ଅଭିବ୍ୟକ୍ତ କରିବା କଠିନ ହେବ ନାହିଁ-। ଭାଷାରେ ଜାତିର ଇତିହାସ ମନସ୍ତତ୍ତ୍ୱ ପ୍ରଭୃତି ସବୁ ଅଛି । ‘ଗାଆଁ-କନ୍ୟା ସିଂଘାଣୀ ନାକୀ’ କଥାରୁ ବୁଝାଯାଏ ଯେ ଆମେ ଚିରକାଳ ନିଜ ଦେଶର ଲୋକଙ୍କୁ ଘୃଣା କରୁ । ଏଣୁ ଆଇ.ଏ. ବା ବି.ଏ. ପରୀକ୍ଷାର ପ୍ରଶ୍ନକାରକ ରୂପେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଦେଶୀ ଅଧ୍ୟାପକଙ୍କୁ ନିଯୁକ୍ତ କରିବା ବିଚିତ୍ର ନୁହେଁ । ଓଡ଼ିଶାର ଅଧ୍ୟାପକମାନେ ବିଦେଶୀ ବିଶ୍ୱବିଦ୍ୟାଳୟର ପ୍ରଶ୍ନକାରକ ନ ହେଲେ ମଧ୍ୟ ଆମର ଅପମାନ ନାହିଁ । ଏହିପରି ଅନ୍ତରର କଥା ଅଭିବ୍ୟକ୍ତ କରିବା ପାଇଁ ଆମ ଭାଷା ଅନୁପଯୋଗୀ ନୁହେଁ । ଶାଶୁ ବୋହୂ କଳିର ଭିତ୍ତିରେ ପ୍ରତିଷ୍ଠିତ ‘ପଲ୍ଲୀ-କୋଣେ’ କବିତା ସମ୍ବନ୍ଧରେ ଅନ୍ୟ ପ୍ରବନ୍ଧରେ ଆଲୋଚନା କରାଯାଇଥିଲା । ପୁରାତନ ସୁନ୍ଦରତର ହୋଇ ନୂତନରେ ପ୍ରକାଶ ପାଏ ବୋଲି ବୋହୂର ଶ୍ୱଶୁର ଯଦି ଶାଶୁକୁ କହିଥାଆନ୍ତା ତେବେ ସେହି କବିତାରେ ସୃଷ୍ଟିର ବିକାଶ ବୁଝାଇ ଦିଆ ଯାଇଥାଆନ୍ତା ।

 

“ଆଗର ବରଡ଼ା ପଛର ବରଡ଼ା ଦେଖୁନ ତୁମେ,

କିଏସେ ହସଇ, କିଏ ବା କାନ୍ଦଇ, ଲାଗୁଛ ଶୂନ୍ୟେ”

 

ଏପରି ଗୋଟିଏ ପଦ କବିତାଟିରେ ଥିଲେ ବଡ଼ ଚମତ୍କାର ହୋଇଥାଆନ୍ତା । ଏହିପରି “ସେ ନିଜ କଥା ରହିବା ପାଇଁ ଜିଦ୍ ଧରି ବସି ଅଛନ୍ତି” ନ କହି “ସେ ନିଜ ପେଁକାଳି ବାଜିବା ପାଇଁ ଯତ୍ନ କରୁଅଛନ୍ତି “କହିଲେ କଥା ସୁନ୍ଦର ହୁଏ । ଅଭିବ୍ୟକ୍ତିକୁ ଏପରି ସୁନ୍ଦର କରିବା ପାଇଁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ଦେଶର ଉପସ୍ଥିତ ସମସ୍ୟାରେ ଚିନ୍ତାକୁ ମୂର୍ତ୍ତିମନ୍ତ କରିବାକୁ ହେବ । କଳକାରଖାନାର ପ୍ରସାରକାମୀ ଓ ବିଦେଷକାମୀ ମଧ୍ୟରେ ଚାଲିଥିବା ବିବାଦକୁ ଘେନି ନୂତନ ଓ ପୁରାତନ ମଧ୍ୟରେ ଥିବା ସଂଘର୍ଷ ମୂର୍ତ୍ତିମନ୍ତ କଲେ ତାହା ପ୍ରାଣସ୍ପର୍ଶୀ ହେବ । କେଉଁ ଦୋଷରୁ ଓଡ଼ିଶାର ବର୍ତ୍ତମାନ ପତନ ଘଟି ଅଛି ସେହି ଦୋଷ ଦୂର କରିବା ପାଇଁ ନ କହି କେବଳ ଅତୀତ ଗୌରବ ଗାଇଲେ ଜାତୀୟ ସଙ୍ଗୀତ ହୃଦୟସ୍ପର୍ଶୀ ହେବ ନାହିଁ । ଏହିପରି ଅନେକ କଥା ଅଛି । ପ୍ରବନ୍ଧରେ ସେ ସମସ୍ତ ଲେଖିବା ଅସମ୍ଭବ ।

•••

 

କବିର ବ୍ୟକ୍ତିତ୍ୱ

 

ଆମେ କଥା-ପ୍ରସଙ୍ଗରେ କହୁ, ”ତୁଳସୀ ଦି’ ପତ୍ରରୁ ବାସେ, ବିଛୁଆତି ଦି’ ପତ୍ରରୁ କୁଣ୍ଡେଇ ହୁଏ ।” ଇଂରେଜ କବି Words worth ଓ M।lton ସେହି କଥାକୁ ଯଥାକ୍ରମେ “The ch।ld ।s father of the man” ଓ “The ch।ld shows the man as the morn।ng shows the day” ରୂପରେ କହିଅଛନ୍ତି । ଭାବୀ ବିଶାଳକାୟ ବଟବୃକ୍ଷ ବଟ-ବୀଜରେ ଅତି ସୂକ୍ଷ୍ମ ଆକାରରେ ନିହିତ ଥାଏ ବୋଲି ଛାନ୍ଦୋଗ୍ୟୋପନିଷଦରେ ଉକ୍ତି ଅଛି । ସତ୍‍ପଦାର୍ଥରୁ ସୃଷ୍ଟିର ଉତ୍ପତ୍ତି ବୋଲି ବେଦରେ ମଧ୍ୟ ଉକ୍ତି ଅଛି । ଯାହା ସତ୍ୟ ତାହା ଦେଶକାଳ ପାତ୍ର ଭେଦରେ ଅନ୍ୟଥା ହୋଇ ନ ପାରେ । ପୃଥିବୀର ପ୍ରତ୍ୟେକ ସଭ୍ୟ ଜାତି ସେହି ସତ୍ୟକୁ ଉପଲବଧି କରିବା ପାଇଁ ଚିରକାଳ ଆଗ୍ରହାନ୍ୱିତ । ଏଣୁ ସୃଷ୍ଟିର ଯେଉଁ କ୍ରମ-ବିକାଶ-ପ୍ରଣାଳୀକୁ ଦାର୍ଶନିକ ଓ ବୈଜ୍ଞାନିକମାନେ ଅନୁସନ୍ଧାନ କରନ୍ତି ସାହିତ୍ୟିକମାନେ ତାହାକୁ ଅନୁସନ୍ଧାନ କରିବାକୁ ଛାଡ଼ନ୍ତି ନାହିଁ । ସାହିତ୍ୟରେ କବିର ବ୍ୟକ୍ତିତ୍ୱ ନିରୂପଣ କରିବା ସାହିତ୍ୟ-ସମାଲୋଚକର ପ୍ରଧାନ କାର୍ଯ୍ୟ ।

 

ମନୁଷ୍ୟମାନଙ୍କ ମଧ୍ୟରେ କେତେକ ସାଧାରଣ ଲକ୍ଷଣ ଥିବାରୁ ସମସ୍ତଙ୍କୁ ଏକ ‘ମନୁଷ୍ୟ’ ଆଖ୍ୟା ଦିଆଯାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ପରସ୍ପରର ପାର୍ଥକ୍ୟ ଅଛି । ଏହି ପାର୍ଥକ୍ୟ ବ୍ୟକ୍ତିତ୍ୱର ପରିଚୟ ଦିଏ । ଏହିପରି କବିମାନଙ୍କ ପରସ୍ପରର ପାର୍ଥକ୍ୟ ପ୍ରତ୍ୟେକ କବିଙ୍କ ବ୍ୟକ୍ତିତ୍ୱ ଆମକୁ ଚିହ୍ନାଇ ଦିଏ । ରୂପ ଦେଖି ଆମେ ବ୍ୟକ୍ତିଗତ ମନୁଷ୍ୟ ଚିହ୍ନୁ । କିନ୍ତୁ ରୂପରୁ କବି ଚିହ୍ନା ପଡ଼ନ୍ତି ନାହିଁ । ଦଶଜଣ ଅପରିଚିତ ଅକବିଙ୍କ ମଧ୍ୟରେ ଜଣେ ଅପରିଚିତ କବି ଥିଲେ ସେହି କବିଙ୍କୁ କେହି ଚିହ୍ନି ପାରିବେ ନାହିଁ । କବି ନିଜର କବିତା ଦ୍ୱାରା ପରିଚିତ ହୁଅନ୍ତି । ନିଜ ନିଜ ରୂପର ପାର୍ଥକ୍ୟରୁ ଭିନ୍ନ ଭିନ୍ନ ସାଧାରଣ ମନୁଷ୍ୟଙ୍କ ବ୍ୟକ୍ତିତ୍ୱ ଯେପରି ବାରି ହୋଇ ଜଣାପଡ଼େ ନିଜ ନିଜ କବିତାରୁ ବିଭିନ୍ନ କବିଙ୍କ ବ୍ୟକ୍ତିତ୍ୱ ସେପରି ପ୍ରତିଭାତ ହୁଏ । କବିତାରେ କବିର ଆତ୍ମପ୍ରକାଶ ଘଟିଥାଏ । ଏଣୁ କବିତାରୁ ଆମେ କବିର ଅନ୍ତରର ପରିଚୟ ପାଉ । କବିତାର ଶୈଳୀ କବିର ଅନ୍ତରର ପରିଚୟ ଦିଏ । ଏଥିପାଇଁ ଇଂରେଜୀରେ କହନ୍ତି, “Style ।s the man ।”

 

ବାକ୍ୟଗଠନର ରୀତି ଓ ଶବ୍ଦ-ଯୋଜନାର କୌଶଳକୁ ଶୈଳୀ କହନ୍ତି । ଶବ୍ଦ ଯୋଜନା-କୌଶଳକୁ ଆମେ ଶବ୍ଦାଳଙ୍କାର କହୁଁ । ବାକ୍ୟ-ଗଠନର ରୀତି ବ୍ୟାକରଣ ଦ୍ୱାରା ସଂଯମିତ ହୁଏ । ଏହାକୁ କୌଣସି ସାଧାରଣ ଲେଖକ ମଧ୍ୟ ଅନୁସରଣ କରିପାରେ । କିନ୍ତୁ କବିର ଶୈଳୀରେ ବିଶିଷ୍ଟତା ଥାଏ । ଏହି ବିଶିଷ୍ଟତାକୁ କଳ୍ପନା ବିଳାସ କୁହାଯାଏ । ଚନ୍ଦ୍ରଭାଗାର ଚକ୍ଷୁରୁ କୋମଳ ରମଣୀୟ ଜ୍ୟୋତି ପ୍ରସରୁଅଛି ବୋଲି ନ କହି “ଯେଣେ ଅନାଉଛି ଲଳନା ଫୁଲ ଯାଏ ବରଷି “ବୋଲି କବିବର ରାଧାନାଥ କହିଲେ । କୋମଳତା ଫୁଲକୁ ରମଣୀୟ କରେ । ଫୁଲର ଯାହା ସହିତ ସଂଯୋଗ ଘଟେ ସେ ମଧ୍ୟ ରମଣୀୟ ହୁଏ । ଏଣୁ ଲଳନାମାନେ ଫୁଲକୁ ଭୂଷଣ ସ୍ୱରୂପ ବ୍ୟବହାର କରନ୍ତି । ଚନ୍ଦ୍ରଭାଗାର ଚକ୍ଷୁରୁ କୋମଳ ଜ୍ୟୋତି ଯେଉଁ ଆଡ଼େ ପ୍ରସରିଯାଉଛି ସେ ଆଡ଼େ ଫୁଲ ବର୍ଷା ହେଉଛି ବୋଲି କହିଲେ ସେ ଜ୍ୟୋତିର ପରମ କୋମଳତା ଓ ରମଣୀୟତା ଆମେ ଉପଲବ୍‍ଧିକରୁ । ଦର୍ଶକର ଚକ୍ଷୁ-ଜ୍ୟୋତି ଦୃଷ୍ଟ ବସ୍ତୁରେ ସଂଯୋଗ ଲାଭକରେ ବୋଲି ନ୍ୟାୟଦର୍ଶନର ଅଭିମତ ମଧ୍ୟ ପ୍ରତିପାଦିତ ହୁଏ । ଏହିପରି ଉକ୍ତିମାନଙ୍କର କଳ୍ପନା-ବିଳାସ ଥାଏ ଓ ଏପରି ଶୈଳୀ ସାଧାରଣ ଲେଖକ ପକ୍ଷରେ ସମ୍ଭବପର ନୁହେଁ ।

 

ବିଶାଳ ବିଶ୍ୱରେ ମନୁଷ୍ୟ ଗୋଟିଏ କ୍ଷୁଦ୍ର ବିଶ୍ୱ ଅଟେ । ବିଶ୍ୱର ପ୍ରତ୍ୟେକ ପଦାର୍ଥ ସହିତ ତାହାର ସମ୍ପର୍କ ଅଛି ଓ ପ୍ରତ୍ୟେକ ବସ୍ତୁ ସମ୍ୱନ୍ଧରେ ଜ୍ଞାନ ଆହରଣ କରିବା ପାଇଁ ତାହାର ନୈସର୍ଗିକ ଆଗ୍ରହ ଅଛି । ଏଣୁ ଶୈଶବରେ ପ୍ରତ୍ୟେକ ଶିଶୁ “ଏଟା କଣ ? ଏଟା କାହିଁକି ଏଠାରେ ଅଛି ? “ ପ୍ରଭୃତି ନାନାବିଧି ପ୍ରଶ୍ନ ପଚାରି ପିତାମାତାଙ୍କୁ ବ୍ୟସ୍ତ କରେ । କବିତା ମନୁଷ୍ୟର ନୈସର୍ଗିକ ଆଗ୍ରହକୁ ତୃପ୍ତକରେ ବୋଲି ତାହା ପାଠକର ପ୍ରୀତିକର ହୁଏ । ରାଧାନାଥଙ୍କ ଚିଲିକା ପଢ଼ିଲେ ପାଠକ ଦେଶକାଳ ପାତ୍ରରେ ସୀମାବଦ୍ଧ ହୁଏନାହିଁ । ଚିଲିକା ଉପଲବଧି କରୁ କରୁ ସେ ସମଗ୍ର ଭାରତ ବୁଲିଯାଏ । ବର୍ତ୍ତମାନ କାଳ ଛାଡ଼ି ଅତୀତର କାଞ୍ଚିଯୁଦ୍ଧ, ରକ୍ତବାହୁର ଓଡ଼ିଶା ଆକ୍ରମଣ ଓ ଭାବୀ ଓଡ଼ିଆ ସାହିତ୍ୟର ଉଜ୍ଜ୍ୱଳ ଭାଗ୍ୟ ତାହାର ଚିତ୍ତରେ ଉଦ୍‍ଭାସିତ ହୁଏ । ତାହାଙ୍କ କବିତା କେବଳ ଚିଲିକାରେ ସୀମାବଦ୍ଧ ନୋହି ଥିବାରୁ ତାହା ପାଠକର ପ୍ରୀତିକର ହୁଏ । ଚିତ୍ତର ଆଧେୟର ସମ୍ପ୍ରସାରଣକୁ ଜ୍ଞାନ କହନ୍ତି । ଏକ ବସ୍ତୁ ସାହାଯ୍ୟରେ ବିଭିନ୍ନ ବସ୍ତୁ ସମ୍ବନ୍ଧରେ ଜ୍ଞାନ ଚିତ୍ତରେ କବିତା ସାହାଯ୍ୟରେ ସମାବେଶିତ ହୁଏ । ଏହା କବିର କଳ୍ପନା-ବିଳାସ ଉପରେ ନିର୍ଭର କରେ । ଶୈଳୀରେ କଳ୍ପନା-ବିଳାସ ଥିଲେ ବିସ୍ତୃତ ବିଷୟକୁ ସଂକ୍ଷେପରେ ଅଭିବ୍ୟକ୍ତ କରାଯାଇପାରେ । ଶୈଳୀରେ ଥିବା କଳ୍ପନା-ବିଳାସକୁ ଅର୍ଥାଳଙ୍କାର କହନ୍ତି ।

 

କବିର ଭାଷା ସାଧାରଣ ଲୋକର ଭାଷାଠାରୁ ପୃଥକ୍ । ସାଧାରଣ ଲୋକ ନିଜ ଅଭିବ୍ୟକ୍ତିର ଭଙ୍ଗୀରେ ଅପରକୁ ଆପଣା ଅନ୍ତରର ଉଚ୍ଛ୍ୱାସରେ ଆପ୍ଳୁତ କରିପାରେ ନାହିଁ; କିନ୍ତୁ କବି ତାହା କରିପାରେ । କବିର ଏପରି ଆପ୍ଳୁତ କରିପାରିବା ଶକ୍ତିକୁ କବି-ପ୍ରତିଭା କହନ୍ତି । ଏହି ଶକ୍ତି କବି ଠାରେ ଶୈଶବରେ ପ୍ରଚ୍ଛନ୍ନ ଥାଏ ବୋଲି କହନ୍ତି । ବୟସର ବୃଦ୍ଧି ସଙ୍ଗେ ସଙ୍ଗେ କବି-ପ୍ରତିଭାର ବିକାଶ ଘଟେ । ବୀଜରୁ ଅଙ୍କୁରର ବିକାଶ ପାଇଁ ତାପ ,ବାୟୁ, ଜଳ ଓ ମୃତ୍ତିକାର ସହଯୋଗ ଯେପରି ଲୋଡ଼ା ହୁଏ କବି-ପ୍ରତିଭାର ବିକାଶ ପାଇଁ ସେପରି ବିବିଧ ଉପାଦାନ ଓ ସୁଯୋଗର ପ୍ରୟୋଜନ ଅଛି । ଯେଉଁ ସବୁ କାରଣରୁ କବି-ପ୍ରତିଭାର ବିକାଶ ଘଟେ ସେ ସମସ୍ତ ଶୈଳୀରେ ପ୍ରକାଶିତ ହୁଏ ।ଏହି ହେତୁରୁ Coler।dge କହିଅଛନ୍ତି, ”Every man’s language var।es accord।ng to the extent of h।s knowledge, the act।v।t।es of h।s faculty or the depth or qu।ckness of feel।ng “ଅର୍ଥାତ୍ ଜ୍ଞାନର ପରିମାଣ ଓ ମାନସିକ ଶକ୍ତି ବା ଅନୁଭବ କରିବାର ଗଭୀରତା ଅନୁସାରେ ପ୍ରତ୍ୟେକ ମନୁଷ୍ୟର ଭାଷା ପୃଥକ୍ ହୁଏ । ଭାଷାର ପାର୍ଥକ୍ୟ ଦେଶର ଜଳବାୟୁର ତାରତମ୍ୟ ଓ ସମାଜର ପାରମ୍ପରିକ ସଂସ୍କୃତି ଉପରେ ମଧ୍ୟ ଅନେକ ପରିମାଣରେ ନିର୍ଭର କରେ । ଜଳବାୟୁର ତାରତମ୍ୟ ଅନୁସାରେ ଏକ ପୂର୍ବ ମାଗଧୀ ଭାଷା ବଙ୍ଗଳା, ଓଡ଼ିଆ ପ୍ରଭୃତି ବିଭିନ୍ନ ପ୍ରାଦେଶିକ ଭାଷାରେ ପରିଣତ ହୋଇଅଛି । ଓଡ଼ିଶାର ଚଷା-ସମାଜର ଭାଷା ବ୍ରାହ୍ମଣ ସମାଜର ଭାଷାଠାରୁ ମଧ୍ୟ କେତେକ ପରିମାଣରେ ପୃଥକ୍ । ଦକ୍ଷିଣ ଓଡ଼ିଶାରେ ‘ଗୋରୁ’ ,’ଗୋଡ଼’ ପ୍ରଭୃତି କହନ୍ତି । କିନ୍ତୁ ଉତ୍ତର ଓଡ଼ିଶା ବା ବାଲେଶ୍ୱର ଜିଲ୍ଲାରେ ‘ଗୁରୁ’, ’ଗୁଡ଼’ ପ୍ରଭୃତି କହନ୍ତି ଅର୍ଥାତ ଶବ୍ଦର ଆଦ୍ୟ ଓକାରକୁ ଉକାର ରୂପେ ଉଚ୍ଚାରଣ କରନ୍ତି । ଦକ୍ଷିଣ ଓଡ଼ିଶାର ବ୍ରାହ୍ମଣ ସାମାଜରେ ଯାହାକୁ ‘ଭାଉଜ’ କହନ୍ତି କଟକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରତ୍ୟେକ ସମାଜରେ ତାହାକୁ ‘ନୂଆ ବୋହୂ’ କହନ୍ତି । ନିର୍ଝରିଣୀରେ ‘ନବ ବର୍ଷ ଭାବନା’ କବିତାରେ ନନ୍ଦକିଶୋର ବଳ ‘‘ନୂଆ ବୋହୂ ପାଶେ ବସି’’ ଲେଖିଅଛନ୍ତି ।ଏଥିରୁ ବିଶିଷ୍ଟ ସାହିତ୍ୟିକ ଅନୁମାନ କରିପାରେ ଯେ ନନ୍ଦକିଶୋର ବଳ ଦକ୍ଷିଣ ଓଡ଼ିଶାର ବ୍ରାହ୍ମଣ ସମାଜର ବ୍ୟକ୍ତି ନୁହନ୍ତି । ଏହିପରି ସୂକ୍ଷ୍ମ ଆଲୋଚନା କଲେ କବିର ଶୈଳୀରୁ ତାହାର ବ୍ୟକ୍ତିତ୍ୱ ଧରାପଡ଼େ ।

 

ଜ୍ଞାନର ବୃଦ୍ଧି ସଙ୍ଗେ ସଙ୍ଗେ ମନୁଷ୍ୟର ଭାଷାରେ ପରିବର୍ତ୍ତନ ଘଟେ । ତଥାପି ତାହାର ଶୈଶବର ଭାଷା ସମ୍ପୂର୍ଣ୍ଣ ରୂପେ ବଦଳିଯାଏ ନାହିଁ । ନିମ୍ବ-ବୀଜରୁ ତେଲ ବାହାରକଲେ ଜୀବ ନଷ୍ଟ ହୁଏ; କିନ୍ତୁ ବୀଜର ତିକ୍ତ ଗୁଣ ତେଲରେ ରହେ । ସେପରି ଶୈଶବର ଭାଷାର ସତ୍ତା ଯୌବନ ଓ ବୃଦ୍ଧି କାଳର ଭାଷାରେ ଊଣା-ଅଧିକ ପରିମାଣରେ ରହେ । ଏ କଥାର ସତ୍ୟତା ଉପଲବ୍‍ଧି କରିବାକୁ ହେଲେ ଉପେନ୍ଦ୍ରଭଞ୍ଜଙ୍କ କବିତା ସଙ୍ଗେ ଅଭିମନ୍ୟୁ ସାମନ୍ତସିଂହାରଙ୍କ କବିତାକୁ ତୁଳନା କରିବା ଉଚିତ୍ । ଉପେନ୍ଦ୍ରଭଞ୍ଜ ରାଜକୁଳରେ ଜନ୍ମ ଗ୍ରହଣକରି ସଂସ୍କୃତ ଭାଷା ଶିକ୍ଷାକରିଥିଲେ ଓ ପଣ୍ଡିତ ସମାଜରେ କାବ୍ୟ ଆଲୋଚନାରେ ଦିନ ଅତିବାହିତ କରୁଥିଲେ । ଏଣୁ ଗ୍ରାମ୍ୟ ଅଭିବ୍ୟକ୍ତିର ଭଙ୍ଗୀ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଶୈଳୀରେ ଯେପରି ମନୋହର ହୋଇ ଫୁଟିଅଛି ଉପେନ୍ଦ୍ରଭଞ୍ଜଙ୍କ ଶୈଳୀରେ ସେପରି ଫୁଟିନାହିଁ । ଅଭିମନ୍ୟୁ ପଲ୍ଲୀଗ୍ରାମରେ ସାଧାରଣ ଲୋକଙ୍କ ଗହଣରେ ବାସକରୁଥିଲେ । ଏଣୁ ସାଧାରଣ ଲୋକଙ୍କୁ ଅଭିବ୍ୟକ୍ତି-ଭଙ୍ଗୀର ସୌନ୍ଦର୍ଯ୍ୟକୁ ସେ ନିଜର ତୀକ୍ଷ୍ନ ଅନୁଭବ-ଶକ୍ତିର ପ୍ରଭାବରେ ଆହରଣ କରିପାରିଥିଲେ । ଏହି ବିଶେଷତ୍ୱ ତାହାଙ୍କ ଶୈଶବର ରଚନାରେ ମଧ୍ୟ ଆତ୍ମପ୍ରକାଶ କରିଥିଲା, ଯଥା :-

 

“କର୍ମଙ୍ଗା ଗଛର ଛାଇ ଗୋ, ମୋର ହୁଁ ଗୋ,

କରମ ଯାହାର ସୁଫଳ ହୋଇବ କୃଷ୍ଣଙ୍କୁ ଲଭିବ ସେହି ଗୋ,

ମୋର ହୁଁ ଗୋ ।

ଗଞ୍ଜେଇ ଗଛର ଛାଇ ଗୋ, ମୋର ହୁଁ ଗୋ,

ବେଣୁ ବିନୋଦିଆ ଯେଣେ ଯାଉଥାଇ ତେଣେ ହୁରି ପଡ଼ୁଥାଇ ଗୋ

ମୋର ହୁଁ ଗୋ’’ ।

 

ଉଦ୍ଧୃତ ପଦମାନଙ୍କରେ ଗ୍ରାମ୍ୟ ଛନ୍ଦ ଓ ଗ୍ରାମ୍ୟ ଅଭିବ୍ୟକ୍ତି-ଭଙ୍ଗୀର ସୌନ୍ଦର୍ଯ୍ୟ ଲକ୍ଷିତ ହୁଏ । ଏହା ତାହାଙ୍କର ପ୍ରାରମ୍ଭିକ ରଚନା । ପରିପକ୍ୱ ବୟସରେ ସେ ବିଦଗ୍ଧଚିନ୍ତାମଣି ରଚନା କରି ତହିଁରେ ନିଜ ପରିପକ୍ୱ ଜ୍ଞାନର ପରିଚୟ ଦେଇଅଛନ୍ତି । ତଥାପି ତହିଁରେ ତାହାଙ୍କ ବାଳ୍ୱ ଶୈଳୀ ପ୍ରତିବିମ୍ବିତ ହୋଇଅଛି, ଯଥା :–

 

(କ)

“ଭଙ୍ଗୀ ବିଷୟରେ କୃଷ୍ଣ ଗଣ୍ଠିଆ,

 

କାହା କଟିସ୍ଥିତ ଦେଖି ମାଠିଆ,

 

ବୋଲନ୍ତି “ବନ୍ଧୁ ମୁଁ ତୋହ ବେଠିଆ,

 

ପାଣି ଆଣିବାକୁ ମୋତେ ପଠିଆ,”

 

ଶୁଣି ଗୋପୀ ହୋଇ ଠିଆ,

 

ହସିଲା, ଭାଷିଲା ‘ବଢ଼ିଲାକୁ କାହ୍ନୁ

 

ହେଲ ଏଡ଼େ ଅପାଠିଆ ।” (ଛା: ୩, ପ:୧୩)

(ଖ)

“ଆମ୍ଭଙ୍କୁ ଗୋରସ କିଛି ଦେବ କି ?

 

ତୁମ୍ଭଙ୍କୁ ଆଜି ମାଗୁଣି ଏତିକି,

 

ଏକା ତହିଁ ମିଶି ନ ଥିବ ପାଣି,

 

ବୁଝିବା ତୁମ୍ଭେ କେଡ଼େ ଗୋପାଳୁଣୀ

 

ସେ ବୋଇଲା ହସି,

 

‘ଦୁହିଁ ଦେବା ଯେବେ ଅଛି ହେ ଆସି ।”

 

ଏହିପରି ଅନେକ ପଦରେ ଅଭିମନ୍ୟୁ ଗ୍ରାମ୍ୟ ଭାଷାର ସରଳ ସୌନ୍ଦର୍ଯ୍ୟ ଫୁଟାଇଅଛନ୍ତି-। ଉପେନ୍ଦ୍ରଭଞ୍ଜ ପରିପକ୍ୱ ବୟସର ରଚନା ଦୂରେ ଥାଉ, ‘ସୁବର୍ଣ୍ଣରେଖା’, ’ବଜାର ବୋଲି’ ପ୍ରଭୃତି ତାହାଙ୍କ ପ୍ରାରମ୍ଭିକ ରଚନାମାନଙ୍କର ଭାଷାର ସରଳ ମାଧୁରୀ ଏପରି ଉଜ୍ଜ୍ୱଳ ହେଇ ନାହିଁ । ଅଭିମନ୍ୟୁ ଉପେନ୍ଦ୍ରଭଞ୍ଜ ଲାବଣ୍ୟ ବତୀକୁ ସମ୍ପୂର୍ଣ୍ଣ ରୂପେ ଅନୁକରଣ କରି ‘ବିଦଗ୍ଧଚିନ୍ତାମଣି’ ରଚନା କରିଥିଲେ । ଏହା ସେ ନିଜେ ସ୍ୱୀକାର କରିଅଛନ୍ତି, ଯଥା :–

 

“ଉପଇନ୍ଦ୍ର-ପଦ ଅଭିମନୁ-ମନ୍ୟୁ,

ଉପେକ୍ଷା ଯେ ନୋହିବ ତ ଦିନୁ ଦିନୁ ।”

 

ଅଭିମନ୍ୟୁ ସ୍ୱୀକାର ନ କରିଥିଲେ ମଧ୍ୟ ଉଭୟ କାବ୍ୟରୁ ନିମ୍ନୋଦ୍ଧୃତ ସଦୃଶ ବର୍ଣ୍ଣନା ଓ ସେପରି ଅନ୍ୟ କେତେକ ବର୍ଣ୍ଣନାକୁ ପରସ୍ପର ତୁଳନା କଲେ ବିଦଗ୍ଧଚିନ୍ତାମଣିରେ ଲାବଣ୍ୟବତୀର ପ୍ରଭାବ ସ୍ପଷ୍ଟରୂପେ ପ୍ରତିଭାତ ହୁଏ । ଯଥା : –

 

୧.

ଉଚ୍ଚରେ ଭାଷା କେ କର୍ଣ୍ଣେ ସ୍ୱରଭଙ୍ଗ ଅତିଶୀର୍ଣ୍ଣେ

 

ତେବେହେଁ ଭାବ-ଭାବନା ଥାଇ କାରଣେ;

 

ଦୂ-ପୂର୍ବାଦି ଶବଦ ଶୁଣି, ଦୂତୀ ଅଇଲା କି ଭ୍ରମେ ହୁଅନ୍ତି ଗୁଣି ।

 

(ବି : ଚି : ଛା : ୩୦, ପ : ୧୨)

୨.

ସ୍ୱରଭଙ୍ଗ ପ୍ରବଳରେ ଭାଷା କେ ବର୍ଣ୍ଣେ ଉଚ୍ଚାରେ,

 

ତଥାପି ବାଳା-ଭାବନା ଥାଇ ତହିଁରେ

 

ସବର୍ଣ୍ଣାଦି ଶବଦ ଶୁଣି, ସାଧୁ ଶୁକ ଅଇଲା କି ବୋଲି ହୁଅନ୍ତି ଗୁଣି ।

 

(ଲା : ବ: ଛା : ୧୧ ପ : ୪)

 

ପ୍ରଥମ ଉଦ୍ଧୃତାଂଶଟି ବିଦଗ୍ଧଚିନ୍ତାମଣିରେ ଓ ଦ୍ୱିତୀୟଟି ଲାବଣ୍ୟ-ବତୀରେ ଅଛି । ଏକ କଥା ଏକ ପ୍ରକାରେ ଉଭୟରେ ଅଭିବ୍ୟକ୍ତ ହୋଇଅଛି । ଦୁଇ କାବ୍ୟର କବିମାନଙ୍କର ଆବିର୍ଭାବ-କାଳ ଜଣାଥିବାରୁ ବିଦଗ୍ଧଚିନ୍ତାମଣି ଲାବଣ୍ୟବତୀର ପରବର୍ତ୍ତୀ ରଚନା ବୋଲି ଆମେ କହୁ । ଉପରୋକ୍ତ ପ୍ରକାରେ ବିଦଗ୍ଧଚିନ୍ତାମଣିରେ ଲାବଣ୍ୟବତୀର ପ୍ରଭାବ ଅନେକ ସ୍ଥାନରେ ଲକ୍ଷିତ ହୁଏ । ଏଣୁ ପୂର୍ବ ଜ୍ଞାନର ଭିତ୍ତିରେ ନୂତନ ଜ୍ଞାନ-ସୌଧ ତୋଳାହୁଏ ବୋଲି ସମସ୍ତେ ସ୍ୱୀକାର କରନ୍ତି । କେହି ଓଳିଆରୁ ପଡ଼ି ଗଜା ହୋଇ ନ ଥାଏ । ଶିଶୁ ଅନୁକରଣ କରି ଭାତଖିଆ ଲୁଗାପିନ୍ଧା ପ୍ରଭୃତି ଶିଖେ । କବିମାନେ ସେପରି ପ୍ରଥମେ ପ୍ରଥମେ ଅନୁକରଣ କରି କବିତା ଲେଖିବା ନିନ୍ଦନୀୟ ନୁହେଁ-। ଯେତେ ଅନୁକରଣ କଲେ ମଧ୍ୟ କବିର ବ୍ୟକ୍ତିତ୍ୱ ତାହାର କବିତାରେ ନ ଫୁଟି ରହିପାରିବ ନାହିଁ । ଲାବଣ୍ୟବତୀକୁ ସମ୍ପୂର୍ଣ୍ଣରୂପେ ଅନୁକରଣ କରି ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି ରଚନା କରିଥିଲେ ମଧ୍ୟ ଶତ ଶତ ପ୍ରକାରେ ତାହାଙ୍କ ବ୍ୟକ୍ତିତ୍ୱ ପରିସ୍ପୁଟ ହୋଇଅଛି । ବେଶ, ସ୍ୱପ୍ନ, ସ୍ୱପ୍ନାନ୍ତର ବିଳାପ, ବନବିହାର ପ୍ରଭୃତିର ବର୍ଣ୍ଣନା ବିଦଗ୍ଧଚିନ୍ତାମଣିରେ ଲାବଣ୍ୟବତୀରେ ଥିବାପରି ଅଛି । ତଥାପି ଦୁଇ କାବ୍ୟରେ ଶବ୍ଦ ଯୋଜନା ଓ ବାକ୍ୟଗଠନର କୌଶଳ ବିଭିନ୍ନ । ଏହା ଛଡ଼ା ଅନ୍ୟ ପ୍ରକାରର ପାର୍ଥକ୍ୟ ମଧ୍ୟ ଅଛି । ବିଦଗ୍ଧଚିନ୍ତାମଣିର ଦ୍ୱିଚତ୍ୱାରିଂଶ ଛାନ୍ଦରେ ପ୍ରେମର ଯେପରି ପରିଚୟ ଅଛି ସେପରି, ଲାବଣ୍ୟବତୀ କାହିଁକି ଉପେନ୍ଦ୍ରଭଞ୍ଜଙ୍କ କୌଣସି କାବ୍ୟରେ ନାହିଁ । ଭଞ୍ଜଙ୍କ କାବ୍ୟରେ ପ୍ରେମ ଇନ୍ଦ୍ରିୟର ଭୋଗରେ କେବଳ ପର୍ଯ୍ୟବେସିତ ପୁଣି ଅନ୍ତର୍ଲିପି-ବହିର୍ଲିପି ପ୍ରଭୃତି ଶବ୍ଦାଳଙ୍କାରରେ ବିଦଗ୍ଧଚିନ୍ତାମଣିର ଲାବଣ୍ୟବତୀ ଠାରୁ ପାର୍ଥକ୍ୟ ସହଜରେ ବୁଝାଯାଏ । କଥାଟା ବୁଝାଇବା ପାଇଁ ଏଠାରେ ଉଭୟ କାବ୍ୟର ଅନ୍ତର୍ଲିପି ଅଳଙ୍କାରଟି କେବଳ ତୁଳନା କରାଯାଉଛି । ବିଦଗ୍ଧଚିନ୍ତାମଣିରେ ସ୍ୱପ୍ନରେ ରାଧାଙ୍କ ସହିତ ମିଳନ ଘଟିବା ଉତ୍ତାରୁ କୃଷ୍ଣ ବିଚ୍ଛେଦ-ଯନ୍ତ୍ରଣା ଭୋଗି ବିଳାପକରି କହୁଅଛନ୍ତି :–

 

“ଚାରି ବେଦ ନାମ ତିନି ବର୍ଣ୍ଣେ ବିରଚନା,

ମଧ୍ୟ ଦାନ କଲେ ସେ ମୋ ଚାରିବର୍ଗ ସିନା;

ଚାରି ଦେବୀ-ନାମ ଏହି ବିଧିରେ ବିଧାନ,

ବିତରଣୀ ହେଲେ ହେବ କେ ମୋର ସମାନ ?”

(ଛାଃ ୩୪ ,ପଃ ୩୨)

 

ଏହାର ଅର୍ଥ ସହଜ, ଚାରି ବେଦ ମଧ୍ୟରୁ ତିନି ବର୍ଣ୍ଣରେ ଗୋଟିଏ ବେଦର ନାମ; ତାହା ‘ଅର୍ଥବ’ । ତହିଁରୁ ମଧ୍ୟ ଦାନ ଅର୍ଥାତ ମଧ୍ୟ ବର୍ଣ୍ଣ ‘ଥ’ ଦାନ କଲେ ଧର୍ମ, ଅର୍ଥ, କାମ ମୋକ୍ଷର ଫଳ ମିଳିବ । ଏହି ବିଧିରେ ଚାରି ବର୍ଣ୍ଣରେ ଗୋଟିଏ ଦେବୀର ନାମ; ତାହା ‘ଅନ୍ନପୂର୍ଣ୍ଣା’ । ଏହାର ଅନ୍ତର୍ଲିପି ‘ଅନ୍ନ’ ବିତରଣ କଲେ କିଏ ମୋହ ସଙ୍ଗେ ସମାନ ହୋଇ ନ ପାରନ୍ତି । ପୂର୍ବପର ସଙ୍ଗତ ଧରି ଅର୍ଥ କଲେ ଏପରି ବୁଝାଯାଏ ଯେ କୃଷ୍ଣ ଆଉ ଥରେ ଯେତେବେଳେ ରାଧାଙ୍କ ପାଖକୁ ଯିବେ ସେତେବେଳେ ରାଧା ‘ଥ’ ଦାନ କଲେ ଅର୍ଥାତ ରହ ବୋଲି କହିଲେ ଓ ଅନ୍ନ ବିତରଣ କଲେ ଅର୍ଥାତ୍ ତନୁଭୋଗ ଦେଲେ ସେ ସୁଖ ସଙ୍ଗେ ଅନ୍ୟ ସୁଖର ତୁଳନା ହୋଇ ନ ପାରେ । ପ୍ରାଚୀ ସଂସ୍କରଣର ବିଦଗ୍ଧଚିନ୍ତାମଣିର ଟୀକାରେ ଏପରି ଅର୍ଥ ଦିଆ ନୋହି ଅସଙ୍ଗତ ଅର୍ଥ ଦିଆହୋଇଥିବାରୁ ପାଠକମାନେ ବଡ଼ ଅଡ଼ୁଆରେ ପଡ଼ନ୍ତି । କିନ୍ତୁ ଏଠାରେ ଯେଉଁ ଅର୍ଥ ଦିଆଗଲା ତାହାର ଯଥାର୍ଥତା ସମ୍ବନ୍ଧରେ କେହି ଆପତ୍ତି କରିବେ ନାହିଁ ।

 

ଲାବଣ୍ୟବତୀରେ ଯେଉଁ ଅନ୍ତର୍ଲିପି ଅଛି ତାହାର ଅର୍ଥ କବି ଇସରା କରିଅଛନ୍ତି । ନୋହିଥିଲେ କେହି ଅର୍ଥ ବୁଝି ପାରନ୍ତେ ନାହିଁ, ଯଥା : –

 

“ମନ୍ତ୍ରୀଜା ପୁଚ୍ଛିଲା ଜେମାକୁ ଚାରି ବର୍ଣ୍ଣେ ଏସନ

ଏକାକ୍ଷରେ ଖ୍ୟାତ ଧରଣୀ, କରଭୂଷା ତ୍ରିବର୍ଣ୍ଣ

ବୟସ ନାମ ଖ୍ୟାତ ମୁନି ଯାହା କରେ ସେ ହେବ ।

ପ୍ରାକର୍ମ ଦ୍ୱିବର୍ଣ୍ଣେ ରାମ-କୁମାର ଥିବ

ବ୍ୟସ୍ତେ ବସନ୍ତାଦି ଫୁଲେକ ପୁଣି ତଟର ନାମ

ସମସ୍ତ ପଢ଼ିଲେ ହୋଇବ ଜଳେ ଥିଲା କୁସୁମ ।

ଚତୁରୀ ତୁରିତେ ଜାଣିଲା ହସି କହିଲା ତହିଁ,

‘କଂସ-କରିବର ପରାୟେ ମୋତେ ପରତେ ହୋଇ

ଫଳ ବେନି ବର୍ଣ୍ଣ ପ୍ରାନ୍ତରେ ଦେଲେ ମୁକୁତା ନାମା’

ଶୁଣି ଧନ୍ୟ ବୋଲି ପ୍ରଶଂସା କଲେ ସକଳ ବାମା ।”

(ଛା ୬, ପ ୨୫–୨୯)

 

ଏହା ଏକ ପ୍ରକାର ପ୍ରହେଳିକା ସମାଧାନ ବା ଓଡ଼ିଶାର ନାଁ ଦିଆ ଅଟେ । ଜଳ-କ୍ରୀଡ଼ା ବେଳେ ପ୍ରହେଳିକା-ସମାଧାନ ଅପ୍ରାସଙ୍ଗିକ ବୋଲି ମନେ ହୁଏ । ପୁଣି ‘କଂସ-କରିବର’ କଥାଟି କବି ଲାବଣ୍ୟ-ବତୀ ମୁଖରୁ ଶୁଣାଇ ନ ଥିଲେ ‘କୁବଳୟ’ ଶବ୍ଦ କୌଣସି ପାଠକ ଗ୍ରହଣ କରି ପାରନ୍ତେ ନାହିଁ । ତଥାପି ‘କୁବଳୟ’ ଶବ୍ଦରୁ ଜଳରେ ଥିବା କୁସୁମ ବା ମୁକୁତାକୁ ବୁଝାଏ ନାହିଁ । ଜଳ-କୁସୁମ ବୁଝିବା ପାଇଁ ‘ଫଳ’ ଶବ୍ଦ ଯୋଗ କରିବାକୁ ହୁଏ । ଏହିପରି ଭଞ୍ଜଙ୍କ ଅନ୍ତର୍ଲିପି-ଅଳଙ୍କାର ଅଭିମନ୍ୟୁଙ୍କ ଅନ୍ତର୍ଲିପି-ଅଳଙ୍କାର ଠାରୁ ପୃଥକ୍ । ଏଣୁ ଭଞ୍ଜଙ୍କୁ ଅନୁକରଣ କରିଥିଲେ ମଧ୍ୟ ଅଭିମନ୍ୟୁଙ୍କ ବ୍ୟକ୍ତିତ୍ୱ ତାହାଙ୍କ କବିତାରେ ବିଭିନ୍ନ କୌଶଳରେ ଫୁଟି ଉଠିଅଛି ।

 

କବିର ବ୍ୟକ୍ତିତ୍ୱ ନାନା ପ୍ରକାରେ କବିତାରେ ପ୍ରକଟିତ ହୁଏ । ଗଙ୍ଗାଧର ମେହେର ମହାଭାରତରେ ଥିବା ଗଳ୍ପକୁ ଭିତ୍ତି କରି ‘କୀଚକ ବଧ’ କାବ୍ୟ ରଚନା କଲେ । ତଥାପି ଏହାଙ୍କ ବର୍ଣ୍ଣିତ ଗଳ୍ପ ଓ ମହାଭାରତର ଗଳ୍ପ ମଧ୍ୟରେ ପ୍ରଭେଦ ଦେଖାଯାଏ । ପାଣ୍ଡବମାନେ ଯେତେବେଳେ ବିରାଟ-ନଗରରେ ପ୍ରବେଶ କଲେ ସେତେବେଳେ ସେମାନେ ଦୁର୍ଗାଙ୍କ-ମୂର୍ତ୍ତି ଦର୍ଶନ କରିଥିବାର ମହାଭାରତରେ ବର୍ଣ୍ଣିତ ଅଛି । କିନ୍ତୁ ମେହେରଙ୍କ ‘କୀଚକ ବଧ’ରେ ସେପରି ନାହିଁ । ବିରାଟ ରାଜପୁରର ରମଣୀମାନେ ଦିନେ ଦ୍ରୌପଦୀଙ୍କ ସହ ଦୁର୍ଗାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ କୀଚକ ଦ୍ରୌପଦୀଙ୍କ ରୂପ ଦେଖି ମୋହିତ ହେବା କଥା ‘କୀଚକ ବଧ’ରେ ବର୍ଣ୍ଣନା କରାଯାଇଅଛି । ମହାଭାରତ ଅନୁସାରେ ଅନ୍ତଃପୁରରେ ଦ୍ରୌପଦୀଙ୍କ ରୂପ “ଦେଖି କୀଚକ ମୋହିତ ହୋଇଥିଲା । ମେହେରଙ୍କ ଗଳ୍ପରେ ଦ୍ରୌପଦୀଙ୍କ ପ୍ରଣୟ ପାଇବା ପାଇଁ ନିଜ ଭଉଣୀ ବିରାଟ-ରାଣୀଙ୍କ ନିକଟକୁ ଦାସୀ-ହାତରେ କୀଚକ ପ୍ରସ୍ତାବ ପଠାଇଥିଲା । କିନ୍ତୁ ମହାଭାରତ ଅନୁସାରେ କୀଚକ ନିଜେ ଅନ୍ତଃପୁରକୁ ଯାଇ ବିରାଟରାଣୀଙ୍କ ନିକଟରେ ପ୍ରସ୍ତାବ କରିଥିଲା । ଏପରି ପାର୍ଥକ୍ୟ କାହିଁକି ଦେଖାଯାଏ ? ମେହେରଙ୍କ ଯୁଗରେ ରାଜଜେମା ଯୌବନ ପ୍ରାପ୍ତ ହେଲେ ଯୁବକ ଭାଇ ସହିତ ତାହାର ସାକ୍ଷାତ ନିଷିଦ୍ଧଥିଲା । ମହାଭାରତ-ଯୁଦ୍ଧରେ ବୋଧହୁଏ ଯେପରି ନ ଥିଲା । କବି ଦେଶ କାଳର ପ୍ରଭାବକୁ ଅତିକ୍ରମ କରି ନ ପାରେ । ଏଣୁ ନିଜ ଯୁଗୋଚିତ ସାମାଜିକ ରୀତିନୀତି ଚିତ୍ର କରିବା ମେହେରଙ୍କ ପକ୍ଷରେ ସ୍ୱାଭାବିକ ।

 

ପ୍ରତ୍ୟେକ ବ୍ୟକ୍ତି ଅପରର ପର୍ଯ୍ୟବେକ୍ଷିତ ବିଷୟ ମଧ୍ୟରୁ କେତେକ ସତ୍ୟ ବୋଲି ଗ୍ରହଣ କରେ ଓ ନିଜେ ମଧ୍ୟ କେତେକ ବିଷୟ ପର୍ଯ୍ୟବେକ୍ଷଣ କରେ । କବି ମଧ୍ୟ ସେପରି କରିଥାଏ । କବିତାରେ ଅପରର ପର୍ଯ୍ୟବେକ୍ଷିତ ବିଷୟ ଓ କବିର ନିଜ ପର୍ଯ୍ୟବେକ୍ଷିତ ବିଷୟ ପ୍ରତିଫଳିତ ହୋଇଥାଏ । କବିତାରେ ନିଜ ପର୍ଯ୍ୟବେକ୍ଷିତ ବିଷୟର ଚିତ୍ରଣ କବିର ବ୍ୟକ୍ତିତ୍ୱର ପରିଚୟ ଦିଏ । ‘କୀଚକ-ବଧ’ରେ ଥିବା ନିମ୍ନୋଦ୍ଧୃତ ପଦମାନ କବିଙ୍କ ନିଜ ପର୍ଯ୍ୟବେକ୍ଷିତ ବିଷୟ ପ୍ରକାଶ କରୁଥିବାରୁ ତହିଁରେ ତାହାଙ୍କ ବ୍ୟକ୍ତିତ୍ୱ ପ୍ରକଟିତ ହେଉଅଛି, ଯଥା : –

“ଘନତରୁ-ରନ୍ଧ୍ର ଭେଦି ପ୍ରଭାକର-କର,

ବିଚୂର୍ଣ୍ଣିତ ହୋଇ ଛାୟା-ଭୂମିରେ ସୁନ୍ଦର ।

ଅନନ୍ତ-ମସ୍ତକେ ଯେହ୍ନେ ମଣି ସମୃଜ୍ଜ୍ୱଳ,

ଯମୁନା-ବକ୍ଷରେ କିବା ଶ୍ୱେତ ଶତଦଳ !” (ସ:୧)

“ଦିନ-ଅଭିନୟ ଅବସାନ ହେଲା ସନ୍ଧ୍ୟା-ଯବନିକା ପାତ,

ଦିବସ-ବେଶକୁ ଭିନ୍ନ ଭିନ୍ନ କରି ବିଭାବରୀ ସମାୟାତ,

ପ୍ରକୃତି-ଯନ୍ତ୍ରରେ ଖଣ୍ଡ ଖଣ୍ଡ କରି ପ୍ରଭାକର-ମହାମଣି

ନିଜ ଅବୟବ ଅଳଙ୍କିତ କଲା ଗଢ଼ି ତାରା ନିଶାମଣି

ଚନ୍ଦ୍ରି କାଲିଙ୍ଗନ-ସୁଖେ ପ୍ରଫୁଲ୍ଲିତ-ହୃଦୟ ସରିତ-ପତି

ସରିତଙ୍କ ପ୍ରତି ଅନାଦର କରି ଠେଲିଦେଲା ପଛକତି ।” (ସ-୩)

ଉଦ୍ଧୃତ ପଦମାନଙ୍କର ଥିବା ପର୍ଯ୍ୟବେକ୍ଷିତ ବିଷୟଗୁଡ଼ିକ କବିଙ୍କ ନିଜସ୍ୱ ବୋଲି ସମସ୍ତେ ସ୍ୱୀକାର କରିବେ । ଏଣୁ ଏହା ତାହାଙ୍କ ବ୍ୟକ୍ତିତ୍ୱର ପରିଚାୟକ । ଏହିପରି କବିତାରେ ଚିତ୍ରିତ ଅପରର ପର୍ଯ୍ୟବେକ୍ଷିତ ବିଷୟ ଗୁଡ଼ିକ କବିଙ୍କ ଶିକ୍ଷା-ଲବ୍ଧ ଜ୍ଞାନର ପରିଚୟ ଦେଇ ତାହାଙ୍କ ବ୍ୟକ୍ତିତ୍ୱ-ନିରୂପଣରେ ସାହାର୍ଯ୍ୟ କରେ ଓ ଅତୀତ ଜ୍ଞାନର ଭିତ୍ତିରେ ନୂତନ ଜ୍ଞାନ-ସୌଧ ତୋଳା ହୋଇ ଜ୍ଞାନର କିପରି କ୍ରମବିକାଶ ସାଧିତହେଉଅଛି ତାହା ମଧ୍ୟ ହୃଦୟଙ୍ଗମ କରାଇଦିଏ । ଏକଥା ରାଧାନାଥଙ୍କ କବିତାର ଆଲୋଚନାରୁ ସହଜରେ ପ୍ରତିପାଦିତ ହୁଏ । ଅନେକ କାବ୍ୟର କଥା ବସ୍ତୁ ରାଧାନାଥ ଇଂରେଜୀ କାବ୍ୟରୁ ସଂଗ୍ରହ କରି ଦେଶୀୟ ସାଞ୍ଚରେ ସେ ଗୁଡ଼ିକର ରୂପ ବଦଳାଇ ଥିବା ଓଡ଼ିଶାର ଅଧିକାଂଶ ସାହିତ୍ୟକ ଜାଣନ୍ତି । ତାହାଙ୍କ ବ୍ୟକ୍ତିତ୍ୱ ନିଜସ୍ୱ କରିବା ଶକ୍ତିରେ ପ୍ରକାଶିତ ହୋଇଅଛି ଓ ସେ ଇଂରାଜୀ ସାହିତ୍ୟ ସହିତ ସୁପରିଚିତ ହୋଇଥିବା କଥା କଥା-ବସ୍ତୁରୁ ପ୍ରମାଣିତ ହୁଏ ।

କବିତ୍ୱ-ଶକ୍ତି ପାଇବା ପାଇଁ ସରସ୍ୱତୀଙ୍କ କୃପା ଭିକ୍ଷା କରିବା ଆମ ଦେଶର ପ୍ରାଚୀନ କବି-ସମାଜର ପ୍ରଥା ଥିଲା । କିନ୍ତୁ କାବ୍ୟର କଥା-ବସ୍ତୁ କହି ଦେବା ପାଇଁ ସରସ୍ୱତୀଙ୍କୁ କୌଣସି କବି ପ୍ରାର୍ଥନା କରୁ ନ ଥିଲେ । କିନ୍ତୁ ଏପରି ପ୍ରାର୍ଥନା କରିବା ପାଶ୍ଚାତ୍ୟ କବିମାନଙ୍କର ରୀତି ଥିଲା । ପାଶ୍ଚାତ୍ୟ ସାହିତ୍ୟର ଅନୁକରଣରେ ମାଇକେଲ ମଧୁସୁଦନ ଏ ପ୍ରକାରର ପ୍ରାର୍ଥନା-ରୀତି ବଙ୍ଗ ସାହିତ୍ୟରେ ପ୍ରଥମେ ପ୍ରବର୍ତ୍ତନ କଲେ । ସେ ଶାରଦା ଦେବୀଙ୍କୁ ସମ୍ବୋଧନ କରି କହି ଅଛନ୍ତି : –

“ସମ୍ମୁଖ-ସମରେ ପଡ଼ି, ବୀରଚୂଡ଼ାମଣି

ବୀରବାହୁ ଚଲି ଯେବେ ଗେଲା ଯମପୁରେ

ଅକାଳେ, କହ, ହେ ଦେବି ଅମୃତଭାଷିଣି,

କୋନ ବୀରବରେ ବରି ସେନାପତି-ପଦେ,

ପଠାଇଲା ରଣେ ପୁନଃ ରକ୍ଷଃ କୁଳନିଧି ରାଘବୀର ?” (ମେଘନାଦ ବଧ)

କବିବର ୰ରାଧାନାଥ ‘ମହାଯାତ୍ରା’ରେ ଏହାର ଅନୁକରଣରେ ଲେଖିଛନ୍ତି : –

“ପଙ୍କଜବାସିନି ଦେବୀ ଉତ୍କଳ-ଭାରତୀ

ଶାରଳେ, କି କଲେ କହ କୁରୁଚୂଡ଼ାମଣି

ଶୁଣିଲେ ଯେ କାଳେ ବୀର ବାର୍ତ୍ତାହର-ମୁଖେ

ପ୍ରଭାସେ ଯାଦବଙ୍କର ଜ୍ଞାତି-କ୍ଷୟକାରୀ

ମହାହବ, ଧୀରମଣି ଧୈର୍ଯ୍ୟ ଧରି ଆହା

କେମନ୍ତେ ସହିଲେ ଚିର ବିପଦ-ବାନ୍ଧବ

ଯଦୁବଂଶ-ଅବତଂସ ଯାଦବପତିର

ତ୍ରିଦିବ-ପ୍ରୟାଣ-ବାର୍ତ୍ତା ? କହୁ କୃପା ବହି ।”

 

ଉଦ୍ଧୃତ ଅଂଶଗୁଡ଼ିକ ତୁଳନା କଲେ ସ୍ପଷ୍ଟରୂପେ ଜଣାଯାଏ ଯେ ୰ ରାଧାନାଥ ୰ ମାଇକେଲ ମଧୁସୁଦନଙ୍କୁ ଅନୁକରଣ କରିଥିଲେ । କେବଳ ମାଇକେଲଙ୍କୁ ନୁହେଁ–ବଙ୍ଗୀୟ କବି ୰ ଭାରତଚନ୍ଦ୍ରଙ୍କୁ ସେ ଅନୁକରଣ କରି ଥିବାର ପ୍ରମାଣ ମିଳେ । ’ବିଦ୍ୟାସୁନ୍ଦର’ କାବ୍ୟରେ ‘ଭାରତଚନ୍ଦ୍ର’ ଚୋରା ପ୍ରଣୟ ବର୍ଣ୍ଣନା କରିଅଛନ୍ତି । ରାଧାନାଥଙ୍କ ‘ଯାଯାତି କେଶରୀ’ କାବ୍ୟରେ ସେପରି ବର୍ଣ୍ଣନା ଦେଖାଯାଏ । ସେକ୍‍ସ ପିଅରଙ୍କ (Shakespeare) ଟୁଏଲେପ୍‍ଥ୍ ନାଇଟ୍‍ର (Twelfth N।ght) ଅନୁକରଣରେ ଯଯାତି ନାରୀ ବେଶରେ ଲଳିତାର ପୁରରେ ପ୍ରବେଶ କରିଥିଲେ ମଧ୍ୟ ‘ବିଦ୍ୟାସୁନ୍ଦର’ କାବ୍ୟର ପ୍ରଭାବ ‘ଯଯାତି କେଶରୀ’ରେ ବିରଳ ନୁହେଁ । ‘ବିଦ୍ୟାସୁନ୍ଦର’ରେ ଅଛି : –

 

“ବିବାହ ନହିଲେ ହୟ କେମନ ବିହାର,

ଗାନ୍ଧର୍ବବିବାହ ହଇଲ ମନେ ଆଁଖିଠାର,

କନ୍ୟାକର୍ତ୍ତା ହଇଲ କନ୍ୟା ବରକର୍ତ୍ତା ବର,

ପୁରୋହିତ ଭଟ୍ଟାଚାର୍ଯ୍ୟ ହୈଲ ପଞ୍ଚଶର

ବାଦ୍ୟ କରେ ବାଦ୍ୟକର କିଙ୍କିଣୀ-କଙ୍କଣ”

X      X      X      X

‘ଯଯାତି କେଶରୀ’ରେ ଅଛି : –

‘‘X      X      X      X

ବିବେକ ସହିତେ ଗାନ୍ଧର୍ବ-ବିଧାନେ

କରିନେଲେ ରଫାନାମା ।

X      X      X      X

କନ୍ୟାକର୍ତ୍ତା ହେଲା କନ୍ୟା ଏ ବିବାହେ

ବରକର୍ତ୍ତା ହେଲା ବର,

ପୁରୋଧା-ଅଭାବ ଘୁଞ୍ଚାଇଲା ଆସି

ଧନୁଷ୍ପାଣି ପୁଷ୍ପଶର ।”

 

କାଳିକାଦେବୀଙ୍କ ଆଦେଶରେ ବିଦ୍ୟାର ପିତା ରାଜା ଗୁଣସାଗର ସୁନ୍ଦରକୁ ଯେପରି ଜାମାତା ରୂପରେ ବରଣ କରିଥିଲେ ଲଳିତାର ପିତା ସେପରି ବିରଜାଙ୍କ ଆଦେଶରେ ଯଯାତିଙ୍କୁ ଜାମାତାରୂପେ ଗ୍ରହଣ କରିଥିଲେ । ରାସାୟନିକମାନେ ବିଭିନ୍ନ ପଦାର୍ଥ ବିଶ୍ଳେଷଣକରି କେତେକ ପଦାର୍ଥର ଗୋଟିଏ ଗୋଟିଏ ବିଶେଷ ଗୁଣ ଗ୍ରହଣକରି ସେଗୁଡ଼ିକୁ ସଂଶ୍ଳେଷଣ କଲେ ଗୋଟିଏ ନୂତନ ପଦାର୍ଥର ସୃଷ୍ଚି ହୁଏ । ସେପରି ପ୍ରାଚୀନ କାଳରେ କବିମାନେ ବିଭିନ୍ନ କାବ୍ୟର କଥା-ବସ୍ତୁ ବିଶ୍ଳେଷଣ କରି ବିଶ୍ଳେଷିତ ଅଂଶଗୁଡ଼ିକୁ ନୂତନ ପ୍ରକାରରେ ସଂଶ୍ଳେଷଣ କରୁଥିଲେ । ବିଖ୍ୟାତ କବି ସେକସପିଅର ମଧ୍ୟ ଏପରି କରିଅଛନ୍ତି । ସେତେବେଳେ କବିମାନେ ସମାଜର ଘଟନା ଓ ଲୋକ-ଚରିତ୍ର ପର୍ଯ୍ୟବେକ୍ଷଣ କରି ନୂତନ କଥାବସ୍ତୁ ଗଢ଼ିବା ପାଇଁ ତତ୍ପର ନ ଥିଲେ । ଏଣୁ ବିଭିନ୍ନ କଥାବସ୍ତୁର ବିଶ୍ଳେଷିତ ଅଂଶମାନଙ୍କୁ ସଂଶ୍ଳେଷଣ କରି ନୂତନ କଥାବସ୍ତୁ ଗଢ଼ିବା ରାଧାନାଥଙ୍କ ପକ୍ଷରେ ନିନ୍ଦନୀୟ ନୁହେଁ । ବିଭିନ୍ନ ସାହିତ୍ୟ ପଢ଼ି ତାହାକୁ ରାଧାନାଥ ବିଶ୍ଳେଷଣ କରି ଥିଲେ ଓ ବିଶ୍ଳେଷିତ ଅଂଶକୁ ସଂଶ୍ଳେଷଣ କରିବାର ଶକ୍ତି ତାହାଙ୍କଠାରେ ଥିବାରୁ ସେ ନୂତନ କାବ୍ୟ ସୃଷ୍ଟି କରିପାରିଥିଲେ । ରାଧାନାଥ ଯେଉଁ ସବୁ କାବ୍ୟ ପଢ଼ିଥିଲେ ସେହି କାବ୍ୟମାନଙ୍କ ସହିତ ତୁଳନା କରି ତାହାଙ୍କ କାବ୍ୟମାନ ଆଲୋଚନା କଲେ ରାଧାନାଥଙ୍କ ବିଚାରର ଗଭୀରତା ମଧ୍ୟ ଆମେ ଉପଲବ୍‍ଧି କରି ପାରୁଅଛୁ । ରାଧାନାଥ ବଙ୍ଗ ଭାଷାର ‘ମେଘନାଦ-ବଧ’ ପଢ଼ିଥିଲେ ବୋଲି ପୂର୍ବେ କୁହାଯାଇ ଅଛି । ଏଥିରେ ଅଛି : –

 

‘‘X      X      “ଫୁଲଦଳ ଦିୟା

କାଟିଲା କି ବିଧାତା ଶାଳମଳୀ ତରୁବରେ ?”

 

ଶାଳମଣୀ ତରୁ କାଟିବାକୁ ବିଶେଷ କଠିନ ନୋହିଥିବାରୁ ଉପମାଟି ଉତ୍କୃଷ୍ଟ ହୋଇ ନାହିଁ । ଏଣୁ ରାଧାନାଥ ‘ମେଘନାଦବଧ’ କାବ୍ୟରୁ ଏହି ଉପମାଟି ଗ୍ରହଣ ନ କରି କାଳିଦାସଙ୍କ ଶକୁନ୍ତଳାରେ ଏହା ଯେପରି ଅଛି ସେପରି ତାହାକୁ ଗ୍ରହଣ କରେ । ଶକୁନ୍ତଳାରେ ଅଛି : –

 

“ଇଦଂକିଳା ବ୍ୟାଜ ମନୋହରଂ ବପୁସ୍ତୟଃ କ୍ଷମଂ ସାଧୟିତୁଂ ଯ ଇଚ୍ଛତି,

ଧ୍ରୁବଂସ ନୀଳୋତ୍ପଳ-ପତ୍ରଧାରୟା ଶମୀ-ଲତା ଛେତ୍ତୁ ମୃଷିବ୍ୟ ବସ୍ୟତି ।”

 

ଶମୀ-ତରୁ କଟିବାକୁ କଠିନ ବୋଲି ଉପମାଟି ହୃଦୟଭେଦୀ । ଏଣୁ ରାଧାନାଥ ‘ଯଯାତିକେଶରୀ’ରେ ‘ଶାଳଳୀ’ ବ୍ୟବହାର ନ କରି ଶମୀ ବ୍ୟବହାର କଲେ, ଯଥା :–

 

“ଏ ବାଳାକୁ ବନ ବାସ ସୁହାଇଲେ

ବିଧି ଆହା କି ବିଚାରେ ?

ଋଷି କି ଇଚ୍ଛିଲେ ଶମୀ ଛେଦିବାକୁ

ନୀଳୋତ୍ପଳପତ୍ର-ଧାରେ ?”

 

ସଂସ୍କୃତ ଶକୁନ୍ତଳା ରାଧାନାଥ ପଢ଼ି ନ ଥିଲେ ରାଧାନାଥ ବଙ୍ଗ କବିଙ୍କ ଉପମାଟି ଗ୍ରହଣ କରି ଥା’ନ୍ତେ । ତୁଳନା କଲେ ରାଧାନାଥଙ୍କ ବିଚାରର ସୂକ୍ଷ୍ମତା ଯେପରି ବୁଝାଯାଏ ତାହାଙ୍କର ସଂସ୍କୃତ ସାହିତ୍ୟ ଜ୍ଞାନ ମଧ୍ୟ ସେପରି ପ୍ରମାଣିତ ହୁଏ । ରାଧାନାଧଙ୍କ ସଂସ୍କୃତ ସାହିତ୍ୟ ଜ୍ଞାନ ସମ୍ବନ୍ଧରେ ଅନେକ ପ୍ରମାଣ ତାହାଙ୍କ କାବ୍ୟରେ ଅଛି । ଭଞ୍ଜ-କାବ୍ୟର ପ୍ରଭାବ ମଧ୍ୟ ତାହାଙ୍କ କାବ୍ୟରେ ଲକ୍ଷିତ ହୁଏ । ଲାବଣ୍ୟବତୀରେ ଅଛି :–

 

“ବିଶ୍ୱଲୋଚନକୁ କବି-ବଚନକୁ

ପବିତ୍ର କରିବା ବେଶ ।”

 

ରାଧାନାଥ ଯଯାତି-କେଶରୀରେ ଲେଖିଛନ୍ତି :–

 

“ବିଶ୍ୱଲୋଚନକୁ କବି-ବଚନକୁ

ପବିତ୍ର କରିବା ଲାଗି ।”

 

କବିତାରୁ କବିଙ୍କ ଜୀବନର ଦର୍ଶନ ନିରୂପଣ କରିପାରିଲେ ତାହାଙ୍କ ବ୍ୟକ୍ତିତ୍ୱର ମଧ୍ୟ ପରିଚୟ ମିଳେ । ରାଧାନାଥ ‘ଚିଲିକା’ରେ ବର୍ଣ୍ଣନା କରି ଅଛନ୍ତି :–

 

“ବନ୍ଦାପନା ଅନ୍ତେ ବାଦିତ୍ର ଶବଦ

ଉଠିଲା କମ୍ପାଇ ମହୀ ବିଷ୍ଣୁପଦ,

ତୀର ଗିରିଗୁହା ଯୋଗ ଦେଲେ ତହିଁ,

ସମୀର ନେଲା ତା ଦିଗେ ଦିଗେ ବାହି,

ସେ ଉତ୍ସବେ ହୋଇ ହରଷେ ଉତ୍ତାଳ

ଚିଲିକା ! ତୋ ବୀଚି ତହିଁ ଦେଲେ ତାଳ,

ସେ ଘୋର ଆଧାନେ ଭାଙ୍ଗିଗଲା ଧ୍ୟାନ,

ଧ୍ୟାନ ସଙ୍ଗେ ଦୃଶ୍ୟ ହେଲା ଅନ୍ତର୍ଦ୍ଧାନ,

ଜାଣିଲି ସେ ସବୁ କଳ୍ପନା-କୌଶଳ

ଫେଡ଼ନ୍ତେ ନୟନ ଦେଖିଲ କେବଳ

ଅନନ୍ତ-ନୀଳିମା-ଦ୍ୟୁତି-ବିଭାସିତ

ତୋ ଅମରସଭା ଅଗ୍ରେ ବିରାଜିତ ।

 

ତରଙ୍ଗାୟିତ ସାଗରର ଅପର ପାର୍ଶ୍ୱରେ ନିସ୍ତରଙ୍ଗ ସାଗର ଥିବା ପରି କୋଳାହଳମୟ ସୃଷ୍ଟିର ଅନ୍ତରାଳରେ ଗୋଟିଏ ପ୍ରଶାନ୍ତ ଅମର ସଭା ଅଛି ବୋଲି କବି ଉପଲବ୍ଧି କରିଥିବାର ଉଦ୍ଧୃତ ଅଂଶରୁ ଜଣାଯାଏ । କୋଳାହଳମୟ ସଂସାରରୁ ଦୂରରେ ରହି ଶାନ୍ତିମୟ ଜୀବନ ଅତିବାହିତ କରିବା ରାଧାନାଥଙ୍କ ଅଭିପ୍ରେତ ଥିଲା ବୋଲି ତାହାଙ୍କ କାବ୍ୟମାନଙ୍କର ଅନେକ ସ୍ଥାନରୁ ଜଣାପଡ଼େ । କିନ୍ତୁ ବ୍ରହ୍ମଜ୍ଞ ମଧୁସୁଦନଙ୍କ ଜୀବନର ଦର୍ଶନ ଅନ୍ୟ ପ୍ରକାର ଥିଲା । ସେ ଉପନିଷଦର ନୀତି ଉପରେ ପ୍ରତିଷ୍ଠିତ ବ୍ରାହ୍ମ ଧର୍ମ ଗ୍ରହଣ କରି ଥିବାରୁ ସଂସାରର ମାୟାରେ ନିର୍ଲିପ୍ତ ନୋହି ବ୍ରହ୍ମ-ପଦରେ ଚିତ୍ତ ରଖି ଜୀବନର କର୍ତ୍ତବ୍ୟ ସମ୍ପାଦନ କରିବା ପ୍ରକୃଷ୍ଟ ପନ୍ଥା ବୋଲି ବିଶ୍ୱାସ କରିଥିଲେ । ଏଣୁ ନଦୀ ଯେପରି ତୀରବର୍ତ୍ତୀ ବିଭିନ୍ନ ଘଟନା ପ୍ରତି ଉଦାସୀନ ହୋଇ କର୍ତ୍ତବ୍ୟ-ପଥରେ ଅଗ୍ରସର ହୁଏ ଓ ଶେଷରେ ସାଗର ସହିତ ମିଳିତ ହୁଏ ସେପରି ଜୀବନ ଅତିବାହିତ କରିବା ବିଧେୟ ବୋଲି ସେ ‘ନଦୀପ୍ରତି’ କବିତାରେ ନିଜ ଅଭିମତ ଅପ୍ରସ୍ତୁତ ପ୍ରଶଂସା-ଅଳଙ୍କାରରେ ବ୍ୟକ୍ତ କରିଅଛନ୍ତି । ଏହିପରି ଜୀବନର ଦର୍ଶନ ତୁଳନା କଲେ ଦୁହିଁଙ୍କର ବ୍ୟକ୍ତିତ୍ୱ ବାରି ହୋଇପଡ଼େ । ଦୁହିଁଙ୍କ ମଧ୍ୟରେ ଆହୁରି ମଧ୍ୟ ପାର୍ଥକ୍ୟ ଅଛି । ରାଧାନାଥ ଯେପରି ପ୍ରଚୁର ପରିମାଣରେ କାବ୍ୟ ଚର୍ଚ୍ଚା କରିଥିଲେ ମଧୁସୁଦନ ସେପରି କରି ନଥିଲେ । ରାଧାନାଥଙ୍କ ଶୈଳୀରେ କଳ୍ପନାର ବିଳାସ ଅଛି । ମଧୁସୁଦନଙ୍କ ଶୈଳୀରେ ତାହା ନାହିଁ । ଏଣୁ ମଧୁସୁଦନଙ୍କୁ କବି ନ କହି ଦାର୍ଶନିକ କହିବା ସମୀଚୀନ । ମନ ସହିତ ଶରୀରର ଘନିଷ୍ଠ ସମ୍ପର୍କ ଅଛି । କର୍ମେନ୍ଦ୍ରିୟମାନଙ୍କ କର୍ମରୁ ମନର ଅବସ୍ଥା ଜଣାଯାଏ ବୋଲି କବିତାରେ ରସ-ପ୍ରକାଶ ପାଇଁ ଅନୁଭବ ବା ଅଙ୍ଗପ୍ରତ୍ୟଙ୍ଗର ଅବସ୍ଥା ବର୍ଣ୍ଣନା କରାଯାଏ, ଯଥା :–

 

“ମିଥ୍ୟା ନୋହେ ନିଦ୍ରା ବ୍ୟାଳେ ନେତ୍ର-ଯମଦାଢ଼କୁ ଯେ

ରଖିଥିଲୁ ପକ୍ଷ-କୋଷ କରି ବାହାର

ହୃଦରେ ମାରି ଓଟାରି ଘେନିଗଲୁ ଝଟ କରି

ଦେଖ ମୁକୁରେ ରୁଧିର ହୋଏ ଜର୍ଜର ।” (କ : ବ :)

 

ଲାବଣ୍ୟବତୀର ନିଦ ଭାଙ୍ଗି ଯିବାରୁ ସେ ଅଳସ ଭାଙ୍ଗିଲା ଓ ତାହାର ଦୃଷ୍ଟି ଚନ୍ଦ୍ରଭାନୁ ଉପରେ ପଡ଼ିଲା । ଚନ୍ଦ୍ରଭାନୁକୁ ଦେଖି ଲାବଣ୍ୟବତୀର ତାହା ପ୍ରତି ଅନୁରାଗ ଜନ୍ମିବାରୁ ଚକ୍ଷୁରେ ତାହାର ରକ୍ତିମା ଜନ୍ମିଲା । “ତୁମ ଆଖିର ରକ୍ତିମାରୁ ଜଣାପଡ଼େ, ତୁମେ ମୋ ପ୍ରତି ଅନୁରକ୍ତ”–ଏହି କଥା କବି ଆଳଙ୍କାରିକ ଭାଷାରେ ଚନ୍ଦ୍ରଭାନୁ ମୁଖରୁ ଶୁଣାଇଅଛନ୍ତି । ମନର ଅନୁରାଗ ନେତ୍ରରେ ରକ୍ତିମା ରୂପରେ ପ୍ରକାଶ ପାଇଲା । ଏହାକୁ ଅନୁଭବ କହନ୍ତି । ରାମଚନ୍ଦ୍ର ମିଥିଳା-ଦାଣ୍ଡରେ ଯିବାବେଳେ ପୁରନାରୀମାନଙ୍କ ଅବସ୍ଥା ଯେପରି ‘ବୈଦେହୀଶ ବିଳାସ’ରେ ବର୍ଣ୍ଣନା କରାଯାଇଅଛି ସେହି ବର୍ଣ୍ଣନାରେ ସେମାନଙ୍କ ମନର ଅବସ୍ଥା ପ୍ରତିବିମ୍ବିତ ହୋଇଅଛି । କୌଣସି ଏକ ବିଷୟରେ ଚିତ୍ତକୁ ପ୍ରଗାଢ଼ଭାବରେ ଅଭିନିବେଶ କଲେ ସେହି ଗୋଟିକ ବିଷୟ ଛଡ଼ା ମନୁଷ୍ୟ ଅନ୍ୟ କୌଣସି ବିଷୟ ଉପଲବ୍‍ଧି କରିପାରେନାହିଁ । ରାମଚନ୍ଦ୍ର ମିଥିଳା ଦାଣ୍ଡରେ ଯିବାବେଳେ ତାହାଙ୍କୁ ଦେଖିବା ପାଇଁ ପୁରନାରୀମାନେ ଏତେ ଅଧିକ ପରିମାଣରେ ଆଗ୍ରାହାନ୍ୱିତ ହେଲେ ଯେ ସେତେବେଳେ ନିଜ ନିଜ ଉପସ୍ଥିତ କର୍ତ୍ତବ୍ୟ-ସମ୍ପାଦନରେ ସେମାନଙ୍କର ଚିତ୍ତ-ବିଭ୍ରମ ଜାତ ହେଲା । ଏହିପରି କୌଣସି ବିଷୟ ପାଇବା ପାଇଁ ଆଶା କରି ଅତ୍ୟନ୍ତ ଉତ୍କଣ୍ଠିତ ହେଲେ ସେ ବିଷୟ ପ୍ରାପ୍ତହେଲା ପରି ପ୍ରତୀତ ହୁଏ । ଏଣୁ କବି କହିଅଛନ୍ତି :–

 

“ଉତ୍କଣ୍ଠା କରିଲେ ହୃଦ-ଅଧିକାର

ଆଶା ଧରେ ଇଷ୍ଟ-ସିଦ୍ଧିର ଆକାର ।’’

 

ମନର ଅବସ୍ଥା କଥା କହିବାବେଳେ ପ୍ରକାଶିତ ହୁଏ । କାରଣ କଥା କହିବା ବାଗ୍-ଇନ୍ଦ୍ରିୟ ର କର୍ମ । ଉତ୍କଣ୍ଠା ହେତୁରୁ ଲାବଣ୍ୟବତୀର ଆଶା ଇଷ୍ଟ-ସିଦ୍ଧିର ଆକାର ଧରି ବାଗ୍-ଇନ୍ଦ୍ରିୟର କର୍ମରେ ପ୍ରକାଶିତ ହେଉଥିଲା, ତାହା ଉପେନ୍ଦ୍ରଭଞ୍ଜ ବର୍ଣ୍ଣନା କରି ଅଛନ୍ତି, ଯଥା : –

 

“ସ୍ୱରଭଙ୍ଗ-ପ୍ରବଳରେ ଭାଷା କେ ବର୍ଣ୍ଣେ ଉଚ୍ଚାରେ

ତଥାପି ବାଳା-ଭାବନା ଥାଇ ତହିଁରେ

ସବର୍ଣ୍ଣାଦି ଶବଦ ଶୁଣି

ସାଧୁ ଶୁକ ଅଇଲା କି ବୋଲି ହୁଅଇ ଗୁଣି ।”

 

ଶୁକର ପ୍ରତ୍ୟାଗମନକୁ ଲାବଣ୍ୟବତୀ ଉତ୍କଣ୍ଠିତ ହୋଇ ପ୍ରତୀକ୍ଷା କରୁଥିଲା । ଏଣୁ ସବର୍ଣ୍ଣାଦି ଶବ୍ଦ ଶୁଣିଲେ ଶୁକ ଆସିଲାପରି ତାହାକୁ ପ୍ରତୀତ ହେଉଥାଏ ଓ “ଶୁକ ଆସିଲା “ “ଶୁକ ଆସିଲା “ ସେ ଘୋଷୁଥାଏ । ଏଠାରେ କଥାରେ ଲାବଣ୍ୟବତୀର ମନର ଅବସ୍ଥା ଯେପରି ଜଣାପଡ଼େ ଶୈଳୀରୁ କବିର ମନର ଅବସ୍ଥା ମଧ୍ୟ ସେପରି ଜଣାପଡ଼େ । ଉପେନ୍ଦ୍ରଭଞ୍ଜଙ୍କ ଶୈଳୀ ଆଲୋଚନା କଲେ ଜଣାଯାଏ ଯେ ବ୍ୟାକରଣ ମାନି ଭାଷାକୁ ସୁଶୃଙ୍ଖଳ କରିବା ପାଇଁ ଆଦୌ ତାହାଙ୍କର ପ୍ରବୃତ୍ତି ନ ଥିଲା । ଭାତ ହାଣ୍ଡିରୁର ଗୋଟିଏ ଚିପିଲେ ଜଣାଯାଏ । ଭାଷାର ବ୍ୟବହାରରେ ଯାହାର ସଂଯମ ଥିଲା ସେ ସଂଯତ ଜୀବନ ଅତିବାହିତ କରୁଥିଲା ବୋଲି କୁହାଯାଇ ନ ପାରେ । ରାଧାନାଥ ଓ ମଧୁସୁଦନଙ୍କ ଜୀବନ ଯେପରି ସଂଯତ ସେମାନଙ୍କ ଶୈଳୀ ମଧ୍ୟ ସେପରି ସଂଯତ । କିନ୍ତୁ ବର୍ତ୍ତମାନ ଯୁଗରେ ଅନେକଙ୍କର ଶୈଳୀ ସଂଯତ ନୁହେଁ । ସ୍ୱାଧୀନତା ନାମରେ ସମାଜରେ ଯେଉଁ ଯଥେଚ୍ଛାଚାରିତା ଏବେ ଦେଖାଯାଉଅଛି ସାହିତ୍ୟରେ ତାହା ପ୍ରତିଫଳିତ ହେଉଅଛି । ଉପେନ୍ଦ୍ରଭଞ୍ଜ ଇନ୍ଦ୍ରିୟ-ତୃପ୍ତି ପାଇଁ ନିରନ୍ତର ଉତ୍କଣ୍ଠିତ ଥିବାର ତାହାଙ୍କ କବିତାରୁ ଯେପରି ଜଣାପଡ଼େ ରଚନାର ଆଶୁଗତି ପାଇଁ ଉତ୍କଣ୍ଠା ସେପରି ତାହାଙ୍କ ହୃଦ ଅଧିକାର କରିଥିବାର ତାହାଙ୍କ ଶୈଳୀରୁ ଜଣାପଡ଼େ । ଏଣୁ ବ୍ୟାକରଣର ଶୃଙ୍ଖଳା ସେ ମାନିବାକୁ ଆଦୌ ପ୍ରସ୍ତୁତ ନ ଥିଲେ ।

•••

 

କାବ୍ୟର କଥାବସ୍ତୁ

 

ପ୍ରକୃତି ଯେଉଁ ସୂତ୍ର ଅନୁସରଣ କରି ସୃଷ୍ଟି ପରିଚାଳନା କରୁ ଅଛି ମନୁଷ୍ୟ ସେହି ସୂତ୍ରକୁ ଜାଣି ଓ ତାହା ଅନୁସାରେ କାର୍ଯ୍ୟକରି ସଭ୍ୟତା-ପଥରେ ଅଗ୍ରସର ହେଉଅଛି । ପରମାଣୁମାନଙ୍କ ସଂଯୋଗ-ବିଭାଗରେ ପ୍ରକୃତିରେ ସୃଷ୍ଟି ଓ ଧ୍ୱଂସର କ୍ରିୟା ଚାଲିଅଛି ? ସେହି ସଂଯୋଗ ବିଭାଗ ବା ସଂଶ୍ଳେଷ-ବିଶ୍ଳେଷ (Synthes।s and analys।s) କର୍ମଦ୍ୱାରା ବିଜ୍ଞାନର ଉନ୍ନତି ସାଧିତ ହେଉଅଛି । ବୈଜ୍ଞାନିକ ଯେପରି ପଦାର୍ଥମାନଙ୍କର ଗୁଣଗୁଡ଼ିକୁ ବିଶ୍ଳେଷଣ କରି ବିଭିନ୍ନ ପଦାର୍ଥର ବିଭିନ୍ନ ଗୁଣ ଗୁଡ଼ିକୁ ସଂଶ୍ଳେଷଣ କଲେ ନୂତନ ପଦାର୍ଥ ସୃଷ୍ଟି ହୁଏ କବି ସେପରି ବିଭିନ୍ନ ମନୁଷ୍ୟର ଜୀବନ ବିଶ୍ଳେଷଣ କରି ବିଭିନ୍ନ ଘଟନାଗୁଡ଼ିକୁ ସଂଶ୍ଳେଷଣ କଲେ ନୂତନ କଥାବସ୍ତୁ ଓ ଚରିତ୍ର ସୃଷ୍ଟି ହୁଏ ।

 

ଜଳରେ ଶୈତ୍ୟ-ଗୁଣ ଅଛି । ଏହି ଗୁଣର ଆଧିକ୍ୟ ହେଲେ ଜଳ ବରଫରେ ପରିଣତ ହୁଏ । ଏ କଥା ଜାଣି କୃତ୍ରିମ ଉପାୟରେ ମନୁଷ୍ୟ ବରଫ ସୃଷ୍ଟି କରିପାରିଲା । ସେପରି କୌଣସି ବ୍ୟକ୍ତିର କେଉଁ କାର୍ଯ୍ୟ ଦେଖି ସମାଜ ସେହି ବ୍ୟକ୍ତିକୁ ଶ୍ରଦ୍ଧା ବା ଘୃଣାକରେ ତାହା କବି ଜାଣେ ଓ ସେ ସେହି କାର୍ଯ୍ୟକୁ ଏପରି ଚିତ୍ରକରେ ଯେ ତାହା ପାଠକଲେ ପାଠକର ପ୍ରାଣସ୍ପର୍ଶୀ ହୁଏ ।

 

ଡକାଏତମାନେ ଜୀବିକା-ନିର୍ବାହ ପାଇଁ ଡକାଏତ କଲେ ମଧ୍ୟ ଯେଉଁଠାରେ ଅପରର ଧନ ଅପହରଣ କରିବାପାଇଁ ବାଧା ପାଆନ୍ତି ନାହିଁ ସେଠାରେ ସେମାନେ କାହାରି ପ୍ରାଣ ବିନାଶ କରନ୍ତି ନାହିଁ । କିନ୍ତୁ ବିନା ପ୍ରୟୋଜନରେ କେବଳ ଅସୂୟାପରବଶ ହୋଇ ରାମଚନ୍ଦ୍ର ମଙ୍ଗରାଜ ନେତି-ଗାଈକୁ ଅପହରଣ କରି ସାରିଆର ଆତ୍ମହତ୍ୟାର କାରଣ ହୋଇଥିବାର ‘ଛ ମାଣ ଆଠଗୁଣ୍ଠ’ରୁ ପଢ଼ି ପାଠକର ହୃଦୟରୁ ଅସମ୍ଭାଳ ବେଗରେ ଘୃଣା ପ୍ରବାହିତ ହୁଏ । ଅସୂୟାରେ ଅପରର ଅମଙ୍ଗଳ ସାଧନ କରିବା ବ୍ୟକ୍ତି ଦେଖାଯାଆନ୍ତି । ଅତ୍ୟଧିକ ଦୁଃଖରେ ଆତ୍ମହତ୍ୟାର ଦୃଷ୍ଟାନ୍ତ ବିରଳ ନୁହେଁ । ଯାହାର ସନ୍ତାନ ନ ଥାଏ ସେ ବିରାଡ଼ିଟିଏ ବା ଗାଈଟିଏ ପୋଷି ତାହା ପ୍ରତି ସନ୍ତାନ-ବାତ୍ସଲ୍ୟ ଢାଳି ଦେଇଥାଏ । କୌଣସି ବନ୍ଧ୍ୟା ସ୍ତ୍ରୀର ଜୀବନ ବିଶ୍ଳେଷଣ କରି ତାହାର ଗାଈ ପ୍ରତି ଥିବା ସନ୍ତାନ-ବାତ୍ସାଲ୍ୟ ଓ ଅନ୍ୟ ଦୁଃଖିନୀର ଆତ୍ମ-ହତ୍ୟା-ଘଟନାକୁ ସଂଶ୍ଳେଷଣ କରି ଫକୀର ମୋହନ ସାରିଆର ଚରିତ୍ର ସୃଷ୍ଟି କରେ । ଭିନ୍ନ ଭିନ୍ନ ସ୍ଥାନରୁ କାଠ, ଇଟା ପ୍ରଭୃତି ବିଭିନ୍ନ ଉପକରଣ ସଂଗ୍ରହ କରି ନୂତନ ଗୃହ ନିର୍ମାଣ କରିବା ଭଳି କବି ବିଭିନ୍ନ ଲୋକଙ୍କ ଜୀବନର ବିଭିନ୍ନ ଘଟଣା ସଂଗ୍ରହ କରି ନୂତନ କଥାବସ୍ତୁ ବା ଚରିତ୍ର ସୃଷ୍ଟିକରେ । କେବଳ ସଚ୍ଚରିତ୍ର ଚିତ୍ର କରିବା କାବ୍ୟର ଲକ୍ଷ୍ୟ ନୁହେଁ । ତହିଁରେ ଅସଚ୍ଚରିତ୍ର ମଧ୍ୟ ଚିତ୍ରିତ ହେବ । ଏପରି ଭାବରେ ଚରିତ୍ର ଚିତ୍ରିତ ହେବ ଯେ, ଆମେ ତାହାକୁ ଜୀବନ୍ତ ବୋଲି ସମ୍ପୂର୍ଣ୍ଣରୂପେ ବିଶ୍ୱାସ କରିପାରିବୁ, ତାହା ପ୍ରତି ଆମର ହୃଦୟରୁ ଶ୍ରଦ୍ଧା ବା ଘୃଣା ଜାତ ହେଉଥିବ ଏବଂ ଗଭୀର ସହାନୁଭୂତି ମଧ୍ୟ ଜାଗ୍ରତ ହେଉଥିବ (We know and bel।eve ।n them as Thoroughly, we sympath।se w।th them as deeply, we love and hate them as cord।ally, as though they belonged to the world of flesh and blood. (Hudson) ।

 

ଏକ ଚରିତ୍ରରେ ଜୀବନର ଅନେକ କାର୍ଯ୍ୟ ବା ଘଟଣା ଥାଏ । କିନ୍ତୁ ପ୍ରତ୍ୟେକ କାର୍ଯ୍ୟ ବା ଘଟଣାରେ ତାହାର ଚରିତ୍ର ଜାଜ୍ୱଳମାନ ହୁଏନାହିଁ । ଏଣୁ ସେ ସବୁ ଘଟଣା ବା କାର୍ଯ୍ୟର ବର୍ଣ୍ଣନା କରିବାର ପ୍ରୟୋଜନ କବି ଉପଲବ୍ଧି କରେ ନାହିଁ । ଅନେକ ଦ୍ରବ୍ୟର ସ୍ପର୍ଶ ଗୁଣ ଥିଲେ ମଧ୍ୟ ଅଗ୍ନିରେ ତାହା ଯେପରି ଜାଜ୍ୱଲ୍ୟମାନ ସେପରି ଅନ୍ୟ କୌଣସି ଦ୍ରବ୍ୟରେ ନୁହେଁ । ଏହିପରି ପ୍ରତ୍ୟେକ ଚରିତ୍ର କୌଣସି କୌଣସି ବିଶେଷ ଘଟଣା ବା କାର୍ଯ୍ୟରେ ଜାଜ୍ୱଲ୍ୟମାନ ହୁଏ । କବି ତାହାକୁ ଚିତ୍ର କରେ । ପ୍ରତ୍ୟେକ ମନୁଷ୍ୟ ଠାରେ ଊଣା ଅଧିକରେ ଅସୂୟା ଥାଏ । କିନ୍ତୁ ଧନୀ ରାମଚନ୍ଦ୍ର ମଙ୍ଗରାଜ ନିରୀହ ଭଗିଆ-ସାରିଆ ପ୍ରତି ଯେଉଁ ବ୍ୟବହାର କଲା ତାହା ଜାଜ୍ୱଲ୍ୟମାନ ହେଲା । କିନ୍ତୁ ଏହି ଚରମ ବ୍ୟବହାର ସହସା ପ୍ରକାଶ ପାଇଲା ନାହିଁ । ଭଗିଆର ଜମିରେ ଧାନଫସଲ ଉତ୍କୃଷ୍ଟ ହୋଇଥିବାର ଦେଖି ମଙ୍ଗରାଜଙ୍କ ହୃଦୟରେ ଅସୂୟାର ଅଙ୍କୁର ଜାତ ହୋଇ ତାହାର କ୍ରମବିକାଶ ଘଟିଥିଲା । ପ୍ରକୃତିର ବିକାଶ-ନିୟମକୁ ଲଂଘି କବି କିଛି ସୃଷ୍ଟି କରେ ନାହିଁ ।

 

ପାଶ୍ଟାତ୍ୟ ସମାଲୋଚକଙ୍କ ମତରେ କାବ୍ୟ ଯେତେ ବଡ଼ ହେଲେ ମଧ୍ୟ ତାହାର କଥାବସ୍ତୁର ବର୍ଣ୍ଣନା ପାଇଁ ଦଶୋଟିରୁ ଅଧିକ ଶବ୍ଦର ପ୍ରୟୋଜନ ନାହିଁ । ଏହି ବର୍ଣ୍ଣନାରେ କୌଣସି ସତ୍ୟ ପରିସ୍ଫୁଟ ହେଉଥିବ । ଏହି ମତ ଅନୁସାରେ “ଅଧର୍ମ ମାଲ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ’’ ଏହା ଛ ମାଣ ଆଠଗୁଣ୍ଠର ସାରକଥା ବୋଲି କୁହାଯାଇପାରେ । କିନ୍ତୁ ‘ମାଟିର ମଣିଷ‘ ଉପନ୍ୟାସର ଏପରି ସାରକଥା ନାହିଁ । କୌଣସି ଗୋଟିଏ ସତ୍ୟକୁ ମୂର୍ତ୍ତିମନ୍ତ କରିବା ନିମନ୍ତେ ଲକ୍ଷ୍ୟ ରଖି ସେହି ସତ୍ୟ ସମ୍ବନ୍ଧୀୟ ଘଟନା ବା କାର୍ଯ୍ୟ ବର୍ଣ୍ଣନା ନ କଲେ କଥା-ବସ୍ତୁ ଜୀବନ୍ତ ପ୍ରତୀୟମାନ ହୁଏନାହିଁ ।

 

ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଅବସ୍ଥାରେ ବିଭିନ୍ନ କଥାବସ୍ତୁ ଓ ଚରିତ୍ରକୁ ତୁଳନା କରାଯାଇପାରୁନାହିଁ । ଲେଖକମାନେ ଚରିତ୍ର ଚିତ୍ରଣରେ କିପରି ସ୍ଥଳରେ କାହାର କି ପ୍ରକାର କାର୍ଯ୍ୟ ବର୍ଣ୍ଣନା କରିବା ଉଚିତ ତାହାର ସୂଚନା ଏଠାରେ ଦିଆଯାଉଅଛି ।

 

କପଟୀ–ଦୁରଭିସନ୍ଧି ଘୋଡ଼ାଇବାକୁ ଚେଷ୍ଟାକରେ । ଶତ୍ରୁ ସଙ୍ଗରେ ବାହ୍ୟ ବନ୍ଧୁତା ସ୍ଥାପନ କରି ତାହାର ବିରୁଦ୍ଧରେ ଗୁପ୍ତ ଚକ୍ରାନ୍ତ କରୁଥାଏ । ତାହାକୁ ଖୋଷାମତ ମଧ୍ୟ କରେ । କେହି କେହି ଗାଳିଦେଲେ ମଧ୍ୟ ସେ ସହିଯାଏ । କେହି କିଛି ଅନୁରୋଧ କଲେ କହେ–“କାଲି ଆସ, ଦେଖିବା’’ । କୌଣସି କାର୍ଯ୍ୟ କରିବା ପାଇଁ ସ୍ଥିର କରିଥିଲେ ମଧ୍ୟ କରିବି କି ନାହିଁ ଚିନ୍ତା କରୁଅଛି ବୋଲି କହେ । କିଛି ଶୁଣିଥିଲେ ବା ଦେଖିଥିଲେ କେହି ପଚାରିଲେ ଅସ୍ୱୀକାର କରେ । ଜବାବ ରକ୍ଷା କରିବାକୁ ପାସୋରି ଦେଲି ବୋଲି କହେ ।

 

ଅଭଦ୍ର–କର୍କଶ ସ୍ୱରରେ କଥା କହେ । ଅସଂଯତ ଭାବରେ ବସେ । ବନ୍ଧୁମାନଙ୍କୁ ବିଶ୍ୱାସ କରେ ନାହିଁ । ଭୃତ୍ୟମାନଙ୍କ ସଙ୍ଗେ ଗୁରୁତର ବିଷୟର ଆଲୋଚନାରେ ପ୍ରବୃତ୍ତ ହୁଏ । ତାହାର ସୌନ୍ଦର୍ଯ୍ୟ ବୋଧ ନ ଥାଏ । ଖାଦ୍ୟ ବିଷୟରେ ତାହାର ସ୍ଥାନ-ଅସ୍ଥାନ ବିଚାର ନ ଥାଏ ।

 

ସୁବିଧାବାଦୀ–ପୃଥିବୀର ପ୍ରତ୍ୟେକ ଲୋକଙ୍କୁ ତୃପ୍ତ କରିବାକୁ ଚେଷ୍ଟାକରେ । ଫଳରେ ସଦ୍‍ବୃତ୍ତିର ଉଚ୍ଛେଦ ସାଧନ କରେ । କୌଣସି ବିବାଦରେ ମଧ୍ୟସ୍ଥ ହେଲେ ଉଭୟ ପକ୍ଷଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ନ୍ୟାୟ କଥା କହେ ନାହିଁ । ସାଧାରଣତଃ ବିଳାସପ୍ରିୟ ହୋଇଥାଏ । ନିଜର ଦାନଶୀଳତା ସମସ୍ତଙ୍କୁ କହେ ।

 

ବହୁଭାଷୀ–ଅନ୍ୟକୁ କୁହାଇ ନ ଦେଇ ନିଜେ କେବଳ ଗପୁଥାଏ । ସେ କୌଣସି ସଂବାଦ ସଂଗ୍ରହ କଲେ ତାହା ଚାରିଆଡ଼େ କହିବୁଲେ ।

 

ନିର୍ଲଜ୍ଜ–କାମନା ଓ ସାହସ ବଳରେ ଆପଣାର ଖ୍ୟାତିକୁ ବଳି ଦେଇ ସମାଜ-ରୁଚିର ବିଗର୍ହିତ କାର୍ଯ୍ୟକରେ । ଏହି ଚରିତ୍ରଟି ଯଥାର୍ଥ ରୂପେ “ଧରମ-ଝିଅ” ଗଳ୍ପରେ ଚିତ୍ରିତ । “ଯେତେ ମାଠିବୁ ମାଠ, ସେ ସେହି ଦରପୋଡ଼ା କାଠ” ସତ୍ୟଟି ଏଥିରେ ମଧ୍ୟ ମୂର୍ତ୍ତିମନ୍ତ ହୋଇଅଛି । ଅବୋଧ ବାଳିକାକୁ ପାଲରେ ପକାଇବା କୌଶଳ ମଧ୍ୟ ଏଥିରେ ସୁନ୍ଦରରୂପେ ଚିତ୍ରିତ । କେବଳ ଶେଷରେ ଶାନ୍ତିର ଉପଦେଶଗର୍ଭକ ବକ୍ତୃତାର ପ୍ରୟୋଜନ ନ ଥିଲା ।

 

କୃପଣ–ପଇସାକର ବାଇଗଣ କିଣିଲେ ମଧ୍ୟ ବଡ଼ ମହରଗ ହେଲା ବୋଲି କହିବ । ବଜାରକୁ ଯାଇ କିଛି ନ କିଣି ଶୂନ୍ୟ ହାତରେ ଫେରି ଆସିବ । ପଡୋଶୀକି ପଇସାଟିଏ ଧାର ନ ଦେବା ପାଇଁ ନିଜ ସ୍ତ୍ରୀକୁ ବାରମ୍ବାର କହୁଥିବ ।

 

ସମାଜର ଲୋକଙ୍କ ସହିତ ମିଶି ସେମାନଙ୍କ ଚରିତ୍ର ପର୍ଯ୍ୟାଲୋଚନା କରିଥିଲେ ଏହିପରି ଅନେକ କଥା ଲେଖକ ଜାଣିଥାଏ । ଏ ଗୁଡ଼ିକୁ ଚିତ୍ର କଲେ ଯଥାର୍ଥ ଚରିତ୍ର-ଚିତ୍ରଣ ହୁଏ ।

 

ନିଜ ସମାଜରୁ କଥାବସ୍ତୁ ବା ଚରିତ୍ର ସଂଗ୍ରହ କରି ନ ପାରିଲେ ଅନ୍ୟ ଦେଶର ସାହିତ୍ୟରୁ ସଂଗ୍ରହକରି ତାହାକୁ ନିଜସ୍ୱ କରିବା ଦୋଷାବହ ନୁହେଁ । ରାଧାନାଥ ଏପରି କରିଥିଲେ । ନଦୀ-ଦେବତା ପିନିୟସଙ୍କ କନ୍ୟା ଡେଫିନି ପଛରେ ରୂପମୁଗ୍ଧ ଅପଲୋ ଧାଇଁ ଥିବାର ପ୍ରାଚୀନ ଗଳ୍ପ ଗ୍ରୀକ ସାହିତ୍ୟରେ ଥିଲା । ତାହାକୁ ଅବଲମ୍ବନ କରି ରାଧାନାଥ ‘ଚନ୍ଦ୍ରଭାଗା’ କାବ୍ୟ ରଚନା କରିଅଛନ୍ତି । ଡେଫିନି ଲରେଲ-ବୃକ୍ଷରେ ପରିଣତ ହୋଇଥିଲା । ଚନ୍ଦ୍ରଭାଗା ସମୁଦ୍ରରେ ମିଶିଗଲା ।

 

‘ଉଷା’ କାବ୍ୟ ମଧ୍ୟ ଗ୍ରୀସ ଦେଶୀୟ ଗଳ୍ପରୁ ଅବଲମ୍ବନରେ ରଚିତ । ଜିୟସ୍ ଓ କ୍ଲାଇ ମିନିଙ୍କ କନ୍ୟା ଆଟଳଣ୍ଟା ଶୈଶବରେ ପରିତ୍ୟକ୍ତା ହୋଇ ଗୋଟିଏ ଭଲ୍ଲୁକୀ ଦ୍ୱାରା (ଆଲୋକ ଦେବତାର ପ୍ରତୀକ) ପ୍ରତିପାଳିତା ହୋଇଥିଲା । ସେ ଦ୍ରୁତବେଗରେ ଧାଇଁ ପାରୁଥିଲା ଓ ଶିକାରରେ ତାହାର ଦକ୍ଷତା ଥିଲା । ତାହାର ପିତା ତାହାକୁ ଚିହ୍ନି ନିଜର ଗୃହକୁ ନେଇ ତାହାର ବିବାହ ପାଇଁ ଚିନ୍ତିତ ହୋଇଥିଲେ । ଦୌଡ଼ିବା-ପ୍ରତିଯୋଗିତାରେ ଅଟଳଣ୍ଟାକୁ ଯେ ଜିତିବ ସେ ତାହାର ସ୍ୱାମୀ ହେବ ଅଥବା ହାରିଲେ ମୃତ୍ୟୁଦଣ୍ଡ ପାଇବ ବୋଲି ପଣ କରିଥିଲେ । ଅନେକ ଯୁବକ ପ୍ରତିଯୋଗିତା କରି ନିହତ ହୋଇଥିଲେ । ଶେଷରେ ଆପ୍ରୋଂତଟିଙ୍କ କୃପାରୁ ଦୌଡ଼ିବା ବେଳେ ବାଟରେ ସ୍ୱର୍ଣ୍ଣ ରାଜଆମ୍ବ-ଫଳ ତିନୋଟି ଫିଙ୍ଗିବାରୁ ଆଟଲଣ୍ଟା ଗୋଟାଉ ଗୋଟାଉ ମିଲେନିଅନ ଜିତିଥିଲା ଓ ବିବାହ କରିଥିଲା ।

 

୧୩୩୬ ସାଲର ଜ୍ୟୈଷ୍ଠ ସଂଖ୍ୟାରେ ପ୍ରକାଶିତ ମୋହର ବନ୍ଧୁ ଶ୍ରୀଯୁକ୍ତ ପରମାନନ୍ଦ ଆଚାର୍ଯ୍ୟଙ୍କ ପ୍ରବନ୍ଧ ପଢ଼ିଲେ ‘ପାର୍ବତୀ’ କାବ୍ୟର କଥାବସ୍ତୁ ରାଧାନାଥ କିପରି ସଂଗ୍ରହ କରିଥିଲେ ବୁଝାଯାଏ । ସେକ୍ସପିୟରଙ୍କ ହେମଲେଟ୍‍ଙ୍କ ଭୂତର ଗଳ୍ପ ଓ ଏସକାଇଲସଙ୍କ ଅଗାମେନର କଞ୍ଚୁକୀ ପ୍ରଭୃତି କଥାର ଅବଲମ୍ବନରେ ‘ପାର୍ବତୀ’ ରଚିତ

ପୌରାଣିକ ଗଳ୍ପକୁ ନୂତନ ଆକାରରେ (Neo-class।c) ମଧ୍ୟ ପରିଣତ କରାଯାଇପାରେ । ରାଧାନାଥଙ୍କ ‘ମହାଯାତ୍ରା’ ଏହି ପ୍ରକାରର ରଚନା ।

•••

 

ରାଧାନାଥଙ୍କ ପ୍ରକୃତି-ଚିତ୍ରଣ *

 

ଶିକ୍ଷିତ, ଅଶିକ୍ଷିତ, ବାଜ, ବୃଦ୍ଧ, ଯୁବା ପ୍ରଭୃତି ଯେ କୌଣସି ପ୍ରକାରର ନର ବା ନାରୀ ହେଉ ସେ ପ୍ରାକୃତିକ ଦୃଶ୍ୟ ଦେଖି ଆନନ୍ଦ ଅନୁଭବ କରେ । ଜନ-ଗହଳ ଛାଡ଼ି ବଣ-ଭୋଜି ପାଇଁ ବଣକୁ ଗଲେ ବଣର ନୀରବତା ତାହାକୁ ଭଲ ନ ଲାଗେ ? ମୟୂରର ନୃତ୍ୟ ଦେଖିବାକୁ, କୋକିଳର ସଙ୍ଗୀତ ଶୁଣିବାକୁ, ଦୁଇ ଷଣ୍ଢର ଲଢ଼ାଇ ଦେଖିବାକୁ ଓ ପ୍ରସ୍ଫୁଟିତା କାମିନୀ ବା ମାଳତୀ ଲତାର ଶୋଭା ଦେଖିବାକୁ କିଏ ଆଗ୍ରହ ପ୍ରକାଶ ନ କରେ ? ସମସ୍ତେ ପ୍ରକୃତିର ଦୃଶ୍ୟ ବା କ୍ରିୟା ଦେଖି ଆନନ୍ଦ ଲାଭକରନ୍ତି । ଆନନ୍ଦ ସାହିତ୍ୟର ଲକ୍ଷ୍ୟ ହୋଇ ଥିବାରୁ କବିମାନେ କବିତାରେ ପ୍ରକୃତି-ବର୍ଣ୍ଣନା ସମାବେଶ କରନ୍ତି ।

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ତିନି ପ୍ରକାରର ପ୍ରକୃତି-ବର୍ଣ୍ଣନା ଦେଖାଯାଏ । ପ୍ରାଚୀନ କବିମାନେ ଉପମା, ରୂପକ, ପ୍ରଭୃତି ବିବିଧ ଅଳଙ୍କାର ପ୍ରକୃତିର ଭଣ୍ଡାରରୁ ଆଣି ନିଜ ନିଜ କବିତାକୁ ମଣ୍ଡି ଅଛନ୍ତି । କେବଳ ମୁଖ ବା ପଦ କହିଲେ ପାଠକମାନେ ସୌନ୍ଦର୍ଯ୍ୟ ଅନୁଭବ କରି ପାରିବେ ନାହିଁ ବୋଲି କବିମାନେ ଚନ୍ଦ୍ରମୁଖ ବା ପଦକମଳ କହନ୍ତି । ଏହିପରି ଅନେକ ପ୍ରକାରର ପ୍ରୟୋଗ ଦେଖାଯାଏ । କାବ୍ୟର ନାୟକ-ନାୟିକାମାନଙ୍କର କର୍ମ-ସ୍ଥଳ ବା କର୍ମକାଳର ପରିଚୟ ଦେବା ପାଇଁ ପ୍ରାଚୀନ କବିମାନେ ପ୍ରକୃତି-ବର୍ଣ୍ଣନା କରୁଥିଲେ । ଓଡ଼ିଆ ରାମାୟଣ-ମହାଭାରତ ଓ ଉପେନ୍ଦ୍ରଭଞ୍ଜଙ୍କ କାବ୍ୟମାନଙ୍କରେ ବଣର ଚିତ୍ର ଓ ଋତୁର ବର୍ଣ୍ଣନା ଦେଖାଯାଏ । ଏହା ଛଡ଼ା ଯାତ୍ରାର ଅନୁକୂଳ ସମୟରେ ଭଦଳିଆ ପକ୍ଷୀ ଉଡ଼ିବା ବା ଅନ୍ୟ ସମୟରେ ପେଚା ରାବିବା ଦ୍ୱାରା-ପ୍ରକୃତି ମନୁଷ୍ୟର ଭାବୀ ଶୁଭ ବା ଅଶୁଭ କିପରି ସୂଚନା କରେ ତାହା ମଧ୍ୟ ପ୍ରାଚୀନ ସାହିତ୍ୟରେ ବର୍ଣ୍ଣିତ ଅଛି । ଏହି ସମସ୍ତ ପ୍ରକାରର ପ୍ରକୃତ ଚିତ୍ରଣ ରାଧାନାଥଙ୍କ କାବ୍ୟରେ ଦେଖାଯାଏ । ବିଶେଷତଃ ପ୍ରାଚୀନ ଓଡ଼ିଆ କବିଙ୍କ ପ୍ରକୃତ-ଚିତ୍ରଣ ପୂର୍ଣ୍ଣାଙ୍ଗ ନୋହି ରାଧାନାଥଙ୍କର ପୂର୍ଣ୍ଣାଙ୍ଗ ହୋଇ ଥିବାରୁ ତାହା ଅଧିକ ମନୋହର ଜଣାଯାଏ । ‘କେଦାରଗୌରୀ କାବ୍ୟରେ ଭୁବନେଶ୍ୱରର ସନ୍ଧ୍ୟା-ବର୍ଣ୍ଣନା, ’ଯଯାତି-କେଶରୀ’ରେ ଯାଯପୁର ବନ-ବର୍ଣ୍ଣନା, ’ପାର୍ବତୀ’ରେ ପୁରୀର ବସନ୍ତ ଋତୁର ବର୍ଣ୍ଣନା ଓ ‘ଚନ୍ଦ୍ରଭାଗା’ରେ କୋଣାର୍କ ନିକଟବର୍ତ୍ତୀ ସମୁଦ୍ର-କୂଳର ସନ୍ଧ୍ୟା-ବର୍ଣ୍ଣନା ପଢ଼ିଲେ ପାଠକ ନିଜ ଚକ୍ଷୁରେ ସେ ସମସ୍ତ ଦୃଶ୍ୟ ଦେଖି ଆନନ୍ଦ ଉପଭୋଗ କରୁଥିବା ପରି ଉପଲବ୍ଧି କରେ । ମହାନଦୀର ସାତକୋଶିଆ ଗଣ୍ଡ ନ ଦେଖି ‘ମହାଯାତ୍ରା’ ପଢ଼ି ଅନେକ ପାଠକ ସାତ କୋଶିଆ ଗଣ୍ଡର ଅବସ୍ଥାନ ଧାରଣା କରି ପାରନ୍ତି । ଚିଲିକା ଦେଖି ଦର୍ଶକ ଯେତେ ଆନନ୍ଦ ଅନୁଭବ କରେ ରାଧାନାଥଙ୍କ ‘ଚିଲିକା’ କାବ୍ୟପଢ଼ି ପାଠକ ତାହା ଅପେକ୍ଷା ଅଧିକ ଆନନ୍ଦ ଅନୁଭବ କରେ । କାରଣ, ଦର୍ଶକ ଓଡ଼ିଶାର ସୀମାବଦ୍ଧ ବର୍ତ୍ତମାନ ଚିଲିକାକୁ ଦେଖେ; କିନ୍ତୁ ପାଠକ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ବିଶ୍ୱବ୍ୟାପୀ ଚିଲିକା ଉପଲବ୍ଧି କରେ । ‘ଚିଲିକା’ ପଢ଼ିଲେ ଭାରତର ବିଭିନ୍ନ ସ୍ଥାନ, ଆକାଶର ଗ୍ରହନକ୍ଷତ୍ର, ଓଡ଼ିଶାର ଅତୀତ ପ୍ରଭୃତି ନା ନା କଥା ମନରେ ନାଚି ଉଠେ । ଏପରି ବର୍ଣ୍ଣନା ପ୍ରାଚୀନ ସାହିତ୍ୟରେ ନାହିଁ, ‘ପାର୍ବତୀ’ କାବ୍ୟରେ ଗଙ୍ଗେଶ୍ୱର ଦେବଙ୍କ ବିଜୟ-ସଙ୍କେତକୁ ଚାହିଁ ବସିଥିବା କଞ୍ଚୁକୀ ଅଟ୍ଟାଳିକା ଉପରେ ଗୃଧ୍ର ବସିବା, ଆକାଶରୁ ଉଲ୍‍କା ପଡ଼ିବା ଓ ପେଚା ରାବିବା ପ୍ରଭୃତିରୁ ଭାବୀ ଅଶୁଭ ଆଶଙ୍କା କରୁଥିବା ବର୍ଣ୍ଣନା କରାଯାଇଅଛି ।

ରାଧାନାଥ ‘ନନ୍ଦିକେଶ୍ୱରୀ’ କାବ୍ୟରେ ବିଡ଼ାନାସୀର ସନ୍ଧ୍ୟା ବର୍ଣ୍ଣନାରେ : –

“ତାରାଟିଏ ଫୁଟି ଗୋଧୂଳି-କୁନ୍ତଳେ

ଦେଖୁଅଛି ମୁଖ କାଠଯୋଡ଼ି-ଜଳେ ।”

 

କହି ତତ୍ପରେ ଅନ୍ଧକାରର ଆଗମନ ବର୍ଣ୍ଣନା କଲେ । ତତ୍ପରେ ବିଡ଼ାନାସୀ ଗଡ଼ର ଉତ୍ସବ ବର୍ଣ୍ଣନାକରି : –

 

“ଆଜ ଜଗତୀରେ ଜଗତ ମୋହିନୀ

କି ଭାବନା ଭାବୁଅଛି ଏକାକିନୀ ।”

 

ବର୍ଣ୍ଣନାକଲେ । ତାରାଟି ଯେପରି ସନ୍ଧ୍ୟା-ଶୋଭା ପ୍ରତି ଉଦାସୀନ ରହି ନିଜ ମୁଖ ଦେଖୁଥିଲା, ନନ୍ଦିକେଶ୍ୱରୀ ସେପରି ଗଡ଼ର ଉତ୍ସବ ପ୍ରତି ଉଦାସୀନ ରହି ନିଜ କଥା ଚିନ୍ତା କରୁଥିଲା । ସନ୍ଧ୍ୟା ଉତ୍ତାରୁ ଯେପରି ଅନ୍ଧକାର ଆସିଲା ଗଡ଼ରେ ଉତ୍ସବ ଉତ୍ତାରୁ ସେପରି ଘଟିଲା–

 

“ନିଶା ମୁଖେ ଯହିଁ ହାସ୍ୟର କଲ୍ଲୋଳ

ନିଶା ଶେଷେ ତହିଁ କ୍ରନ୍ଦନର ରୋଳ ।”

 

ମନୁଷ୍ୟ ଜୀବନ ସହିତ ପ୍ରକୃତିର ଏପରି ସାମଞ୍ଜସ୍ୟ ଥିବା ରାଧାନାଥଙ୍କ ପୂର୍ବରୁ କୌଣସି ଓଡ଼ିଆ କବି କହି ନ ଥିଲେ । ଏପରି ବର୍ଣ୍ଣନା Tennyson ଙ୍କ ।dylls of the k।ng ଓ Enoch Arden ପ୍ରଭୃତି କାବ୍ୟରେ ଦେଖାଯାଏ ।

 

ପୁରୀର ବସନ୍ତ-ଦୃଶ୍ୟ ଓ ଦୋଳାତ୍ସବ ବର୍ଣ୍ଣନା ଉତ୍ତାରୁ ରାଧାନାଥ କହିଲେ–

 

“ଏ ବିଭବେ ଥାଇମହାରାଣୀଙ୍କର

ମନେ ନାହିଁ ସୁଖ-ଲେଶ,

କି କୌଶଳେ କଲାଶୋକ-କୀଟ ଏହି

କୁସୁମ-ବନେ ପ୍ରବେଶ ।”

 

ଏପରି ବର୍ଣ୍ଣନା Arnold ଙ୍କ Sohrab and Rustum କାବ୍ୟରେ ଦେଖାଯାଏ-। Oxus ନଦୀ ତୀରବର୍ତ୍ତୀ ଘଟଣାମାନଙ୍କ ପ୍ରତି ତିଳେ ମାତ୍ର ଦୃଷ୍ଟି ନ ଦେଇ ସାଗର ଅଭିମୁଖରେ ଧାଉଁଥିବାର ଏହି କାବ୍ୟରେ ବର୍ଣ୍ଣିତ ହୋଇଅଛି । ସେପରି ପାର୍ବତୀଙ୍କ ବ୍ୟଷ୍ଟିଜୀବନ ପ୍ରତି ଉଦାସୀନ ରହି ପ୍ରକୃତି ସମୂହ ମାନବ ଜୀବନ ସହିତ ଆନନ୍ଦରେ ମାତି ଥିବାର ବର୍ଣ୍ଣନା କରାଯାଇଅଛି ।

 

ବସନ୍ତ-ଋତୁର ଉତ୍ସବ ଓ ଜନସମାଜର ଦୋଳାତ୍ସବରେ ଆନନ୍ଦ ଅନୁଭବ ନ କରି ପାର୍ବତୀ ଶୋକରେ ବିଷର୍ଣ୍ଣ ଥିବାର ବର୍ଣ୍ଣନା କରିବାର ଅଭିପ୍ରାୟ ଏହି ଯେ ମନୁଷ୍ୟ ସନ୍ତାନ ବିରହରେ ଅଭିଭୂତ ହେଲେ କୌଣସି ଉତ୍ସବ ତାହାର ମନରେ ଶାନ୍ତି ଜନ୍ମାଇ ନ ପାରେ । ରାଧାନାଥ Wordsworth ଙ୍କ ପରି ପ୍ରଶାନ୍ତ ନୀରବ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ବୁଡ଼ାଇ ଦେଇ ତହିଁରେ ଶାନ୍ତି ଉପଲବ୍ଧି କରୁଥିଲେ । ଏଣୁ ସେ ଚିଲିକାରେ ଲେଖିଅଛନ୍ତି–

 

“ବିରାଟ ନୋହି ତୁ ଯେଣୁ ସୁବୃହତ୍

ସ୍ତବ୍ଧନୋହିମନ ହୁଅଇ ଉନ୍ନତ ।”

“ପ୍ରଶାନ୍ତ ନୀରବ ଗିରି ବନ ଦେଶ

ନାହିଁ ଏଥି ନର-ଚର୍ହଳର ଲେଶ ।”

“ଦୂର ଝର-ନାଦ ଝିଙ୍କାରୀ-ଝଙ୍କାର

କରେ ନିଶୀଥିନୀ-ପ୍ରଭାବ ପ୍ରଚାର ।”

“କଳି-ଉପଦ୍ରବ ତ୍ୟଜି ଲୋକାଳୟ

ଶାନ୍ତିକି ଏ ସ୍ଥଳେ ଭଜିଲେ ଆଶ୍ରୟ ।”

 

ଯେଣେ ଇଚ୍ଛା ତେଣେ ଗଲେ ମଧ୍ୟ Yarrow ନଦୀକୁ ପାସୋରି ପାରିବେ ନାହିଁ Wordsworth କହିଥିଲେ । ରାଧାନାଥ ଚିଲିକା ସମ୍ବନ୍ଧରେ ସେପରି କହିଲେ–

 

“ସଂସାର-ନିରୟେ ଅଙ୍ଗ ଦେଇ ଢାଳି

କରିବି ଏହାକୁ ସ୍ମୃତିର ସଙ୍ଖାଳି ।”

 

ବାହ୍ୟ ପ୍ରକୃତିର କାର୍ଯ୍ୟ ଯେପରି ମନୁଷ୍ୟ ପ୍ରକୃତିର କାର୍ଯ୍ୟ ମଧ୍ୟ ଠିକ୍ ସେହିପରି–ଏହା ଉପଲବ୍ଧି କରି ରାଧାନାଥ କହିଅଛନ୍ତି–

 

“ତୋହରି ପୁଳିନେ ମୃଗତୃଷ୍ଣା ପ୍ରାୟେ

ମନୋମୃଗକୁ ସେ ଜଗତେ ଭ୍ରମାଏ ।”

 

ଭାରତରେ ଦ୍ୱୈତ ଓ ଅଦ୍ୱୈତ ଭେଦରେ ଦୁଇ ପ୍ରକାର ଦାର୍ଶନିକ ମତ ଅଛି ଅଦ୍ୱୈତବାଦୀମାନେ ଏକ ନିରାକାର ବ୍ରହ୍ମ ଛଡ଼ା ଅନ୍ୟ ପଦାର୍ଥର ଅସ୍ତିତ୍ୱ ସ୍ୱୀକାର କରନ୍ତି ନାହିଁ । ସେମାନଙ୍କ ମତରେ ଭୂତ ପଦାର୍ଥ ମିଥ୍ୟା । ଦ୍ୱୈତବାଦୀଙ୍କ ମତରେ ଆତ୍ମା ଓ ପ୍ରକୃତି ମିଶି ବିଶ୍ୱର ସୃଷ୍ଟି । ସୂକ୍ଷ୍ମ ଶାନ୍ତ ପ୍ରକୃତିରୁ ସ୍ଥଳ ଭୂତ ପଦାର୍ଥମାନଙ୍କର ଉତ୍ପତ୍ତି । ରାଧାନାଥ ପ୍ରକୃତିର ଶାନ୍ତ ମୂର୍ତ୍ତି ଉପଲବ୍ଧି କରି କହି ଅଛନ୍ତି–

 

“ସ୍ନିଗ୍ଧ ରୂପ ତୋର ଚିତ୍ତ-ଉଲ୍ଲାସକ,

ସୁମଧୁର ଦ୍ୱୈତ ଭାବର ଦ୍ୟୋତକ ।”

 

ରାଧାନାଥ ଦ୍ୱୈତବାଦୀ ଥିବାରୁ ପ୍ରକୃତିର ଅନ୍ତରାଳରେ ଆତ୍ମା ଅନୁଭବ କରିନାହାନ୍ତି । ପ୍ରକୃତିର ମୂଳ ରୂପକୁ ସେ ମୃଗତୃଷ୍ଣିକା ମନେକରୁଥିଲେ । ସେ କହିଅଛନ୍ତି–

 

“ସେ ଘୋର ଅଧ୍ୟାନେ ଭାଙ୍ଗିଗଲା ଧ୍ୟାନ,

ଧ୍ୟାନ ସଙ୍ଗେ ଦୃଶ୍ୟ ହେଲା ଅନ୍ତର୍ଦ୍ଧାନ ।

ଜାଣିଲି ସେ ସବୁ କଳ୍ପନା-କୌଶଳ,

ଫେଡ଼ନ୍ତେ ନୟନ ଦେଖିଲି କେବଳ ।

ଅନନ୍ତ-ନୀଳିମା-ଦ୍ୟୁତି-ବିଭାସିତ

ତୋ’ ଅମର ସତ୍ତା ଅଗ୍ରେ ବିରାଜିତ ।”

 

ଏଥିରୁ ଜଣାଯାଏ ଯେ ଅନ୍ତର୍ଦୃଷ୍ଟି ସାହାଯ୍ୟରେ କବି ପ୍ରକୃତି ମଧ୍ୟରେ ଆତ୍ମାର ଅସ୍ତିତ୍ୱ ଉପଲବ୍ଧି କରି ନାହାନ୍ତି । ଭୌତିକ ଚକ୍ଷୁକୁ ଯେଉଁ ନୀଳିମା-ସତ୍ତା ଦେଖାଗଲା ତାହା ପ୍ରକୃତିର ଅମର ସତ୍ତା ବୋଲି ସେ ଅନୁଭବ କଲେ ।

 

ରାଧାନାଥ ଶ୍ୱାସ ରୋଗୀ ଥିଲେ । ବଦ୍ଧ ଗୃହରେ ଶ୍ୱାସ-ରୋଗର ଯନ୍ତ୍ରଣା ବଢ଼େ । ମୁକ୍ତ ଆକାଶ-ତଳ ବିଶେଷତଃ ସମୁଦ୍ରକାଳର ମୁକ୍ତ ଆକାଶ-ତଳ ଶ୍ୱାସରୋଗୀ ପକ୍ଷରେ ବଡ଼ ଆରାମପ୍ରଦ । ପୁଣି ଶିକ୍ଷାବିଭାଗର ପରିଦର୍ଶକ କର୍ମଚାରୀ ଥିବାରୁ ଓଡ଼ିଶାରେ ସର୍ବତ୍ର ବୁଲିବାର ସୁଯୋଗ ସେ ପାଇଥିଲେ । ସେତେବେଳେ ମୋଟର ନଥିବାରୁ ଗାଡ଼ିରେ ବା ହାତୀରେ ବଢ଼ି ପ୍ରକୃତିର ଲୀଳା-ଭୂମି ଗଡ଼ଜାତ ଅଞ୍ଚଳ ସେ ଭ୍ରମଣକରୁଥିଲେ । ଏଣୁ ସେ ବହୁ ପ୍ରାକୃତିକ ଦୃଶ୍ୟ ଦେଖିବା ପାଇଁ ଅବକାଶ ପାଇଥିଲେ । ଅନ୍ତରରେ ଭାଷା-ସ୍ରୋତ ଥିବାରୁ ତାହା ସାହାଯ୍ୟରେ ହୃଦୟର ଅନୁଭୂତି ଉଚ୍ଛୁଳି ପଡ଼ିଲା । ଏଣୁ ତାହାଙ୍କ ପ୍ରକୃତି-ଚିତ୍ରଣ ବଡ଼ ମନୋହର ହୋଇଅଛି ।

 

*

୧୧-୩-୧୯୪୭ରେ କଲିକତାରୁ ବେତାର-ବାର୍ତ୍ତାରେ ପ୍ରଚାରିତ ।

•••

 

ରାଧାନାଥଙ୍କ ଜୀବନର ଦର୍ଶନ *

 

“ଚିର ହାହାମୟ ଏ ଛାର ଜୀବନ,

ଜୀବନ ନୁହଇ ଜୀବନ୍ତ ମରଣ ।”

 

ଏହିପରି କେତେକ ଉକ୍ତି ରାଧାନାଥଙ୍କ କାବ୍ୟମାନଙ୍କରେ ଥିବାରୁ ଅନେକ ପାଠକ ମନେ କରନ୍ତି ଯେ, ରାଧାନାଥ ଦୁଃଖବାଦୀ ଥିଲେ । କିନ୍ତୁ ମନେ ରଖିବାକୁ ହେବ ଯେ ଦାର୍ଶନିକ ପରି ଯୁକ୍ତିବଳରେ ଦୁଃଖବାଦ ବା ସୁଖବାଦ କବି ପ୍ରଚାର କରନ୍ତି ନାହିଁ । କବି ଅଭିଜ୍ଞତା ଅର୍ଜନ କରି ଅନ୍ତରରେ ଜୀବନ ସମ୍ବନ୍ଧରେ ଯାହା ସତ୍ୟ ବୋଲି ଅନୁଭବ କରି ଥାଏ ତାହା ସେ କବିତାରେ ପ୍ରକାଶ କରିଥାଏ । ଭିନ୍ନ ଭିନ୍ନ ସତ୍ୟ ଭିନ୍ନ ଭିନ୍ନ ସମୟରେ ଉପଲବ୍ଧି କରି ଭିନ୍ନ ଭିନ୍ନ କବିତାରେ ସେଗୁଡ଼ିକୁ ସେ ଚିତ୍ର କରିଥାଏ । ଏଣୁ ସବୁଗୁଡ଼ିକୁ ଏକତ୍ର ଆଲୋଚନା ନ କଲେ ସଂସାର ସମ୍ବନ୍ଧରେ କବିଙ୍କର କିପରି ଧାରଣା ଥିଲା ତାହା ବୁଝା ଯାଇ ପାରିବ ନାହିଁ ।

 

“ସଂସାର-ବିଷୟ-ବିଷେ ଜରଜର ହୋଇ

X      X      X

ଦୁଃଖମୟ ଭବ ସିନା, ମହା ସୁଖ ବୋଲି

ବୋଲନ୍ତି ଜଗତେ ଯାକୁ ଜଡ଼ିତ ସେ ସଦା

ମହା ଦୁଃଖେ………. ।”

 

ପ୍ରଭୃତି କଥା ରାଧାନାଥ ଯୁଧିଷ୍ଠିରଙ୍କ ମୁଖରୁ ଶୁଣାଇଅଛନ୍ତି । ଏଥିରୁ ମନେ କରିବାକୁ ହେବନାହିଁ ଯେ, ରାଧାନାଥଙ୍କ ମତରେ ଜଗତରେ ସୁଖ ନାହିଁ । ସେ କହିଅଛନ୍ତି–

 

“ସଂସାରି ସଙ୍ଗତେ ସଙ୍ଗ ହେବା ପାଇଁ

କେବେହେଁ ମୋହର ମନ ବଳେ ନାହିଁ ।

X      X      X

ହସି ଖେଳି ସେହୁ ଗମନ୍ତି ସମୟ,

ଜୀବନ ମଣନ୍ତି ମହୋତ୍ସବମୟ ।

ଛାର ଭାଗ୍ୟ ମୋର ପିହିତ ପାଷାଣେ

ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ ।”

 

ଏଥିରୁ ବୁଝାଯାଏ ଯେ ଅନେକ ଲୋକ ଜଗତରେ ସୁଖ ଭୋଗ କରୁଥିବାର ସେ ଜାଣିଥିଲେ । କିନ୍ତୁ ତାହାଙ୍କ ନିଜ ଜୀବନରେ ଦୁଃଖ ଛଡ଼ା ସୁଖ ନ ଥିଲା । ଶ୍ୱାସ-ରୋଗରେ ଯନ୍ତ୍ରଣା ଭୋଗୁଥିବାରୁ ସୁଖରୁ ସେ ବଞ୍ଚିତ ଥିଲେ । ବାର୍ଦ୍ଧକ୍ୟରେ ଇନ୍ଦ୍ରିୟ ଦୁର୍ବଳ ହୋଇ ସୁଖଭୋଗର ଶକ୍ତି ଊଣା ହେଲେ ଜଗତକୁ ଦୁଃଖମୟ କହିବା ପ୍ରାଚୀନ ଭାରତର ରୀତି ଥିଲା । ଏଣୁ ରାଧାନାଥ ଯୁଧିଷ୍ଟିରଙ୍କ ମୁହଁରୁ ଦୁଃଖବାଦ ଶୁଣାଇଲେ । ନୋହିଲେ ଯୁଧିଷ୍ଟିର ଦାନପ୍ରସ୍ଥ-ବ୍ରତ ଗ୍ରହଣ କରନ୍ତେ କିପରି ? ସୁଖ ଦୁଃଖ ସମ୍ବନ୍ଧରେ କବିଙ୍କର ମତ ଅନ୍ୟତ୍ର ଦେଖାଯାଏ ।

 

“ସୁଖ ବୋଲି ଯାହା ଜନ ନେତ୍ରେ ଦିଶେ

ହାତେ ଆସେ ହାତୁ ପଡ଼ିବା ପାଇଁ ସେ ।”

 

ଏଥିରୁ ଜଣାଯାଏ ଯେ, ସୁଖ କ୍ଷଣସ୍ଥାୟୀ ବୋଲି ତାହାଙ୍କର ଧାରଣା ଥିଲା । ‘ଚନ୍ଦ୍ରଭାଗା’ କାବ୍ୟରେ ସଞ୍ଚାଣ ହଳଦୀବସନ୍ତକୁ ଗୋଡ଼ାଇବାରେ ସୁଖ କ୍ଷଣିକ ଓ ଦୁଃଖ ନିତ୍ୟ ବୋଲି ବର୍ଣ୍ଣନା କରିଥିବାର ମଧ୍ୟ ବୁଝାଯାଏ । କିନ୍ତୁ କେଉଁ ସୁଖକୁ କ୍ଷଣିକ ବୋଲି ସେ ବର୍ଣ୍ଣନା କରିଅଛନ୍ତି ? ଇନ୍ଦ୍ରିୟ-ତୃପ୍ତି ନିମନ୍ତେ ବସ୍ତୁ-ଲାଭର ସୁଖକୁ ସେ କ୍ଷଣିକ ବୋଲି ବର୍ଣ୍ଣନା କରିଅଛନ୍ତି । ତାହା କ୍ଷଣିକ ହୋଇଥିବାରୁ ସେ ସୁଖଭୋଗ ସରିଲେ ସେହି ସୁଖର ସ୍ମୃତି ଦୁଃଖର କାରଣ ବୋଲି ସେ କହିଅଛନ୍ତି–

“ଯା ଲାଗି ଜଗତେ ଯେତେ ସୁଖ

ସେହି ଦିଏ ପୁଣି ତେତେ ଦୁଃଖ ।”

ମନୁଷ୍ୟର କାମନା ବଳବତୀ ହେଲେ ସେ ବିବେକ ହରାଇ କାର୍ଯ୍ୟ କରେ । ସେତେବେଳେ ସେ ପାପ-କାର୍ଯ୍ୟ କରିବାପାଇଁ ଟିକିଏ ସଙ୍କୁଚିତ ହୁଏନାହିଁ । କିନ୍ତୁ କାର୍ଯ୍ୟ-ସାଧନ ସରିଲେ ତମୋଗୁଣ ଘୁଞ୍ଚି ସତ୍ୱଗୁଣ ପ୍ରକାଶ ପାଏ ଓ ପାପ-କାର୍ଯ୍ୟ ପାଇଁ ତାହାର ଅନୁତାପ ଜନ୍ମେ । ସିଂହାସନ କାମନାରେ ପାଣ୍ଡବମାନେ ଆତ୍ମୀୟ ସ୍ୱଜନଙ୍କୁ ହତ୍ୟାକଲେ । ତତ୍ପରେ ଯୁଧିଷ୍ଟିରଙ୍କର ଅନୁତାପ ଜନ୍ମିବା ସ୍ୱାଭାବିକ । ଏଣୁ ସଂସାରକୁ ଦୁଃଖମୟ କହିବା ତାହାଙ୍କ ପକ୍ଷରେ ବିଚିତ୍ର ନୁହେଁ ।

ସୁଖ-କାମନାରେ ମନୁଷ୍ୟ ଅନ୍ୟାୟ କରି ପଛେ ଦୁଃଖ ଭୋଗ କରେ ବୋଲି ସଂସାର ତ୍ୟାଗ କରିବା ନିମନ୍ତେ ରାଧାନାଥ ବୁଦ୍ଧ ଦେବଙ୍କ ପରି କହିନାହାନ୍ତି । କର୍ତ୍ତବ୍ୟ ସାଧନ କରିବା ମନୁଷ୍ୟର ଉଚିତ ବୋଲି ସୈନ୍ୟମାନଙ୍କ ପ୍ରତି ପୃଥ୍ୱୀରାଜଙ୍କ ଉକ୍ତି-ଛଳରେ କବି କହିଅଛନ୍ତି । ନୀରବରେ ଅନ୍ୟାୟ-ଅତ୍ୟାଚାର ସହିବା ମନୁଷ୍ୟର ଉଚିତ ନୁହେଁ ବୋଲି ତାହାଙ୍କର ମତ ଥିଲା । ଏଣୁ ସେ କହିଅଛନ୍ତି–

“ସୂର୍ଯ୍ୟକାନ୍ତ ଯଥା ପରଶେ ଶୀତଳ

ତେଜସ୍ୱୀ ଦର୍ଶନେ ହୁଏ ଊର୍ଜସ୍ୱଳ ।

ଶତ୍ରୁ ଦେଖି ତୁହି ସେ ରୂପେ ଚିଲିକା

ପ୍ରକଟୁ ପ୍ରଚ୍ଛନ୍ନ ଶକ୍ତି ମାରାତ୍ମିକା ।”

 

ଅନ୍ୟାୟର ପ୍ରତିକାର କରିବା ମନୁଷ୍ୟର କର୍ତ୍ତବ୍ୟ ବୋଲି ପାର୍ବତୀଙ୍କ ହାତରେ ଗଙ୍ଗେଶ୍ୱରଙ୍କୁ ହତ୍ୟା କରାଇବା ପାଇଁ କବି କଳ୍ପନା କରିଥିଲେ । ଯେ ସତ୍ୟ-ପଥର ପଥିକ ସେ ନିଜ ପର-ଜ୍ଞାନ ଛାଡ଼ି ଅନ୍ୟାୟର ପ୍ରତିରୋଧ କରେ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏପରି ଉପଦେଶ ଦେଇଅଛନ୍ତି । ରାଧାନାଥ ସେପରି କହିବା ଅସଙ୍ଗତ ହୋଇନାହିଁ । ଚତୁରପଣ ବା ଜ୍ଞାନ-ଯୋଗରେ ଅଭିମାନ ବା ମୁଁ ମୋର ପ୍ରଭୃତି ଭାବ ତ୍ୟାଗ କରି ଉଦାସୀନ ହୋଇ ଜୀବନ କଟାଇବା ପାଇଁ ‘ତିନିବନ୍ଧୁ’ ଓ ‘ଦରବାର’ କାବ୍ୟରେ କବି ଉପଦେଶ ଦେଇଅଛନ୍ତି ।

 

“ଚତୁର ପଣର ଥିଲେ ଅଭିମାନ

ମର୍ତ୍ତ୍ୟ-ଅଭିମାନ ଦିଅ ବଳିଦାନ ।

ଅସାର ବେପାରେ ନିରତେ ନିର୍ଲେପ

ରହି ସାର ସତ୍ୱେ କର କାଳକ୍ଷେପ ।”

 

“ଚନ୍ଦ୍ରଭାଗା” କାବ୍ୟ ପଢ଼ିଲେ ଜଣାଯାଏ ଯେ, ରାଧାନାଥ ସାଂଖ୍ୟ ମତାବଲମ୍ବୀ ଥିଲେ । ସୂର୍ଯ୍ୟ ମାନବ-ବୃଦ୍ଧିର ପ୍ରତୀକ । ସୂର୍ଯ୍ୟର ଅର୍ଥ ମନୁଷ୍ୟର ଶରୀର । ଚନ୍ଦ୍ରଭାଗା ପ୍ରକୃତିର ସ୍ଥଳ ରୂପ ଭୂତପଦାର୍ଥ ଛଡ଼ା ଆଉ କିଛି ନୁହେଁ । ସୂର୍ଯ୍ୟ ଚନ୍ଦ୍ରଭାଗା ପଛରେ ଗୋଡ଼ାଇବାରୁ ତାହାଙ୍କ ମନ୍ଦିର ଭାଙ୍ଗି ପଡ଼ିଲା ବୋଲି ବର୍ଣ୍ଣନା କରିବାର ଅଭିପ୍ରାୟ ଏହି ଯେ, ବୁଦ୍ଧ ସ୍ଥଳ ଭୂତ ପଦାର୍ଥ ପ୍ରତି ଆକୃଷ୍ଟ ହେଲେ ଶରୀରର ପତନ ଘଟେ । ଏଣୁ ପ୍ରକୃତିର ସ୍ଥଳ ରୂପର ଶୋଭାରେ ମୁଗ୍ଧ ନୋହି ତାହାର ଶାନ୍ତ ସୂକ୍ଷ୍ମ ରୂପରେ କବି ଚିତ୍ତ ନିବେଶ କରିଥିବା ‘ଚିଲିକା’ କାବ୍ୟରୁ ଜଣାଯାଏ–

 

“ସ୍ନିଗ୍ଧ ରୂପ ତୋର ଚିତ୍ତ ଉଲ୍ଲାସକ,

ସୁମଧୁର ଦ୍ୱୈତ ଭାବର ଦ୍ୟୋତକ ।

ଅନନ୍ତ-ନୀଳିମା-ଦ୍ୟୁତ-ବିଭାସିତ,

ତୋ’ ଅମର ସତ୍ତା ଅଗ୍ରେ ବିରାଜିତ ।”

 

ଏହି ସବୁ ଉକ୍ତିରୁ ଜଣାଯାଏ ଯେ, ରାଧାନାଥ ସାଂଖ୍ୟର ଦ୍ୱୈତବାଦୀ ଥିଲେ । ରାଧାନାଥ Keats ଙ୍କ Ode on the Grec।an Urn କବିତାର ଆଶ୍ରିତ ଚିତ୍ରକୁ ଓ ଗ୍ରୀସ୍ ଦେଶୀୟ ଅପଲୋ ଓ ଡେଫିନ ଗଳ୍ପକୁ ଅନୁକରଣ କରି ସୂର୍ଯ୍ୟ ଚନ୍ଦ୍ରଭାଗା ପଛରେ ଗୋଡ଼ାଇବା ବର୍ଣ୍ଣନାକଲେ । କିନ୍ତୁ Keats ଙ୍କ ପରି ଫଳ-ଲାଭ ନ କରି କେବଳ ଫଳ-ଲାଭର ଆଶା ରଖି କାମ କଲେ ସୁଖ ମିଳେ ବୋଲି ସେ ବିଶ୍ୱାସ କରି ନ ଥିଲେ । ଆଶାରେ ସୁଖ ଅଛି ବୋଲି ସ୍ୱୀକାର କରି କବି ସୁଖକୁ କ୍ଷଣିକ କହିଅଛନ୍ତି–

 

“ଗୋଧୂଳି-ଗଗନ ସୁଚିତ୍ର ଦିଶେ ଶତ ବରଣେ,

ଶତ ମନୋରଥ ଝଲକେ ଯେହ୍ନେ ଆଶା-କାମନେ ।”

“ସୁଖ-ଆଶେ ଭୋଳ ସରବେ ଏ କାଳେ

ସୁଖ ତ ଭବେ କ୍ଷଣିକ,

କିଏ ନ ଜାଣଇ ସୁଖ ଠାରୁ ସୁଖ-

ଆଶାରେ ସୁଖ ଅଧିକ ।”

ଆଶାରେ ସୁଖ ଅଛି । ସୁଖ-ଆଶାରେ କାର୍ଯ୍ୟ କରି ଦୁଃଖ ମିଳେ । ଦୁଃଖ ସହିବା ଉତ୍ତାରୁ ସୁଖ ମିଳେ ବୋଲି ସେ ମଧ୍ୟ କହିଅଛନ୍ତି–

“ସହିବାରୁ ସିନା ହୀରକ ଦାରୁଣ

ଅୟୋଘନ-ଘାତ-ଦୁଃଖ

ଅବତଂସ ଛଳେ ଲଭଇ ସୁନ୍ଦରୀ

କପୋଳ-ଚୁମ୍ବନ-ସୁଖ ।”

ଦୁଃଖ ଉତ୍ତାରୁ ଯେଉଁ ସୁଖ ମିଳେ ତାହା କ୍ଷଣିକ । କାରଣ, ମନୁଷ୍ୟ ନିଜେ ନଶ୍ୱର । ସେ କର୍ମ-ଫଳ ଅନୁସାରେ ନିୟତି ଦ୍ୱାରା ଚାଳିତ ହୋଇ ସୁଖ-ଦୁଃଖ ଭୋଗ କରେ । ଏଣୁ ସେ କହି ଅଛନ୍ତି–

“ନିଜ ନଶ୍ୱରତା ଗଙ୍ଗେଶ୍ୱର କେବେ

ସ୍ମରିଲେ ନାହିଁ ସ୍ୱପନେ,

ତମ ଧର୍ମ ବଶେ ଅନୁକ୍ଷଣ ରତ

କେବଳ ପର ପୀଡ଼ନେ ।”

X      X      X

 

 

“କେତେ କାଳ ଧର୍ମ ସହିବ ଅନୀତ

ଦିନେ ଦେବ ପ୍ରତିଫଳ ।”

X      X      X

“ଏତେ ଦିନେ ହେଲା ରାଜାଙ୍କର ଅବା

ପୂର୍ବ ତପୋବଳ କ୍ଷୟ ।”

“ମାତ୍ର ରୂପଗୁଣ-ଫଳେ

ଲଲାଟ-ଲେଖନ କି ଟଳେ ?”

X      X      X

“ବଳୀ ହୋଇ ଦୈବ ବିଧାନକୁ କିଏ କରିବ ଆନ ?”

X      X      X

“ଶକ୍ତି ନାହିଁ ବତ୍ସ ! କାହାରି ଜଗତେ

ନିୟତିକି ନେବ ନିଜ ଇଚ୍ଛା ମତେ ।”

“କିଏ ଅବା ସେହି ଜ୍ୟୋତିଶ୍ଚତ୍ର ଗତି ।”

ରୋଧିବାକୁ ବଳବାନ ?”

ପୂର୍ବଜନ୍ମ କର୍ମଫଳ ପ୍ରଭୃତି ବିଶ୍ୱାସ କରୁଥିବାରୁ ‘ଦରବାର’ କାବ୍ୟରେ ରାଧାନାଥ ଅତ୍ୟାଚାରୀମାନଙ୍କୁ ଯମଦଣ୍ଡ ଭୟ ଦେଖାଇ ଅଛନ୍ତି । ବିଧାତାର ବିଧାନକୁ ଲଂଘି ମନୁଷ୍ୟ କୌଣସି କାର୍ଯ୍ୟ କରିପାରେ ନାହିଁ ବୋଲି ମଧ୍ୟ ସେ କହି ଅଛନ୍ତି ।

 

“ବିଧି-ସୃଷ୍ଟି-କ୍ରମ ପ୍ରତୀପ ବାସନା

ପୋଷଇ ହୃଦେ ଯେ ପ୍ରାଣୀ

ତୃଣ ହୋଇ ସିନା ଉଠିବାକୁ ଲୋଡ଼େ

ପ୍ରପାତ-ସ୍ରୋତେ ଉଜାଣି ।”

 

ଅହଙ୍କାର ଛାଡ଼ି ନିଜକୁ କ୍ଷୁଦ୍ର ମଣି ପାର୍ଥିବ କାମନା ପରିତ୍ୟାଗ କରି ଉଦାସୀନ ଭାବରେ କର୍ମ କଲେ ମନୁଷ୍ୟ ଜଗତରେ ସୁଖ ଭୋଗ କରିପାରେ ବୋଲି କବିଙ୍କର ବିଶ୍ୱାସ ଥିଲା–

 

“ଭ୍ରମନ୍ତି ଚୌଦିଗେ ଅଙ୍ଗଭଙ୍ଗୀ କରି,

ଅହମିକା-ବନେ ପ୍ରଜାପତି ପରି ।”

X      X      X

‘ଅଖଣ୍ଡ ଦଣ୍ଡାୟମାନ କାଳ-ସିନ୍ଧୁ

ମଧ୍ୟେ ବିନ୍ଦୁ ରହି ନୁହ ଏକ ବିନ୍ଦୁ ।”

X      X      X

“ଧନ୍ୟ ସେହି ଅତିନ୍ଦ୍ରିତ ଋଷିବୃନ୍ଦ ଭବେ

ବିଷୟ ବିମୁଖ ହୋଇ ସାଧନ୍ତି ଯେ ସଦା

ସୁଖବୃଦ୍ଧି ତୃଷ୍ଣା କ୍ଷୟେ ତୃଷ୍ଣା-ଲୟେ ପୁଣି ।”

 

ବିଷୟ ବିମୁଖ ହୋଇ କାମନା ବିନାଶ କରିବା ବିଧାତାର ବିଧାନ ବୋଲି ରାଧାନାଥ ବିଶ୍ୱାସ କରୁଥିଲେ । ପାର୍ଥିବ ସୌନ୍ଦର୍ଯ୍ୟରେ ପବିତ୍ରତା ନାହିଁ ବୋଲି ସେ କହି ଅଛନ୍ତି–

 

ଜ୍ଞାନୀଏ କୁହନ୍ତି ସୌନ୍ଦର୍ଯ୍ୟ-ସୃଜନ

ହୋଇ ନାହିଁ ପାପ ପାଇଁ

ସତ୍ୟ ମଣିଥିଲି ମାଆ ଲୋ ! ତୋହର

ସରୋଜ-ମୁହଁକୁ ଚାହିଁ ।”

 

Shelley କହି ଅଛନ୍ତି ଯେ, ଯେଉଁ କବିତାରେ ଗଭୀର ଦୁଃଖର ବର୍ଣ୍ଣନା ଥାଏ ସେହି କବିତା ସବୁଠାରୁ ଅଧିକ ମନୋହର । ରାଧାନାଥ ନିଜେ ଦୁଃଖ ଭୋଗ କରୁଥିବାରୁ ଜଗତରେ ସେ ସୁଖ ଦେଖିପାରୁ ନ ଥିଲେ । ସେ କହିଅଛନ୍ତି–

 

“ଦୁଃଖ ଦତ୍ତ ଜ୍ଞାନ-ଚକ୍ଷୁରେ ଜଗତ

ଦେଖିବାରେ ମୁହଁ ସତତ ଅଭ୍ୟସ୍ତ ।”

 

ଏହି ଦୁଃଖର ବର୍ଣ୍ଣନା ଥିବାରୁ ତାହାଙ୍କ କବିତା ପ୍ରାଣସ୍ପର୍ଶୀ । କିନ୍ତୁ ସେ ଶଙ୍କରାଚାର୍ଯ୍ୟଙ୍କ ପରି ବିଶୁଦ୍ଧ ମାୟାବାଦ ପ୍ରଚାର କରି ନାହାନ୍ତି । ପାର୍ଥିବ ସୁଖକୁ କ୍ଷଣିକ ବୋଲି ସେ କହିଅଛନ୍ତି ।

 

*

ତା ୧୧-୩-୧୯୪୭ରେ କଲିକତାରୁ ବେତାର-ବାର୍ତ୍ତାରେ ପ୍ରଚାରିତ ।

Image